ଯାଜପୁର/ସଦର/ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ର ଅଳକୁଣ୍ଡ ଥାନା କପିଳା ପଞ୍ଚାୟତ ଅନ୍ତର୍ଗତ ରାହାସ ଗ୍ରାମରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ପାଇଁ କାମ ଚାଲିଥିବା ବେଳେ ଘଟିଛି ବଡ଼ ଅଘଟଣ। ଲୁହାପାଇପ୍ ତଳେ ଚାପି ହୋଇ ୩ଜଣ ଅଣଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକମାନେ ବିହାରର ଅଖତର ଅନସାରୀ, ଫିରୋଜ ଅନସାରୀ ଓ ଚେନ୍ନାଇର ଚିଦାମ୍ବରମ ଭେଲୁନାଏ ବୋଲି ଜଣାପଡିଛି। ଦୁର୍ଘଟଣାରେ ଏକାଧିକ ଶ୍ରମିକ ଆହତ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଅନ୍ଧାରରେ ବିନା ସୁରକ୍ଷା ସରଞ୍ଜାମରେ ଠିକାସଂସ୍ଥା ଏଲ୍ ଆଣ୍ଡ୍ ଟିର ଅଧିକାରୀମାନେ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରିଥିବା ବେଳେ ଏଭଳି ଅଘଟଣ ଘଟିଛି। ଆଜି ସକାଳେ ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣା ପରେ ଠିକାସଂସ୍ଥା ଅଧିକାରୀମାନେ ଫେରାର୍ ହୋଇଯାଇଛନ୍ତି।
ବୃହତ୍ ଉଠାଜଳସେଚନ ପ୍ରକଳ୍ପ ପାଇଁ ଚାଲିଥିଲା କାମ
ବିନା ସୁରକ୍ଷାରେ ଅନ୍ଧାରରେ କାମ କରୁଥିଲେ ଶ୍ରମିକ
ଠିକାସଂସ୍ଥା ଅଧିକାରୀ ଫେରାର୍, ଘଟଣା ଚାପିବାକୁ ମସୁଧା
ଆହତ ଶ୍ରମିକ ରେବୁଲ ଅନସାରୀ ଓ ଶୁଭାନ ଅନସାରୀଙ୍କ କହିବା ଅନୁଯାୟୀ ରାତି ପ୍ରାୟ ଗୋଟାଏ ସମୟରେ କାମ ଚାଲିଥିଲା। ଶ୍ରମିକମାନେ ତିନି ମିଟର ଗଭୀର ଗାତ ମଧ୍ୟରେ ପଶି କାମ କରୁଥିବା ବେଳେ ଏଥିରେ ବିଛାଯିବା ପାଇଁ ଆସିଥିବା ଲୁହା ପାଇପ୍ ୪ଜଣ ଶ୍ରମିକଙ୍କ ଉପରେ ପଡ଼ି ଯାଇଥିଲା। ଶ୍ରମିକମାନେ ଖାଲ ଭିତରେ ଲୁହା ପାଇପ୍ ତଳେ ପୋତି ହୋଇ ଯାଇଥିଲେ। ଜଣେ ଶ୍ରମିକଙ୍କୁ ସହଯୋଗୀମାନେ ଟାଣି ଉଦ୍ଧାର କରିଥିବା ବେଳେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ପ୍ରମାଣ ନଷ୍ଟ ପାଇଁ ତରବରିଆ ଭାବେ ସେହି ସ୍ଥାନକୁ ଅଧିକାରୀମାନେ ପୋତି ଦେଇଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣା ପରେ ସମସ୍ତଙ୍କୁ ଭୋର ୫ଟା ସମୟରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଠିକାସଂସ୍ଥାର କେତେକ କର୍ମଚାରୀ ଚିକିତ୍ସାଳୟରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ତାଙ୍କ ପରିବାର ପାଖକୁ ପଠାଇବାର ବ୍ୟବସ୍ଥା କରାଇଥିଲେ। ଏଠାରେ କାର୍ଯ୍ୟ କରୁଥିବା ଜଣେ ଜେସିବି ଡ୍ରାଇଭର୍ ଘଟଣା ସମ୍ପର୍କରେ ଅଳକୁଣ୍ଡ ଥାନାରେ ଅଭିଯୋଗ କରିଥିଲେ। ଅଳକୁଣ୍ଡ ଥାନାଧିକାରୀ ପ୍ରଶାନ୍ତ କୁମାର ଦାଶ ଓ ସହକର୍ମୀମାନେ ପହଞ୍ଚି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶବ ଜବତ କରି ତଦନ୍ତ କରିଥିଲେ। ଅଳକୁଣ୍ଡ ଥାନାରେ କେସ୍ ନମ୍ବର ୮/୨୪,୯/୨୪ ଓ ୧୦/୨୪ରେ ତିନୋଟି ପୃଥକ ମାମଲା ରୁଜୁ ହୋଇଛି। ଏନେଇ ପୁଲିସ ଓ ଶ୍ରମ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି। ଘଟଣା ସଂପର୍କରେ ଠିକାସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhhhfssfhshf.jpg)