ବନ୍ଦ ହୋଇଯିବ ୩୦ ସିନେମା ହଲ୍‌!

ଆଗରୁ ଓଡ଼ିଆ ଫିଲ୍ମ ୮ ସପ୍ତାହ ଚାଲୁଥିଲା, ଏବେ ଗୋଟେ ସପ୍ତାହ ରହୁନି

ଭୁବନେଶ୍ବର : ଓଡ଼ିଶାରେ ମାଡ଼ ହୋଇଥିବା ୧୯୯୯ ମହାବାତ୍ୟା ସିନେମା ହଲ୍‌ର ମେରୁଦଣ୍ଡ ‌ଭାଙ୍ଗି ଦେଇଥିଲା। ଏମିତି ଶକ୍ତ ଧକ୍କା ଦେଲା ଯେ ସେହିବର୍ଷ ୫୦ରୁ ଅଧିକ ସିନେମା ହଲ୍‌ ଆଉ ଅଣ୍ଟା ସଳଖିବାକୁ ସାହସ କଲେ ନାହିଁ। ଏବେ ସ୍ଥିତି ତା’ଠୁ ବଳିଯାଇଛି। ଦିନେ କି ମାସେ ନୁହେଁ, ଦୀର୍ଘ ୪ ମାସ ହେଲା ସିନେମା ହଲ୍‌ ବନ୍ଦ। ଏହା ଭିତ୍ତିଭୂମି ସିନା ବିଗାଡ଼ିଲା ନାହିଁ, କିନ୍ତୁ ‌ଏମିତି ଆର୍ଥିକ ବୋଝ ଲଦି ଦେଲାଣି ଯେ ଆଉ ଚଳେଇବା ସପକ୍ଷରେ ନାହାନ୍ତି ଅନେକ ସ୍ବତ୍ତ୍ବାଧିକାରୀ। କର୍ମଚାରୀଙ୍କୁ ଦରମା ଦେବା ତ ଦୂରର କଥା ବିଦ୍ୟୁତ ଦେୟ ସେମାନଙ୍କୁ ଚିନ୍ତାରେ ପକାଇଲାଣି। ଦିନ ଥିଲା ଓଡ଼ିଶାରେ ୩ଶହ ପାଖାପାଖି ସିନେମା ହଲ୍‌ ଥିଲା। ମାତ୍ର ଏବେ ଏହା ୯୦କୁ ଖସି ଆସିଲାଣି। ନିକଟରେ କଟକର ଜୟଶ୍ରୀ, ବାରିପଦାର ସର୍ବପୁରାତନ କେଏମବିଏମ ଓ ପୁରୀର ଜନତା ସିନେମା ହଲ୍‌ ବନ୍ଦ ହେଇଯିବା କଥା ତ ଆପଣ ଶୁଣିଛନ୍ତି। ତେବେ ବିଡ଼ମ୍ବନା ଏହି ଯେ ନିକଟ ଭବିଷ୍ୟତରେ ୩୦ରୁ ଅଧିକ ସିନେମା ହଲ୍‌ରେ ତାଲା ଝୁଲିବାକୁ ଯାଉଛି। ସିନେମା ହଲ୍‌ ଚଳାଉଥିବା କିଛି ସ୍ବତ୍ତ୍ବାଧିକାରୀଙ୍କ ସୂତ୍ରରୁ ହିଁ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି।

NewsClick

ସିନେମା ହଲ ବନ୍ଦ ହେବା ପଛରେ ମଲ୍‌ଟିପ୍ଲେକ୍ସର ପ୍ରବେଶ ଅନ୍ୟ ଏକ କାରଣ ହୋଇଥିଲେ ମଧ୍ୟ ଗୁଣାତ୍ମକ ଓଡ଼ିଆ ସିନେମା ନିର୍ମାଣରେ ରୋକ୍‌ ଲାଗିବା ମୁଖ୍ୟ କାରଣ ବୋଲି ସିନେ ସମୀକ୍ଷକ ଯୁକ୍ତି ବାଢ଼ିଛନ୍ତି। ଯେବେଠୁ ଅଣ ପେସାଦାର ବ୍ୟକ୍ତି ଫିଲ୍ମ ପ୍ରଯୋଜନା କରିବାକୁ ଆସିଲେ ଏବଂ ପେସାଦାର ପ୍ରଯୋଜକମାନେ ମୁହଁ ଫେରେଇ ନେଲେ ସେବେଠୁ ହିଁ ଓଡ଼ିଆ ସିନେମା ଶିଳ୍ପର ଅଧୋଗତି ଆରମ୍ଭ ହୋଇଥିଲା। ଅଲ୍‌ ଓଡ଼ିଶା ସିନେମା ହଲ୍‌ ସ୍ବତ୍ତ୍ବାଧିକାରୀ ସଂଘର ସଭାପତି ତଥା ଶ୍ରୀୟା ସିନେମା ହଲ୍‌ର ସ୍ବତ୍ତ୍ବାଧିକାରୀ ବିଜେନ୍ଦ୍ର କୁମାର ମହାନ୍ତି କହିଛନ୍ତି, ଏ ଅବସ୍ଥା ୧୯୯୯ ମହାବାତ୍ୟା ପରଠୁ ଦେଖା ଦେଇଛି। ବାସ୍ତବରେ ଗୋଟିକିଆ ଥିଏଟରରେ ଅଧିକାଂଶ ଦର୍ଶକ ଓଡ଼ିଆ ଫିଲ୍ମ ଦେଖିବା ଉଦ୍ଦେଶ୍ୟରେ ଆସନ୍ତି। ଏହା ହିଁ ଓଲିଉଡ୍‌ର ଭାର ନେଇ ଆସିଛି। ମାତ୍ର ତୁଳନାତ୍ମକ ଦୃଷ୍ଟିରୁ ଏବେ ନିର୍ମିତ ହେଉଥିବା ଓଡ଼ିଆ ସିନେମା କିଛି ନୂତନତ୍ବ ଦେଇପାରୁନାହିଁ। ବରଂ ତେଲୁଗୁ ସିନେମାକୁ କପି କରିବାର ଧାରାରେ ଫିଲ୍ମ ନିର୍ମାତାମାନେ ବୁଡ଼ି ରହିଛି। ଫିଲ୍ମଟିଏ କରିବା ପାଇଁ ଯେଉଁ ନିଷ୍ଠା ଏବଂ ଭଲ ସିନେମା ଭେଟି ଦେବା ପାଇଁ ଯେଉଁ ପରିଶ୍ରମ କରାଯିବା କଥା ତାହା ହେଉନାହିଁ। ଏଥିପାଇଁ ସିନେମା ହଲ୍‌ ବନ୍ଦ ହୋଇଯିବା ମଧ୍ୟ ଅନୁରୂପ ଭାବେ ଦାୟୀ। ତେବେ ଯଦି ଓଡ଼ିଆ ସିନେମା ନିକଟ ଭବିଷ୍ୟତରେ କିଛି ନୂତନତ୍ବ ଭେଟି ନଦିଏ ଏବଂ ଉନ୍ନତ ଧରଣର ଫିଲ୍ମ ନିର୍ମାଣ ନକରେ ତେବେ ଓଡ଼ିଆ ସିନେମାରୁ ଦର୍ଶକ ସବୁଦିନ ପାଇଁ ମୁହଁ ଫେରାଇ ନେବାର ସମ୍ଭାବନା ରହିଛି। ତେଣୁ ପେସାଦାର ମନୋଭାବ ରଖୁଥିବା ପ୍ରଯୋଜକ ଓ ନିର୍ଦେଶକମାନେ ହିଁ ଭଲ ଫିଲ୍ମ ଭେଟିଦେବା ପାଇଁ ଆଗେଇ ଆସିବା ଉଚିତ୍‌। ତେବେ ଯାଇ ସିନେମା ହଲ୍‌ ସୁରକ୍ଷିତ ରହିବ ଏବଂ ଓଡ଼ିଆ ସିନେମା ଆଗକୁ ତିଷ୍ଠି ପାରିବ।

ବିଡ଼ମ୍ବନା ହେଉଛି, ଏହି ସିନେମା ଶିଳ୍ପ ହିଁ ଅନେକଙ୍କୁ ପରିଚୟ ଦେଇ ରାଜନୀତିରେ କ୍ଷମତାସୀନ ହେବାକୁ ବାଟ ‌ଦେଖାଇଛି। ମାତ୍ର ଯେଉଁମାନେ ଏହି ରୂପେଲି ପରଦାରେ ପାଦ ଥାପି ସରକାର ଓ ବିରୋଧୀ ଦଳରେ ନିଜ ସ୍ଥିତିକୁ ମଜଭୁତ କରିଛନ୍ତି ସେମାନେ ସେଇ ସିନେମା ଶିଳ୍ପର ଋଗ୍‌ଣ ସ୍ଥିତିକୁ ଏତେ ବର୍ଷ ହେଲା ସୁଧାରିବାକୁ ସେମିତି ଆଗ୍ରହ କିମ୍ବା ସକ୍ରିୟ ଯୋଗଦାନ ଦେଇନାହାନ୍ତି। ବଡ଼ କଥା ହେଉଛି ଯେଉଁ ସିନେମା ହଲ୍‌ ମାନ୍ଦା ଚାଲୁଥିଲା, ଏବେ ପୁଣି ୪ ମାସ ବନ୍ଦ ରହିବା ପରେ ସେମାନେ ବିକଳ୍ପ ଚିନ୍ତା କଲେଣି। ତେଣୁ ଅନ୍ତତଃ ସିନେମା ଜଗତ ଉଚ୍ଚ ସୋପାନରେ ପହଞ୍ଚାଇଥିବା ତାରକାମାନେ ଏ କ୍ଷେତ୍ରକୁ ସଜାଡ଼ିବାକୁ ଆଗେଇ ଆସନ୍ତୁ ବୋଲି ସିନେ ସମୀକ୍ଷକମାନେ ଆହ୍ବାନ ଦେଇଛନ୍ତି।


Reel Chicago

ଆଗରୁ ଓଡ଼ିଆ ଫିଲ୍ମ ୮ ସପ୍ତାହ ଚାଲୁଥିଲା, ଏବେ ଗୋଟେ ସପ୍ତାହ ରହୁନି
ସିନେମାଟିଏ ହଲ୍‌ରେ ଚାଲିବା ପାଇଁ ଗୋଟେ ସୋ’ ବାବଦରେ ୧୦ ହଜାର ଟଙ୍କା ଖର୍ଚ୍ଚ ହୁଏ। ବିଦ୍ୟୁତ ଶକ୍ତି, ହଲ୍‌ ପରିଚାଳନା, କର୍ମଚାରୀଙ୍କ ଦରମା ଓ ଅନ୍ୟ ଖର୍ଚ ବାବଦରେ ଏହି ଅର୍ଥ ବ୍ୟୟ କରିବାକୁ ପଡ଼େ। କିନ୍ତୁ ଏମିତି ବି ସିନେମା ନିର୍ମିତ ହେଉଛି; ଯାହା ଗୋଟିଏ ସପ୍ତାହ ଚାଲିପାରୁନି। ପୁଣି ବେଳେବେଳେ ୧୦ ଜଣ ଦର୍ଶକ ବି ହେଉନାହାନ୍ତି। ତେଣୁ ସେଇ ସୋ’ ପାଇଁ ଯେଉଁ ଲ୍ୟାମ୍ପ (ଫିଲ୍ମ ଚାଲିବା ପାଇଁ)ଟି ଲାଗିଛି ସେଥପାଇଁ ବ୍ୟୟ ହେଉଥିବା ୧୨ଶହ ଟଙ୍କା ମଧ୍ୟ ଉଠୁନାହିଁ।

ଏକ ସିନେମା ହଲ୍‌ର ପରିଚାଳକଙ୍କ କହିବା ମୁତାବକ, ଆଗରୁ ଓଡ଼ିଆ ଫିଲ୍ମଟିଏ ସିନେମା ହଲ୍‌କୁ ଆସିଲେ, ତାହା ଅନ୍ୟୂନ ୮ରୁ ୧୦ ସପ୍ତାହ ରହୁଥିଲା। ଏବେ କିନ୍ତୁ ୮୦ ପ୍ରତିଶତରୁ ଅଧିକ ସିନେମା ୨-୩ ଦି‌ନରେ ସିନେମା ହଲ୍‌ରୁ ଉଠାଇବାକୁ ଆମେ ବାଧ୍ୟ ହେଉଛୁ। ସଂପ୍ରତି ଭୁବନେଶ୍ବରରେ ୨୫ରୁ ଅଧିକ ସ୍କ୍ରିନ ହେଲାଣି। ସେହି ଅନୁସାରେ ଦିନକୁ ୧୫୦ରୁ ଅଧିକ ସୋ’ ହେଉଛି। ହିନ୍ଦୀ ଫିଲ୍ମଟିଏ ଚଲାଇଲେ ବି ଶୁକ୍ର, ଶନି ଓ ରବିବାରକୁ ଅପେକ୍ଷା କରିବାକୁ ପଡ଼ୁଛି। ଏ ସଂପର୍କରେ ମଧ୍ୟ ଚିନ୍ତା କରିବା ନିତାନ୍ତ ଜରୁରି ବୋଲି ସିନେ ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର