ଚମ୍ପୁଆ : ଜଙ୍ଗଲ ଭିତରେ ବଣୁଆ ହାତୀର ଲାଞ୍ଜ ଟାଣି ଖେଳ। ଥରେ ନୁହେଁ କି ଦୁଇଥର; ବାରମ୍ବାର ଏମିତି ଦୁଃସାହସ କରି ହାତୀକୁ ଉନ୍ମତ୍ତ କଲେ। ଏହାର ଭିଡିଓ ଉତ୍ତୋଳନ କଲେ। ଏଭଳି କରି ବିପଦକୁ ନିମନ୍ତ୍ରଣ କରୁଥିବା ୩ ଯୁବକଙ୍କୁ ଚମ୍ପୁଆ ବନ ବିଭାଗ ଗିରଫ କରିଛି। ଗିରଫ ୩ ଜଣ ହେଲେ ଚମ୍ପୁଆରେ ରହୁଥିବା ମୁର୍ଶିଦାବାଦର ଅବଦୁଲ ହାଲିମ (୨୨), ମୌଲାନାଗୋଡ଼ାର ଏମଡି ଇସ୍‌ମାଇଲ (୨୧) ଓ ରଜିଆର ଦେବାଶିଷ ବେହେରା (୨୨)।

Advertisment

ମିଳିଥିବା ସୂଚନା ଅନୁସାରେ, ଚମ୍ପୁଆ ରେଞ୍ଜ ଅଧୀନ ରଜିଆ ପଞ୍ଚାୟତ କଇଁତା ଗ୍ରାମ୍ୟ ଜଙ୍ଗଲରେ ଗତକାଲିଠାରୁ ୨୩ଟି ହାତୀ ଥିଲେ। ସନ୍ଧ୍ୟାରେ ଚାଷଜମିକୁ ଆସି ଫସଲ ଖାଇବା ସହ ଦିନବେଳା ପୁଣି ଜଙ୍ଗଲରେ ଥିଲେ। ଆଜି ଘଉଡ଼ାଇବାକୁ ବନ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ସେଠାରେ ଭିଡ଼ ଜମାଇଥିଲେ। ହୋ’ହଲ୍ଲା ଚାଲିଥିବାବେଳେ ଏହି ୩ ଯୁବକ ହାତୀ ପଛକୁ ଯାଇ ବାଡ଼ିରେ ପିଟିବାକୁ ଉଦ୍ୟମ କରିଥିଲେ। ଜଣେ ହାତୀଟିର ଲାଞ୍ଚକୁ ବାରମ୍ବାର ଟାଣି ଚାଲିଥିଲା। ସେହି ହାତୀଟି ନିକଟରେ ଅନ୍ୟ ହାତୀଗୁଡ଼ିକ ଥିଲେ ମଧ୍ୟ ଏହି ଯୁବକମାନେ ହାତୀକୁ ରଗାଇବାକୁ ପଛାଇ ନଥିଲେ। ଲାଞ୍ଜ ଟାଣିବାମାତ୍ରେ ହାତୀଟି ବାରମ୍ବାର ପଛକୁ ବୁଲି ମାରିବାକୁ ଗୋଡ଼ାଉଥିଲା। ଏଥିରେ ସଂପୃକ୍ତ ଯୁବକମାନେ ଭୟଭୀତ ହେବା ପରିବର୍ତ୍ତେ ପୁଣି ଅଧିକ ଉତ୍ସାହରେ ଲାଞ୍ଜ ଟାଣିବାକୁ ଗୋଡ଼ାଉଥିଲେ। ବନ କର୍ମଚାରୀମାନେ ଏଭଳି ଜୀବନ ସହ ନ ଖେଳିବାକୁ କହିଥ‌ିଲେ ବି ସେମାନେ କିଛି ଶୁଣିନଥିଲେ। ଆଉ ଏଭଳି ଲାଞ୍ଜ ଟଣା, ହାତୀ ସହ ଗୋଡ଼ାଗୋଡ଼ି ହେବାର ଦୃଶ୍ୟକୁ କେତେକ ଲୋକ ନିଜ ମୋବାଇଲ କ୍ୟାମେରାରେ ସୁଟିଂ କରିବାରେ ବ୍ୟସ୍ତ ଥିଲେ। ଶେଷରେ ୩ ଯୁବକଙ୍କୁ ଗିରଫ କରିବା ପରେ ଯାଇ ଏହି ଖେଳ ବନ୍ଦ ହୋଇଥିଲା।

ହାତୀ ଘଉଡ଼ାଇବାକୁ ସେଠାରେ ଚମ୍ପୁଆ ରେଞ୍ଜର ଘନଶ୍ୟାମ ବାରିକ, ଫରେଷ୍ଟର ରଣଜିତ କୁମାର ଜେନା, ପବିତ୍ର କୁମାର ନାଏକ ଓ ସ୍କ୍ବାଡ୍‌ କର୍ମଚାରୀମାନେ ଉପସ୍ଥିତ ଥିଲେ। ବାରଣ ସ‌େତ୍ତ୍ବ ଅମାନିଆ ହେବାରୁ ୩ ଯୁବକଙ୍କୁ ବାଧ୍ୟ ହୋଇ ଗିରଫ କରାଯାଇଥିବା ରେଞ୍ଜର ଶ୍ରୀ ବାରିକ ସୂଚନା ଦେଇଛନ୍ତି।