ରାଜ୍ୟରେ କରୋନାର ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣ : ପ୍ରତ୍ୟେକ ସଂକ୍ରମିତଙ୍କ ୩୦ କଣ୍ଟାକ୍ଟ ‌ଟ୍ରେସିଂ ନିର୍ଦ୍ଦେଶ

ରାଜ୍ୟରେ ଆଉ ୪୬୧ ଆକ୍ରାନ୍ତ
ଆଣ୍ଟିଜେନ୍ କିଟ୍‌ରେ ନେଗେଟିଭ୍ ହେଲେ ଆର୍‌ଟି-ପିସିଆର୍‌‌ ପରୀକ୍ଷା କର
ପୁଣିଥରେ ଖୋଲିବ ‘ଫିଭର କ୍ଲିନିକ୍‌’
ଶଯ୍ୟା ସହ ଅକ୍ସିଜେନ୍, ଆଇସିୟୁ, ଲେବର ରୁମ୍ ପ୍ରସ୍ତୁତ ରଖ

ଭୁବନେଶ୍ବର : ସଂକ୍ରମିତ ଚିହ୍ନଟ ହେଉଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୫-୩୦ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ସହିତ ଆର୍‌ଟି-ପିସିଆର୍‌ ପରୀକ୍ଷା କର। ‘ପୁଣିଥରେ ଫିଭର କ୍ଲିନିକ୍‌’ ଖୋଲିବା ସହିତ ଯେଉଁମାନେ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ରେ ନେଗେଟିଭ୍ ଚିହ୍ନଟ ହେଉଛନ୍ତି ସେମାନଙ୍କର ମଧ୍ୟ ପୁନର୍ବାର ଆର୍‌ଟି-ପିସିଆର୍‌ ପରୀକ୍ଷା କର। ଏସ୍‌ଏଆରଆଇ/ଆଇଏଲଆଇ, ଦ୍ରୁତ ସଂକ୍ରମଣ ଅଞ୍ଚଳ କିମ୍ବା ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖ। ଏହାସହ ସଂକ୍ରମଣ ଅବରୋଧ ଅଞ୍ଚଳରେ ଥିବା ସମସ୍ତ ବ୍ୟକ୍ତିଙ୍କ କୋଭିଡ ପରୀକ୍ଷା କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଆଜି ସବୁ ସିଡିଏମ୍‌ଓ, କ୍ୟାପିଟାଲ ଓ ଆରଜିଏଚ୍‌ର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରିବା ସହିତ ଆବଶ୍ୟକ ପଦେକ୍ଷପ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ କରୋନାର ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଦୁଇ ସପ୍ତାହର ବ୍ୟବଧାନରେ ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଶହେରୁ ୫ଶହ ମୁହାଁ ହୋଇଛି। ଏଭଳି ପରିସ୍ଥିତିରେ ସଂକ୍ରମିତ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ଆର୍‌ଟି-ପିସିଆର୍‌ ପରୀକ୍ଷା ଓ କଣ୍ଟାକ୍ଟ ଟ୍ରେସିଂକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଜିଲ୍ଲାସ୍ତରରେ ଯେଉଁ ଆର୍‌ଟି-ପିସିଆର୍‌ ନମୁନା ସଂଗ୍ରହ କରାଯାଉଛି ତାହା ପରଦିନ ଯେପରି ପରୀକ୍ଷାଗାରରେ ପହଞ୍ଚିବ ତାହାର ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ଯାହାଫଳରେ ୪୮ଘଣ୍ଟା ଭିତରେ ନମୁନାର ଫଳାଫଳ ସ୍ପଷ୍ଟ ହୋଇପାରିବ। ସେହିପରି ଯେଉଁ ଅଞ୍ଚଳରେ ଏସ୍‌ଏଆରଆଇ/ଆଇଏଲଆଇରେ ଆକ୍ରାନ୍ତ ଥିବା ଲୋକ ନଜରକୁ ଆସୁଛନ୍ତି ସେଠାରେ ସ୍ବତନ୍ତ୍ରଭାବେ ‘ଫିଭର କ୍ଲିନିକ୍’ ଖୋଲାଯାଉ। କରୋନା ସନ୍ଦେହ କିମ୍ବା ରୋଗୀ ଚିହ୍ନଟ ହେଉଥିବା ବ୍ୟକ୍ତିମାନଙ୍କ ସ୍ଥାନାନ୍ତରଣ ପାଇଁ ଆମ୍ବୁଲାନ୍‌ସ ଓ ଗମନାଗମନ ବ୍ୟବସ୍ଥା ନେଇ ପଦକ୍ଷେପ ନେବା ଲାଗି କୁହାଯାଇଛି। ଜିଲ୍ଲା/ଉପଖଣ୍ଡ/ଗୋଷ୍ଠୀସ୍ତରୀୟ ହସ୍ପିଟାଲରେ ପୃଥକବାସ ବ୍ୟବସ୍ଥା ରଖିବା ସହିତ ଅକ୍ସିଜେନ୍, ଆଇସିୟୁ ଯେପରି ସଙ୍ଗେ ସଙ୍ଗେ କାର୍ଯ୍ୟକ୍ଷମ ହୋଇପାରିବ ଏ ନେଇ ପଦକ୍ଷେପ ନିଆଯାଉ।

ସେହିପରି ଆୟୁଷ ଡାକ୍ତରଙ୍କୁ ନେଇ ଜିଲ୍ଲା‌ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କଣ୍ଟ୍ରୋଲ ରୁମ୍‌ରେ ଥିବା ଡାକ୍ତର ପ୍ରତ୍ୟେକ ରୋଗୀମାନଙ୍କୁ ଡାକ୍ତରୀ ସହାୟତା ଦେବା ସହିତ ସମସ୍ତ ତଥ୍ୟ ଅତିକମ୍‌ରେ ୧୦ଦିନ ପର୍ଯ୍ୟନ୍ତ ରଖିବେ ତାହା ପାଇଁ ବ୍ୟବସ୍ଥା କରିବେ। ଜିଲ୍ଲାରେ ଥିବା ରାପିଡ୍ ରେସପନ୍‌ସ ଟିମ୍ ବା ଆରଆର୍‌ଟି ସଂକ୍ରମିତମାନଙ୍କୁ ‘ଫାଭିପିରାବିର’ ବଟିକା ସହିତ ନିୟମିତ ବ୍ୟବଧାନରେ ଯେପରି ନିରୀକ୍ଷଣ କରିବେ ତାହାକୁ ଗୁରୁତ୍ବ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଔଷଧ ନିଗମ ସହିତ ଆଲୋଚନା କରି ଅକ୍ସିଜେନ୍, ଔଷଧ, ପରୀକ୍ଷା ସାମଗ୍ରୀ ଓ ପିପିଇ କିଟ୍‌ ସଂରକ୍ଷିତ ରହିବା ସହିତ କରୋନା ମୃତ୍ୟୁ ସଂଖ୍ୟା ଯଥାସମ୍ଭବ କମ୍ କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବା ସହିତ ରୋଗୀଙ୍କ ପାଇଁ ଆବଶ୍ୟକ ଆଇସିୟୁ, ଏଚ୍‌ଡିୟୁ, ଡାଏଲିସିସ୍, ଲେବର ରୁମ୍ ପ୍ରଭୃତି ପ୍ରସ୍ତୁତ ରଖିବା ଲାଗି କୁହାଯାଇଛି। ସେହିପରି ଯୁଦ୍ଧକାଳୀନ ଭିତ୍ତିରେ ଜଟିଳ ରୋଗ ଥିବା ଲୋକଙ୍କ ଟିକାକରଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।

ଅପରପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକି ଚଳିତବର୍ଷର ସର୍ବାଧିକ ସଂକ୍ରମଣ। ଏଥିରେ ନୂଆପଡ଼ାରୁ ସର୍ବାଧିକ ୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୬୯, ସୁନ୍ଦରଗଡ଼ ୬୨, କଳାହାଣ୍ଡି ୩୬, ବରଗଡ଼ ୩୨, ଅନୁଗୁଳ ୨୭, କଟକ ୨୨ ଓ ଷ୍ଟେଟ୍‌ ପୁଲରୁ ୧୫ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ‌ମୋଟ ସଂକ୍ରମଣ ୩ଲକ୍ଷ ୪୧ହଜାର ୭୭୨କୁ ବୃଦ୍ଧି ପାଇଛି। ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଦ୍ରୁତ ସଂକ୍ରମଣ ଆରମ୍ଭ ହୋଇଯାଇଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଦ୍ରୁତ ସଂକ୍ରମଣର ପ୍ରଭାବ ଏସବୁ ଜିଲ୍ଲା ଉପରେ ପଡ଼ୁଛି। ଏକାଧିକ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକମାନଙ୍କୁ ଛତିଶଗଡ଼ ନ ଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ବେ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢ଼ି ଚାଲିଛ। ଯଦିଓ ରାଜ୍ୟରେ କରୋନାର ସଂକ୍ରମଣ ବଢ଼ି ଚାଲିଛି, ମାତ୍ର ମୃତ୍ୟୁ ସଂଖ୍ୟା ପୂର୍ବଭଳି ସ୍ଥିର ରହିଛି। ରାଜ୍ୟରେ ଆଜି ୨୧୮ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୪୩୦ରେ ପହଞ୍ଚିଛି। ରାଜ୍ୟରେ ଗତ ୨୪ଘଣ୍ଟା‌ରେ ୩୦,୭୧୬ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଥିଲା। ଏଥିରେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୧.୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୯୧ଲକ୍ଷ ୩ହଜାର ୯୪୮ ନମୁନା ପରୀକ୍ଷା ହୋଇ ସାରିଲାଣି।

ସମ୍ବନ୍ଧିତ ଖବର