ଫାଣ୍ଡି ପଛ ପଟ ବେଆଇନ ଖାଦାନରେ ମେସିନ ଖସି ଅପରେଟର ଓ ହେଲପର ମୃତ

ଚଢେଇଧରା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ବଳରାମପୁର ୧ ରାଜସ୍ୱ ସର୍କଲ ଅନ୍ତର୍ଗତ ଲୁଣିବର ମୌଜାର ୨ ନଂ କଳାପଥର ସୈରତରେ ମଙ୍ଗଳବାର ରାତିରେ କାମ ଚାଲୁଥିବା ସମୟରେ ପ୍ରୋକଲିନ ମେସିନ ୫୦ ଫୁଟ ଉପରୁ ଖସି ପଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଶାନ୍ତନୁ ଖିଲାର (୨୩) ଓ ଅପୁ ରାଉତ (୧୬)।

ସୂଚନା ଅନୁସାରେ ମେସିନର ଚାଳକ ଓ ସହାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଚାଳକ କେନ୍ଦୁଝର ଜିଲ୍ଲା ଟେଲକୋଇ ଥାନା ସାରୁଆଳି ଗ୍ରାମର ଶାନ୍ତନୁ ଖିଲାର ଓ ସହାୟକ ଜଣକ ହେଉଛନ୍ତି ଜେନାପୁର ଥାନା କମlଗଡ଼ ପଂଚାୟତ ଅଧୀନ ଗେଙ୍ଗୁଟିଆ ଗ୍ରାମର ଗୁରିଆ ରାଉତଙ୍କ ପୁଅ ଅପୁ ରାଉତ। ଅପୁ ଜଣେ ନାବାଳକ। ଗୁରୁତର ଆହତ ଅପୁକୁ ଚିକିତ୍ସା ଲାଗି ମେସିନ ମାଲିକ କଟକ ପଠେଇ ଥିବା ବେଳେ ବାଟରେ ତାହାର ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ ଚାଳକଙ୍କ ମୃତଦେହ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଲିସ ଦ୍ୱାରା ଜବତ ହୋଇଛି। ବୁଧୁବାର ସକାଳୁ ବେଆଇନ ଖାଦାନରେ ଦୁଇ ଜଣ ମରିଥିବା ଖବର ଯାଜପୁର ଜିଲ୍ଲା ଆରକ୍ଷୀ ଅଧକ୍ଷ ଭିନୀତ ଅଗ୍ରୱାଲ ଅବଗତ ହେବା ପରେ ଘଟଣାସ୍ଥଳକୁ ଏସ୍‌ଡିପିଓ ସଞ୍ଜୟ ପଟନାୟକଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ପଠେଇ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର