୩ ବିଦ୍ୟୁତ କର୍ମଚାରୀଙ୍କ ଦୁଃସାହସିକ ଉଦ୍ୟମ, ଜୀବନ ପାଇଲା କୂଅରେ ବୁଡ଼ି ଯାଇଥିବା ୩ ବର୍ଷର ଶିଶୁ

ଆଳି : କୂଅରେ ବୁଡ଼ି ଯାଇଥିବା ୩ ବର୍ଷର ଶିଶୁପୁତ୍ରର ଜୀବନ ବଂଚାଇଛନ୍ତି ବିଦ୍ୟୁତ ବିଭାଗର ୩ ଜଣ କର୍ମଚାରୀ। ଆଳି ଥାନା ମାଳପାଟଣା ଗ୍ରାମରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ୩ ସାହସୀ ଯୁବକଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୫ଟାରେ ଫନି ପ୍ରଭାବିତ ବିଦ୍ୟୁତ ଲାଇନ ମରାମତି କାମରେ ନିୟୋଜିତ ଥିବା ଆଳି ବିଦ୍ୟୁତ ସେକ୍ସନର ୩ ଯୁବ କର୍ମଚାରୀ ହେମନ୍ତ ଦାସ, ବିଶ୍ବଜିତ ମହାନ୍ତି ଓ ଶ୍ରୀକାନ୍ତ ଦାସ ମାଳପାଟଣା-ବେଲାରୀ ରାସ୍ତାରେ ଯାଉଥିବା ସମୟରେ ବିଲ ଭିତରେ ଜଣେ ମହିଳାଙ୍କୁ ଚିତ୍କାର କରି ଦୌଡୁଥିବା ଦେଖିଥିଲେ। ମହିଳା ଜଣକ କୂଅରେ ପଡିଯାଇଥିବା ତାଙ୍କର ୩ ବର୍ଷର ପୁଅ ଦେବବ୍ରତକୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରୁଥିଲେ। ୩ ଯୁବକ ମହିଳାଙ୍କ ସହିତ ତୁରନ୍ତ କୂଅ ନିକଟକୁ ଦୌଡି ଯାଇଥିଲେ। ସେଠାକୁ ଯାଇ ଦେଖିବା ବେଳକୁ ଶିଶୁପୁତ୍ରଟି ପାଣିରେ ସମ୍ପୂର୍ଣ୍ଣ ବୁଡ଼ି ସାରିଥିଲା। ଶ୍ରୀକାନ୍ତ ଓ ବିଶ୍ବଜିତ ପାଖରେ ପଡିଥିବା କୂଅ ଦଉଡିକୁ ଆଣି ଭିଡି ଧରିବା ସହ ଦଉଡିକୁ ଧରି ହେମନ୍ତ କୂଅ ଭିତରେ ପଶିଥିଲେ। ଗଭୀର ପାଣିରେ ବୁଡ଼ି ଯାଇଥିବା ଶିଶୁପୁତ୍ରକୁ ହେମନ୍ତ ଏକ ଶାଢୀରେ ବାନ୍ଧି କୂଅ ଭିତରୁ ଉପରକୁ ଉଠାଇଥିଲେ। ଶିଶୁପୁତ୍ରର ପେଟ ଚିପି ପାଣି ବାହାର କରିଥିଲେ। କିଛି ସମୟ ପରେ ଚେତାଶୂନ୍ୟ ଶିଶୁପୁତ୍ରଟି ଶବ୍ଦ କରିଥିଲା। ତା’ର ଜୀବନ ବଞ୍ଚିଯାଇଛି ବୋଲି ଜାଣିବା ପରେ ତୁରନ୍ତ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ତା’ର ମୁଣ୍ଡରେ ଗଭୀର ଭାବରେ ଆଘାତ ଲାଗିଥିବା ବେଳେ ସେ କିନ୍ତୁ ମରଣ ମୁହଁରୁ ବଞ୍ଚି ଯାଇଛି। ଦେବବ୍ରତର ମା’ ସୁଷମା ସାହୁ, ଜେଜେ ମା’ ବଦନୀଙ୍କ ସମେତ ଗ୍ରାମବାସୀ ୩ ବିଦ୍ୟୁତ କର୍ମଚାରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରି ଥିବା ବେଳେ ଏମାନେ ଆମ ବିଭାଗ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ବିଦ୍ୟୁତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପରମାନନ୍ଦ ବେହେରା।

ସମ୍ବନ୍ଧିତ ଖବର