୨୧ କେଜି ଗଞ୍ଜେଇ ଜବତ, ୩ ବଙ୍ଗୀୟ ମହିଳା ଗିରଫ

ବୌଦ୍ଧ: ପୂର୍ବରୁ ଜିଲ୍ଲା ବାହାରକୁ ଗଞ୍ଜେଇ ଚାଲାଣ କରି ସ୍ଥାନୀୟ ଲୋକେ ଧରା ପଡ଼ୁଥିଲେ। ଏବେ ଗ‌ଞ୍ଜେଇ ନେବା ପାଇଁ ବାହାର ରାଜ୍ୟର ଲୋକେ ଆସୁଥିବା ଦେଖାଯାଉଛି। ଏଭଳି ଏକ ଦଳକୁ ଶୁକ୍ରବାର ବୌଦ୍ଧ ପୁଲିସ କାବୁ କରିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ପଶ୍ଚିମବଙ୍ଗର ୩ ଜଣ ମହିଳା ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ନେବା ବେଳେ ବୌଦ୍ଧ ବସଷ୍ଟାଣ୍ଡରେ ପୁଲିସ ହାବୁଡ଼ରେ ପଡ଼ିଛନ୍ତି। ସେମାନଙ୍କ ପାଖରୁ ୨୧ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ପୁଲିସ ସୂଚନା ଅନୁସାରେ, କୌଣସି ସୂତ୍ରରୁ ଖବର ପାଇ ପୁଲିସ ମହିଳାଙ୍କୁ ରଇଠାଣୀ ବାଇପାସ ଛକରୁ ନଜରରେ ରଖିଥିଲା। ଏକ ଘରୋଇ ବସ୍‌ରେ ମହିଳାମାନେ ବୌଦ୍ଧ ବସଷ୍ଟାଣ୍ଟକୁ ଆସିଥିଲେ। ସେଠାରେ ପୁଲିସ ସେମାନଙ୍କ ପାଖରେ ଥିବା ଏୟାର ବ୍ୟାଗ ଯାଞ୍ଚ କରିବାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ୩ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ହୁଗ୍‌ଲି ଜିଲ୍ଲା ବଲାଗଡ଼ ଥାନା ଅନ୍ତର୍ଗତ ଶେରପୁର ଗ୍ରାମର ରେଖା ଦାସ (୩୧), ବର୍ଦ୍ଧମାନ ଜିଲ୍ଲା କାଲ୍‌ନା ଥାନା ଅନ୍ତର୍ଗତ ପୂର୍ବସାତଗାଛିଆ ଅଞ୍ଚଳ ସାତପତି ମାଲୋରାରା ଗ୍ରାମର ମୋନିକା ହାଲଦାର(୩୨) ଓ ହୁଗ୍‌ଲି ଜିଲ୍ଲା ମୋର୍ଗା ଥାନା ବିଷପୁରା ଗ୍ରାମର ବିଧବା ମହିଳା ତାପୋସି ଦାସ(୩୦)। ଏୟ‌ାର ବ୍ୟାଗରେ ଗଞ୍ଜେଇ ସହ ପ୍ରତ୍ୟେକଙ୍କଠାରୁ ଶାଢ଼ି, ଆଧାର କାର୍ଡ଼, ପ୍ରସାଧନ ସାମଗ୍ରୀ ଥିବା ଗୋଟିଏ ଲେଖାଏଁ ଭ୍ୟାନିଟି ବ୍ୟାଗ ଜବତ କରାଯାଇଛି।

ସମ୍ବନ୍ଧିତ ଖବର