୯ ଜିଲ୍ଲାର ୩୦ ବ୍ଲକ ଓମ୍‌ବାଡ୍‌ସି ପରିସରଭୁକ୍ତ

୧୫ ଦିନରେ ସଂଶୋଧିତ ପ୍ରକଳ୍ପ ପ୍ରସ୍ତାବ ଦେବାକୁ ନିର୍ଦେଶ

ଭୁବନେଶ୍ୱର : ଓଡ଼ିଶା ଖଣି ସଂପଦ ଅଞ୍ଚଳ ବିକାଶ ନିଗମ ବା ଓମ୍‌ବାଡ୍‌ସି ଅଧୀନକୁ ୯ଟି ଜିଲ୍ଲାର ୩୦ ବ୍ଲକ ଅନ୍ତର୍ଗତ ୧୨୪ ଗ୍ରାମପଞ୍ଚାୟତକୁ ନିଆଯାଇଛି। ଏସବୁ ଅଞ୍ଚଳରେ ନିଗମର ବିକାଶ କାର୍ଯ୍ୟକ୍ରମ କରାଯିବ। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏସବୁ ଅଞ୍ଚଳ ଓମ୍‌ବାଡ୍‌ସି ପରିସରଭୁକ୍ତ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ଚିହ୍ନଟ ହୋଇଥିବା ଏସବୁ ଅଞ୍ଚଳର ମୌଳିକ ଆବଶ୍ୟକତାଗୁଡ଼ିକୁ ଦୃଷ୍ଟିରେ ରଖି ସଂଶୋଧିତ ପ୍ରକଳ୍ପ ପ୍ରସ୍ତାବ ଦେବାକୁ ସଂପୃକ୍ତ ବିଭାଗ ମୁଖ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ। ଆସନ୍ତା ୧୫ ଦିନ ମଧ୍ୟରେ ସେହି ବିଭାଗଗୁଡ଼ିକ ପ୍ରକଳ୍ପ ପ୍ରସ୍ତାବ ଦେବାକୁ କୁହାଯାଇଛି।

ଆଜିର ନିଷ୍ପତ୍ତି ମୁତାବକ ଓମ୍‌ବାଡ୍‌ସି ପରିସରଭୁକ୍ତ ଅଞ୍ଚଳରେ ସହରାଞ୍ଚଳ ଥିଲେ ବି ସେଗୁଡ଼ିକୁ ବିକାଶ ପ୍ରକ୍ରିୟାରେ ସାମିଲ କରାଯିବ। ପାନୀୟଜଳ, ଗୃହ ନିର୍ମାଣ, ପରିମଳ, ରାସ୍ତାଘାଟ, ଜୀବିକା ସୁଯୋଗ, ମାତୃ ଏବଂ ଶିଶୁମୃତ୍ୟୁ ହାର ହ୍ରାସ, ପ୍ରାକୃତିକ ପରିବେଶର ବିକାଶ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦେଶ ଦିଆଯାଇଛି। ଓମ୍‌ବାଡ୍‌ସି ପରିଚାଳନା ନିର୍ଦେଶିକା ଉମା ନନ୍ଦୁରୀଙ୍କ ତଥ୍ୟ ଅନୁଯାୟୀ ମେ’ ମାସ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୨୯୮୨୮ଟି ଗୃହ ନିର୍ମାଣ କରାଯିବାର ଲକ୍ଷ୍ୟ ରହିଛି। ଏଥିମଧ୍ୟରୁ ୧୫୩୨୧ଟି ଘର ନିର୍ମାଣ ସଂପୂର୍ଣ୍ଣ ହୋଇଛି। ସେହିପରି ମଞ୍ଜୁରି ମିଳିଥିବା ୨୪୪ଟି ପାନୀୟଜଳ ପ୍ରକଳ୍ପ ମଧ୍ୟରୁ ୨୫ଟି ସରିଛି। ଆହୁରି ୧୪୦ଟି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ବର୍ତମାନ ସୁଦ୍ଧା ବିଭିନ୍ନ ପ୍ରକଳ୍ପରେ ବିନିଯୋଗ ହୋଇଛି ୩୪.୫୫ କୋଟି ଟଙ୍କା। ବୈଠକରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର