ବ୍ରହ୍ମପୁର : ଲାଞ୍ଚ ଗ୍ରହଣ ମାମଲାର ବିଚାରଣା କରି ଆଜି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ଡ. ଅରୁଣ କୁମାର ସାହୁ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଏଥିରେ ଅଭିଯୁକ୍ତ ଥିବା ପାତ୍ରପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ ବ୍ଲକ୍ ଆକାଉଣ୍ଟ ମ୍ୟାନେଜର ଜଗନ୍ନାଥ ପାଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୩ବର୍ଷ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା, ଏହା ଅନାଦେୟ ହେଲେ ଅଧିକ ୨ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ଅଭିଯୁକ୍ତ ୨୦୧୮ମସିହାରେ ପାତ୍ରପୁର ବ୍ଲକ ସିଏଚ୍ସିରେ ଜାତୀୟ ସ୍ବାସ୍ଥ୍ୟ ମିସନ୍ (ଏନ୍ଏଚ୍ଏମ୍)ରେ ବ୍ଲକ୍ ଆକାଉଣ୍ଟ ମ୍ୟାନେଜର୍ ଭାବେ ଠିକା ନିଯୁକ୍ତି ପାଇଥିଲେ। ସେହିବର୍ଷ ଜୁନ୍ ମାସରେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଭଡ଼ାରେ ନିୟୋଜିତ ହୋଇଥିବା ଏକ ଟାଟା ସୁମୋ ଗାଡ଼ିର ୨୦,୨୯୧ଟଙ୍କା ବିଲ୍ ପାସ୍ କରିବା ପାଇଁ ଗାଡ଼ି ମାଲିକଙ୍କୁ ୩,୫୦୦ଟଙ୍କା ଲାଞ୍ଚ ମାଗିଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା (କେସ ନମ୍ବର ୨୪/୧୮)ରୁଜୁ କରାଯାଇ ତଦନ୍ତ ପରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ମୋଟ ୬ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଆଜି ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।