କଟକ: ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଅଭିଯୋଗ

କଟକ: କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କଟକ ଗସ୍ତ ସମୟରେ ଯୋବ୍ରା ବ୍ୟାରେଜ୍‌ ନିକଟରେ କଳାପତାକା ପ୍ରଦର୍ଶନ କରିବା ସହିତ ଅଣ୍ଡା ମାଡ଼ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୩୦ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି।

ସୂଚନାଯୋଗ୍ୟ ଯେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଟକ ସହର ଏଲଇଡି ଆଲୋକୀକରଣ କାର୍ଯ୍ୟର ଶୁଭାରମ୍ଭ ସହିତ କଟକ ସିଡ଼ିଏ ସେକ୍ଟର-୭ ଅଞ୍ଚଳରେ ୩୦ ଶଯ୍ୟା ବିଶିଷ୍ଟ ସହର ଗୋଷ୍ଠୀ କେନ୍ଦ୍ରର ଉଦ୍‌ଘାଟନ ପାଇଁ କଟକ ଆସିଛନ୍ତି। ଏତଦ୍‌ବ୍ୟତୀତ କଟକ ବଡ଼ ଡାକ୍ତରଖାନା ପରିସରରେ ୧୫ଶହ ଆସନ ବିଶିଷ୍ଟ ଅଡିଟୋରିୟମ୍ ,ବିଏସସି ନର୍ସିଂ କଲେଜ କୋଠା, ନର୍ସିଂ ଛାତ୍ରୀଙ୍କ ହଷ୍ଟେଲ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଟକରେ ପହଞ୍ଚିଛନ୍ତି।

ତେବେ ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୁଲିସ ସାଇରନ୍‌ ମାରି ଯୋବ୍ରା ପାଖରେ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଭାବି ପୁଲିସ ଗାଡ଼ି ଉପରକୁ ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ। ସଙ୍ଗେ ସଙ୍ଗେ ପୁଲିସ ବିକ୍ଷୋଭକାରୀମାନଙ୍କୁ ଧରି ନେଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସେହି ରାସ୍ତା ଦେଇଯାଇଥିଲା।

ସମ୍ବନ୍ଧିତ ଖବର