ରାଜଗାଙ୍ଗପୁର: ରାଜଗାଙ୍ଗପୁର ଡାଲ୍‌ମିଆ ସିମେଣ୍ଟ କାରଖାନା(ଡିସିବିଏଲ୍‌)ରେ ଗୁରୁବାର ସଂଧ୍ୟାରେ ଘଟିଥିବା ଦୁର୍ଘଟଣାକୁ ୨୪ ଘଣ୍ଟା ବିତି ସାରିଥିଲେ ବି ନିଖୋଜ କର୍ମଚାରୀଙ୍କର ପତ୍ତା ମିଳିପାରି ନାହିଁ। ଭାଙ୍ଗି ପଡ଼ିଥିବା ବିଶାଳ ହପର୍‌କୁ କାଟିବା ଓ ସେଥିରୁ କୋଇଲାକୁ କାଢ଼ିବା କାମ ଜାରି ରହିଛି। ଶୁକ୍ରବାର ଦିନସାରା କାରଖାନାର ଟିମ୍ ଓ ଯନ୍ତ୍ରପାତି ଏଥିରେ ନିୟୋଜିତ ଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍, ସ୍ଥାନୀୟ ପ୍ରଶାସନ ଓ ଅଧିକାରୀଗଣ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି। ନିଖୋଜ କର୍ମଚାରୀଙ୍କ ପତ୍ତା ମିଳି ନ ଥିବାରୁ ସେମାନଙ୍କ ସଂପର୍କୀୟ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି। କାରଖାନାର ଗେଟ୍ ସାମ୍‌ନାରେ ଶହଶହ ଲୋକ ରୁଣ୍ଡ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟିଥିବା ଡିସିବିଏଲ୍‌ ଲାଇନ୍‌-୨ର ୨୭ ମେଗାୱାଟ୍ କ୍ଷମତା ବିଶିଷ୍ଟ ୨ଟି ପାୱାର୍‌ ପ୍ଲାଣ୍ଟ ଓ ତତ୍‌ସଂଲଗ୍ନ କୋଇଲା ବଙ୍କର୍‌ ତଥା କ୍ଲିଙ୍କର ଉତ୍ପାଦନ ୟୁନିଟ୍‌କୁ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି।

Advertisment

ପ୍ରକାଶଯୋଗ୍ୟ ଯେ, ଗୁରୁବାର ସଂଧ୍ୟା ପ୍ରାୟ ୬ଟାବେଳେ ରାଜଗାଙ୍ଗପୁରସ୍ଥ ଡାଲ୍‌ମିଆ ସିମେଣ୍ଟ କାରଖାନା ଲାଇନ୍-୨ରେ ଥିବା ୪ଟି କୋଇଲା ହପର୍ ମଧ୍ୟରୁ ୨ଟି ଭାଙ୍ଗି ପଡ଼ିଥିଲା। ଉକ୍ତ ହପର୍ ତଳେ ଶ୍ରମିକଙ୍କ ରହଣି ଓ ବିଶ୍ରାମ ପାଇଁ ଟିଣଘର ଥିଲା। ହପର୍ ଭାଙ୍ଗି ପଡ଼ିବା ଫଳରେ ବିଶାଳ ଲୁହାଢାଞ୍ଚା ସହ ସେଥିରେ ଥିବା ଟନ୍‌ଟନ୍ କୋଇଲାରେ ଉକ୍ତ ଟିଣଘର ପୋତି ହୋଇଯାଇଥିଲା। ଅନ୍ୟ ଶ୍ରମିକମାନେ ଦୁର୍ଘଟଣା ପୂର୍ବରୁ ବାହାରି ଆସିଥିବା ବେଳେ ୩ ଜଣ ପୋତି ହୋଇଯାଇଥିଲେ। ଉକ୍ତ କର୍ମଚାରୀମାନେ ହେଲେ ବଏଲର୍ ଅପରେଟର ସୁଶାନ୍ତ ରାଉତ, ବୈଷୟିକ କର୍ମଚାରୀ ଦଶରଥ ପାତ୍ର ଓ ରଂଜିତ୍‌ ଭୋଳ। ଗୁରୁବାର ସଂଧ୍ୟାରୁ କୋଇଲା ହଟାଇବା ଓ ଲୁହା ଢାଞ୍ଚାକୁ କାଟି ବାହାର କରିବା କାମ ଜାରି ରହିଛି। ଉକ୍ତ କାମରେ କାରଖାନାର ଶତାଧିକ ଲୋକ ଓ ଯନ୍ତ୍ରପାତି ନିୟୋଜିତ ହୋଇଛନ୍ତି। ସେମିତି ପ୍ରଶାସନ ପକ୍ଷରୁ ଆଖପାଖର ୬ଟି ଅଗ୍ନିଶମ କେନ୍ଦ୍ରର ୭ଟି ଟିମ୍, ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍ତି। କାରଖାନା ବାହାରେ ଓ ଭିତରେ ୩ ପ୍ଲାଟୁନ ପୁଲିସ୍ ମୁତୟନ କରାଯାଇଛି। 

ଗୁରୁବାର ଡିଆଇଜି ବ୍ରିଜେଶ ରାୟ କାରଖାନାକୁ ଯାଇଥିବାବେଳେ ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର ଶୁକ୍ରବାର ବି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ରାଉରକେଲା ଓ ସମ୍ବଲପୁରର ଫ୍ୟାକ୍ଟ୍ରି ଓ ବଏଲର୍ ବିଭାଗର ଉପନିର୍ଦେଶକ, ସହକାରୀ ନିର୍ଦେଶକ, ଖଣି ଉପନିର୍ଦେଶକ ତଥା ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଦୁର୍ଘଟଣାର ତଦନ୍ତ କରୁଛନ୍ତି। ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୨ଟି ପାୱାର୍‌ପ୍ଲାଣ୍ଟ ୟୁନିଟ୍‌, ତତ୍‌ସଂଲଗ୍ନ କ୍ଲିଙ୍କର୍‌ ୟୁନିଟ୍‌ ଓ କୋଇଲା ବଙ୍କର ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ଗତ ନଭେମ୍ବର ୨୬ ତାରିଖ ଦିନ ଡାଲ୍‌ମିଆ କାରଖାନାର କନ୍‌ଭେୟର୍ ବେଲ୍‌ଟ ଭାଙ୍ଗି ପଡ଼ିବାରୁ ରାଜଗାଙ୍ଗପୁରର ଏକ ପ୍ରମୁଖ ରାସ୍ତା ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଅବଶ୍ୟ ଉକ୍ତ ଘଟଣାରେ କେହି ମୃତାହତ ହୋଇ ନଥିଲେ। ଲଗାତାର ଦୁର୍ଘଟଣା କାରଣରୁ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ଆଇଆଇଟିସ୍ତରର ବିଶେଷଜ୍ଞ ଟିମ୍ ଦ୍ବାରା କାରଖାନାର ସମସ୍ତ ଢାଞ୍ଚା ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। 

ଶୁକ୍ରବାର ବି କାରଖାନାର ମୁଖ୍ୟଫାଟକ ସମ୍ମୁଖରେ ନିଖୋଜ ଶ୍ରମିକଙ୍କ ସଂପର୍କୀୟ ଓ ସ୍ଥାନୀୟ ଲୋକ ଜମା ହୋଇଥିବାରୁ ଉତ୍ତେଜନା ଲାଗି ରହିଛି। ସକାଳେ ଉତ୍ତ୍ୟକ୍ତ ଲୋକେ କାରଖାନା ଗେଟ୍ ଠେଲି ଭିତରକୁ ପଶି ଯାଇଥିଲେ। ପୁଲିସ୍ ସେମାନଙ୍କୁ ବାହାରକୁ ଆଣି ପୁଣି ଗେଟ୍ ବନ୍ଦ କରିଥିଲା। ରାଜଗାଙ୍ଗପୁର ବିଧାୟକ ଡା. ସିଏସ୍‌ ରାଜେନ୍ ଏକ୍କା ଗେଟ୍ ସମ୍ମୁଖରେ ପୂରାଦିନ ଜଗିରହି ଲୋକଙ୍କ ସହିତ ବିଚାରବିମର୍ଶ ଜାରି ରଖିଛନ୍ତି। ପୂର୍ବତନ ବିଧାୟକ ମଙ୍ଗଳା କିଷାନ ମଧ୍ୟ ସେଠାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଗୁରୁବାର ରାତିରୁ ବହୁସଂଖ୍ୟାରେ ଗଣମାଧ୍ୟମ ପ୍ରତିନିଧି କାରଖାନା ଗେଟ୍ ସମ୍ମୁଖରେ ଡେରା ପକାଇ ରହିଛନ୍ତି।