ମନ୍ତ୍ରୀଙ୍କୁ ନା…ବାବୁଙ୍କ ପାଇଁ ହାତଖୋଲା, ଲୋକସେବା ଭବନର ଚେହେରା ବଦଳିବ

ସବୁ ଅଧିକାରୀଙ୍କ ଚାମ୍ବର୍‌ ନୂଆ ରୂପ ପାଇବ, ଖର୍ଚ୍ଚ ହେବ ପ୍ରାୟ ୩୦ କୋଟି ଟଙ୍କା

ଭୁବନେଶ୍ବର: କୌଣସି ମନ୍ତ୍ରୀ ତାଙ୍କ ଚାମ୍ବର (ପ୍ରକୋଷ୍ଠ)ର ନବୀକରଣ କରିପାରିବେନି। ସରକାର ଖର୍ଚ୍ଚ କାଟ୍‌ କରୁଛନ୍ତି। ସେଥିପାଇଁ ମନ୍ତ୍ରୀମାନେ ପୁରୁଣା ପ୍ରକୋଷ୍ଠରେ କାମ କରିବେ। ଗତ ବର୍ଷ ମେ’ ମାସରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ପରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏମିତି ମନ୍ତବ୍ୟ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶର ବର୍ଷେ ପୂରିନି। ମନ୍ତ୍ରୀମାନଙ୍କ ପାଇଁ ଯେଉଁ କାମକୁ ପୂର୍ତ୍ତ ବିଭାଗ ମନା କରିଥିଲା, ବାବୁମାନଙ୍କ କ୍ଷେତ୍ରରେ ସେହି କାମ ପାଇଁ ହାତ ଖୋଲି ଦେଇଛି। ଲୋକସେବା ଭବନରେ ସଚିବ ଏବଂ ସମସ୍ତ ଅଧିକାରୀମାନଙ୍କ ପ୍ରକୋଷ୍ଠକୁ ନୂଆ ରୂପ ଦେବାକୁ ‌ନିଷ୍ପତ୍ତି ନିଆଯାଇଛି। ଏପରିକି ପୂରା ଲୋକସେବା ଭବନର ଭିତର ଡିଜାଇନ୍ ବଦଳାଇଦେବାକୁ ଯୋଜନା ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଲୋକସେବା ଭବନର ପୁନରୁଦ୍ଧାର ଓ ରିମଡେଲିଂ ପାଇଁ ଆବଶ୍ୟକ ପ୍ରାୟ ୨୫ରୁ ୩୦କୋଟି ଟଙ୍କା ଆସିବ କେଉଁଠୁ? ମନ୍ତ୍ରୀମାନଙ୍କ ପ୍ରକୋଷ୍ଠର ନବୀକରଣ ପାଇଁ ଟଙ୍କା ନ ଥିଲା ବେଳେ ସଚିବମାନଙ୍କ ପ୍ରକୋଷ୍ଠ ନବୀକରଣ ପାଇଁ କେମିତି ଟଙ୍କା ଯୋଗାଡ଼ ହୋଇଗଲା? ତଥାକଥିତ ଖର୍ଚ୍ଚ କାଟ କେବଳ ପ୍ରହସନ ନୁହେଁ କି?

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଲୋକସେବା ଭବନର ନବୀକରଣ ଓ ରିମଡେଲିଂ ନେଇ ନିଷ୍ପତ୍ତିି ହୋଇଛି। ପୂର୍ତ୍ତ ବିଭାଗ ଏହି ଯୋଜନାକୁ ରୂପ ଦେବ। ସାରା ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ି ଚାଲିଥିବା ବେଳେ ଏହାର ପ୍ରତିକାର ପାଇଁ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ରାସ୍ତା ନିର୍ମାଣ, ରାସ୍ତା ଡିଜାଇନ୍ ବଦଳାଇବା, ଷ୍ଟ୍ରିଟ୍‌ଲାଇଟ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପୂର୍ତ୍ତ ବିଭାଗ ଏ ଦିଗରେ ପଦକ୍ଷେପ ନେବା ବଦଳରେ ଏବେ କୋଠା ନବୀକରଣରେ ମାତିଛି। ଲୋକସେବା ଭବନରେ ପୂର୍ତ୍ତ ବିଭାଗ ବର୍ଷକୁ ପ୍ରାୟ ୫ରୁ ୬କୋଟି ଟଙ୍କାର ମରାମତି କାମ କରୁଥିବା ବେଳେ ଏଥିରେ ଆଜି ପର୍ଯ୍ୟନ୍ତ ନବୀକରଣ ଓ ରିମଡେଲିଂ ହୋଇପାରିଲାନି ଯେ ଏଥି ପାଇଁ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ ହେବ। ଆଶ୍ଚର୍ଯ୍ୟର ବିଷୟ ଲୋକସେବା ଭବନ‌େର ଚଳିତ ବର୍ଷ ପ୍ରାୟ ୩ କୋଟିରୁ ଅଧିକ ଟଙ୍କାର ମରାମତି କାମ ହୋଇଥିବା ବେଳେ ଏହାକୁ ଭାଙ୍ଗି ପୁଣି ରିମଡେଲିଂ କାମ କରାଯିବ। ଏପରିକି ଜାନୁଆରି ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଲା ପରେ ବି ଲୋକସେବା ଭବନରେ ଲକ୍ଷ ଲକ୍ଷ ଟଙ୍କାର କାମ ଚାଲିଛି। ଆର୍ଥିକ ବର୍ଷ ଶେଷ ହେବାକୁ ଥିବାରୁ କେମିତି ମିଳିଥିବା ଟଙ୍କା ଖର୍ଚ୍ଚ ହେବ ସେ ନେଇ ସମସ୍ତେ ଲାଗିପଡ଼ିଛନ୍ତି। ହେଲେ ବିଭାଗୀୟ ଅଧିକାରୀମାନଙ୍କ ଦୂରଦୃଷ୍ଟି ଅଭାବରୁ ରାଜକୋଷରୁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ଏବେ ପାଣିରେ ପଡ଼ିବାକୁ ଯାଉଛି। ଗତ ୫ ବର୍ଷରେ ପ୍ରାଖାପାଖି ୩୦ କୋଟି ଟଙ୍କା ଲୋକସେବା ଭବନ ତଥା ପୂର୍ବର ସଚିବାଳୟର ମରାମତି ପାଇଁ ଖର୍ଚ୍ଚ ହୋଇଥିବାବେଳେ ଏବେ ବର୍ଷକରେ ପ୍ରାୟ ୩୦ କୋଟି ଖର୍ଚ୍ଚ କରି ଲୋକସେବା ଭବନର ରୂପ ବଦଳାଇବାକୁ ଯୋଜନା ହେଉଛି। ଲୋକସେବା ଭବନର ବାହାର କରିଡର, ଭିତର କରିଡର ଏବଂ ପାର୍କିଂ ବ୍ୟବସ୍ଥା ବି ବଦଳିବ।

Telegraph

ପୂର୍ତ୍ତ ବିଭାଗର ପ୍ରସ୍ତାବ ଅନୁଯାୟୀ ବାହାର କରିଡର୍‌ରେ ସମସ୍ତ ସେବା, ୟୁଟିଲିଟି ଲାଇନ୍‌ସ୍‌ ରହିବ। ବାହାର କରିଡରର ସିଲିଂକୁ କେବଳ ଧଳା ରଙ୍ଗ କରାଯିବ। ‌ଯେତିକି ଟାଇଲ୍ ପଡ଼ିଛି ସବୁକୁ ତାଡ଼ି ଦିଆଯିବ। ଏଠାରେ ପାଦ ନ ଖସିବା ଭଳି ଟାଇଲ୍‌ ପଡ଼ିବ। ଆଉ କାନ୍ଥ ଓ ଚଟାଣକୁ ମ୍ୟାଚିଂ କରି ଷ୍ଟୋନ୍-କ୍ଲାଡ୍‌ କରିଡର ପ୍ୟାନେଲିଂ କରାଯିବ। ସବୁ ବିଭାଗରେ ଲାଗିଥିବା ଏସି ଯେମିତି ବାହାରକୁ ଦେଖା ନ ଯିବ ସେଥିପାଇଁ ପୁରୁଣା ଏସିକୁ କାଢ଼ି ଭିଆର୍‌ଭି ୟୁନିଟ ଲାଗିବ। କରିଡରରେ ଦୁଇ ମିଟରର ରିଟ୍ରାକ୍ଟେବଲ୍ ଟେନସିଲ୍‌ ଫେବ୍ରିକ ଅନିଙ୍ଗ୍‌ ଲାଗିବ, କରିଡରରେ ଲାଗିଥିବା ଆଲୁମିନିୟମ୍ ଝରକା ଫ୍ରେମ୍‌କୁ କାଢ଼ି ଗୋଟିଏ ଡିଜାଇନ୍‌ର ଫ୍ରେମ୍ ଲାଗିବ। ସେହିପରି ଭିତର କରିଡରରେ ଅର୍ଥାତ୍‌ ସଚିବମାନଙ୍କ ପ୍ରକୋଷ୍ଠ ଏବଂ ସେମାନଙ୍କ ପିଏ/ପିଏସ୍‌ମାନେ ବସୁଥିବା ପ୍ରକୋଷ୍ଠର ବାହାର ଅଞ୍ଚଳର ବି ରିମଡେଲିଂ ହେବ। ସବୁ ବିଭାଗର ସବୁ ରୁମ୍‌ ଏବଂ ଚାମ୍ବର ଗୋଟିଏ ଡିଜାଇନ୍‌ରେ ହେବ। ଅତିରିକ୍ତ ସଚିବ ଏବଂ ଅନ୍ୟମାନଙ୍କ ରୁମ୍‌, ପରିଦର୍ଶକ ରୁମ୍‌, ପିଏସ୍‌/ପିଏ ରୁମ୍‌, କର୍ମଚାରୀଙ୍କ ରୁମ୍‌ଗୁଡ଼ିକୁ ବି ସମାନ ଡିଜାଇନ୍‌ରେ ରିମଡେଲିଂ କରାଯିବ। ସମସ୍ତ ଅଧିକାରୀଙ୍କ ଚାମ୍ବରରେ ଫାଇଲ୍‌ ରଖିବା ପାଇଁ ତିନି ଥାକିଆ ବ୍ୟବସ୍ଥା କରାଯିବ। ଏଥିରେ ଡ୍ର, ରୢାକ୍‌ ଏବଂ କମ୍ପାକ୍ଟର ରହିବ।

ଅନ୍ୟପକ୍ଷରେ ଲୋକସେବା ଭବନ ଭିତରେ ଓ ବାହାରେ ଦେଖାଦେଉଥିବା ପାର୍କିଂ ସମସ୍ୟା ଦୂର କରିବା ପାଇଁ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା ହେବ। ନୂଆ କନଭେନସନ୍ ସେଣ୍ଟର ନିକଟରେ ହେବାକୁ ଥିବା ଅଣ୍ଡରଗ୍ରାଉଣ୍ଡ ପାର୍କିଂରେ ୧୨୧ଟି କାର୍‌ ପାର୍କିଂ କରିବା ପାଇଁ ବ୍ୟବସ୍ଥା ରହିବ। ଏଥିରେ ଲୋୟର ବେସ୍‌ମେଣ୍ଟରେ ୪୩ଟି କାର୍‌, ଅପର ବେସ୍‌ମେଣ୍ଟ ଓ ତଳ ମହଲାରେ ୩୯ଟି ଲେଖାଏ କାର୍ ପାର୍କିଂ ବ୍ୟବସ୍ଥା ରହିବ। ଲୋକସେବା ଭବନ ପରିସରରେ ଥିବା ନାଲି କୋଠା ସମ୍ମୁଖରେ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା ହେବ। ଏଠାରେ ୩୨୦ଟି ଚାରିଚକିଆ ଯାନ ପାର୍କିଂ ହେବ। ସେହିପରି ଲୋକସେବା ଭବନ ବାହାରେ ଗେଟ୍‌ ନଂ-୬ ସମ୍ମୁଖରେ ଓଏସ୍‌ଆରଟିସି ବସଷ୍ଟାଣ୍ଡ ନିକଟରେ ୭୫ଟି କାର୍‌ ଏବଂ ଗେଟ୍‌ ନଂ-୫ ସମ୍ମୁଖରେ ଆଇଜି ପାର୍କକୁ ଲାଗି ଥିବା ଖାଲି ସ୍ଥାନରେ ୩୦୦ଟି ଚାରିଚକିଆ ଏବଂ ୧୫୦ଟି ଦୁଇ ଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା ରହିବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପୂର୍ତ୍ତ ବିଭାଗ ଖୁବ୍‌ ଶୀଘ୍ର ଖର୍ଚ୍ଚ ଆକଳନ ପ୍ରସ୍ତୁତ କରି ସାଧାରଣ ପ୍ରଶାସନ ବିଭାଗକୁ ଦେବ। ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହେଲେ କାମ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର