ସାଙ୍ଗର ଏଟିଏମ୍ ଚୋରି କରି ଲକ୍ଷାଧିକ ଲୁଟ୍ : ୩ ଯୁବକ ଗିରଫ, ୮୦ ହଜାର ଟଙ୍କା ଓ ମୋବାଇଲ ଜବତ

କୋଷାଗୁମୁଡା/ନବରଙ୍ଗପୁର : ବନ୍ଧୁଙ୍କ ଘରୁ ଏଟିଏମ୍‌ କାର୍ଡ ଚୋରି ଲକ୍ଷାଧିକ ଟଙ୍କା ଲୁଟ୍। କିନ୍ତୁ ଏଟିଏମ୍‌ରେ ଲାଗିଥିବା ସିସି କ୍ୟାମେରା ଧରାପକାଇଦେଲା। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବିଏମସେମଲା ଗାଁର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶ୍ବାସରେ ବିଷ ଦେଇ ଜଣେ ବନ୍ଧୁ ଅନ୍ୟ ବନ୍ଧୁର କେତେ କ୍ଷତି କରିପାରେ, ଏହା ତାହାର ଗୋଟିଏ ଉଦାହରଣ ବୋଲି ମତ ପ୍ରକାଶ ପାଇଛି। ଏହି ଘଟଣାରେ ପୁଲିସ ମାଷ୍ଟରମାଇଣ୍ଡ ସମେତ ୩ଜଣଙ୍କୁ ଗିରଫ କରିଛି। ନଗଦ ୮୦ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଜବତ କରିଛି।

ସୂଚନା ଅନୁଯାୟୀ, ଉପରୋକ୍ତ ଗାଁର ନରଞ୍ଜନ ସେମିଳି ଏବଂ ଜୟଦାସ ହିଆଲ ପରସ୍ପରର ଭଲ ବନ୍ଧୁଥିଲେ। ତେଣୁ ଘରକୁ ଯିବା ଆସିବା ଲାଗି ରହୁଥିଲା। ଏମିତି ଯା’ଆସ ମଧ୍ୟରେ ଦିନେ ଜୟଦାସଙ୍କ ନଜର ନିରଞ୍ଜନଙ୍କ ଏଟିଏମ୍‌ କାର୍ଡ ଉପରେ ପଡ଼ିଥିଲା। ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ରହିଥିବାରୁ ଲୋଭକୁ ସମ୍ଭାଳି ନପାରି ଗତମାସ ୨୪ତାରିଖ ଦିନ କାର୍ଡ ଚୋରି କରି ନେଇଥିଲା ଜୟଦାସ। ଦୁଇ ଦିନ ପରେ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ଜରିଆରେ କୋଡ଼ିଙ୍ଗା ଏଟିଏମରୁ ସେମାନେ ଦୁଇଥରରେ ୨୦ହଜାର ଟଙ୍କା ବାହାର କରିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ୧ଲକ୍ଷ ୧୦ ହଜାର ଟଙ୍କା ଉଠାଇ ନିଜ ନିଜ ମଧ୍ୟରେ ଭାଗ ବାଣ୍ଟି ନେଇଥିଲେ। ଜୟଦେବ ମାଷ୍ଟରମାଇଣ୍ଡ ହୋଇଥିବାରୁ ନିଜେ ୬୦ହଜର ଟଙ୍କା ରଖି ବଳକା ଟଙ୍କା ଦୁଇ ସହଯୋଗୀ ରମେଶ ଏବଂ ମଶାଙ୍କୁ ଦେଇଥିଲା। ଟଙ୍କା ନେଇ ଉଭୟ ମାଲକାନଗିରି ଚାଲି ଯାଇଥିଲେ।

ଏଟିଏମ୍‌ କାର୍ଡ ଚୋରି ହେବା ପୂର୍ବରୁ ନିରଞ୍ଜନଙ୍କ ମୋବାଇଲ ଚୋରି ହୋଇଥିଲା। ତେଣୁ ଏଟିଏମ୍‌ରୁ ବାରମ୍ବାର ଟଙ୍କା ଉଠୁଥିଲେ ବି ସେ ଜାଣିପାରୁ ନଥିଲେ। ଗତ ୧୭ତାରିଖ ଦିନ ଟଙ୍କା ଆବଶ୍ୟକ ପଡ଼ିବାରୁ କାର୍ଡ ଖୋଜିବା ବେଳକୁ ଆଉ ପାଇ ନଥିଲେ। ସନ୍ଦେହ ହେବାରୁ ମୋକିଆ ଏସ୍‌ବିଆଇ ଶାଖାକୁ ଯାଇ ଆକାଉଣ୍ଟ ଯାଞ୍ଚ କରିଥିଲେ। ଯାହା ତଥ୍ୟ ମିଳିଥିଲା ତାଙ୍କ ହୋସ୍ ଉଡ଼ାଇ ଦେଇଥିଲା। କାରଣ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ଏଟିଏମ୍ କାର୍ଡ ବ୍ୟବହାର କରି ୧ଲକ୍ଷ ୧୦ହଜାର ଟଙ୍କା ଉଠିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏ ସଂକ୍ରାନ୍ତରେ ଗତ ୨୩ ତାରିଖ ଦିନ କୋଡ଼ିଙ୍ଗା ଥାନାରେ ନିରଞ୍ଜନ ଏତଲା ଦେଇଥିଲେ। କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର କେସ ନଂ ୧୧୭/୨୦ରେ ମାମଲା ରୁଜୁ କରି ତଦନ୍ତ ଦାୟିତ୍ବ ଏସ୍‌ଆଇ ଦେବଦତ୍ତ ମଲ୍ଲିକଙ୍କୁ ଦେଇଥିଲେ। ବ୍ୟାଙ୍କରୁ ଆବଶ୍ୟକ ତଥ୍ୟ ସହ ଏଟିଏମ୍‌ ଗୁଡ଼ିକରେ ଲାଗିଥିବା ସିସି କ୍ୟାମେରାକୁ ଯାଞ୍ଚ କରିବାରୁ ୩ଜଣଙ୍କ ଚେହେରା ସାମ୍ନାକୁ ଆସିଥିଲା। ପୁଲିସ ଜୟଦାସକୁ ଗିରଫ କରି ପଚରାଉଚୁରା କରିବାରୁ ସେ ସବୁକଥା ମାନି ଯାଇଥିଲା। ଏହାପରେ ମାଲକାନଗିରିରୁ ରମେଶ ଏବଂ ମଶାକୁ କାବୁ କରି ସାମ୍ନାସାମ୍ନି ପଚରାଉଚୁରା କରିଥିଲା। ରମେଶ ଓ ମଶା ଠାରୁ ୫୦ ହଜାର ଟଙ୍କା ନଗଦ ଜବତ କରିଥିଲା। ଜୟଦେବ ଠାରୁ ୩୦ହଜାର ଟଙ୍କା ନଗଦ ଏବଂ କିଣିଥିବା ନୂଆ ମୋବାଇଲକୁ ପୁଲିସ ଜବତ କରିଛି। ସେହିପରି ଜୟଦାସ ନିକଟରୁ ୫ଟି ଏଟିଏମ୍ କାର୍ଡ ଜବତ ହୋଇଥିବା ଜଣାପଡ଼ିଛି। ଜବତ କାର୍ଡ ମଧ୍ୟରୁ ୩ଟି ସମ୍ପର୍କୀୟଙ୍କ ଏବଂ ନିରଞ୍ଜନଙ୍କ ଗୋଟିଏ, ଅନ୍ୟଟିରେ ନର୍ମଦା ପଣ୍ଡାଙ୍କ ନାମ ଉଲ୍ଲେଖ ହୋଇଛି। ନର୍ମଦା ପଣ୍ଡା କିଏ ଏବଂ ତାଙ୍କ କାର୍ଡ କେମିତି ଜୟଦାସ ନିକଟକୁ ଆସିଲା ପୁଲିସ ତାହାର ଖୋଳତାଡ଼ କରୁଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର