ଆକ୍ରମଣ ଘଟଣାର ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡ

ବୌଦ୍ଧ: ଏକ ଗଣ୍ଡଗୋଳ ଓ ଆକ୍ରମଣ ମାମଲାର ବିଚାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ) ବିଶ୍ବେଶ୍ବର ବିଶ୍ବପ୍ରକାଶ ରାୟ ଅଭିଯୁକ୍ତଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ଅନୁସାରେ ବୌଦ୍ଧ ଥାନା ସରସରା ଗ୍ରାମର ଅର୍ଜୁନ ମହାଲିକ, ଝିଅ ରୀତାଞ୍ଜଳି ଓ ଗ୍ରାମର ସସ୍ମିତା ସ୍ବାଇଁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଗଣ୍ଡଗୋଳ ଲାଗି ରହିଥିଲା।

୧୪.୧୨.୨୦୧୩ରେ ବାପ-ଝିଅ ଅର୍ଜୁନ ଓ ରୀତାଞ୍ଜଳି ସସ୍ମିତାଙ୍କ ଘରକୁ ପଶି ଠେଙ୍ଗା ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ସ୍ବାମୀ ଗଙ୍ଗାଧରଙ୍କ ଗୋଡ଼ ଓ ହାତ ଭାଙ୍ଗିବା ସହ ଶ୍ବଶୁର ରୂପଧରଙ୍କ ମୁଣ୍ଡକୁ ହାଣି ଦେଇଥିବା ସସ୍ମିତା ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ ନଂ. ୨୫୧/୧୩ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ପରେ ସିଜେଏମଙ୍କ ଅଦାଲତରେ ଏସଟି-୫୬/୧୬ରେ ମାମଲାର ବିଚାର ହୋଇଥିଲା। ମାମଲା ବିଚାରାଧୀନ ରହିଥିବା ବେଳେ ରୀତାଞ୍ଜଳି ଫେରାର ‌ହୋଇ ଯାଇଥିଲେ। ଫଳରେ ଅର୍ଜୁନଙ୍କ ଉପରେ ମାମଲାର ବିଚାର ହୋଇଥିଲା। ୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଅର୍ଜୁନ ମହାଲିକଙ୍କୁ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ମାମଲାକୁ ସରକାରୀ ଓକିଲ ଦେବ ରଞ୍ଜନ ବିଶି ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର