ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଆଜି ଉତ୍ତ୍ୟକ୍ତ ଜନତା ଲଙ୍କାକାଣ୍ଡ କରିଛନ୍ତି। ଅନ୍ତଃରାଜ୍ୟ ଗଂଜେଇ ମାଫିଆଙ୍କ ସହ କିଛି ଦୁର୍ନୀତିଗ୍ରସ୍ତ ପୁଲିସ କର୍ମଚାରୀ ବି ସାମିଲ ଥିବାରୁ ଉତ୍ତ୍ୟକ୍ତ ଜନତା ଶନିବାର ଅପରାହ୍ଣ ୪ଟା ବେଳେ ହଠାତ୍ ଫିରିଙ୍ଗିଆ ଥାନା ଉପରେ ଆକ୍ରମଣ କରି ଦେଇଛନ୍ତି। ଫୁଲବାଣୀ ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କୁ ମଧ୍ୟ ଥାନାରେ ଉତ୍ତ୍ୟକ୍ତ ଲୋକ ନିସ୍ତୁକ ପିଟିଛନ୍ତି। ତହସିଲଦାର ଏମ୍. ଅନୁରାଧା ଓ ସ୍ଥାନୀୟ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ମୁଣ୍ଡ ଫାଟି ଗୁରୁତର ହୋଇଛନ୍ତି। ଏସ୍ଡିପିଓ ସୁପ୍ରସନ୍ନ ମଲିକ ଏବଂ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ପାଖାପାଖି ୩୦ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।
ସେହିପରି ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ କନ୍ଧମାଳ ଏସ୍.ପି ଶୁଭେନ୍ଦୁ କୁମାର ପାତ୍ର ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ପ୍ରତି କଡ଼ା ନଜର ରଖିଛନ୍ତି। ଫିରିଙ୍ଗିଆ ଥାନା ଏବଂ ଆଖାପାଖ ଅଞ୍ଚଳରେ ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରିପୋର୍ଟ ଲେଖା ହେଲା ବେଳକୁ ଫିରିଙ୍ଗିଆ ଥାନାରେ ଏସ୍.ପିଙ୍କ ସମେତ ଫିରିଙ୍ଗିଆ ବିଡିଓ ରଶ୍ମିରଂଜନ ମହାନ୍ତ ଏବଂ ତହସିଲଦାର ଏମ୍. ଅନୁରାଧା ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ପ୍ରତି ଦୃଷ୍ଟି ରଖିଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଏସ୍.ପି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
ଏହି ପ୍ରସଙ୍ଗକୁ ନେଇ ଦୁଇ ଦିନ ଧରି ଥିବା ଚାପା ଉତ୍ତେଜନା ଆଜି ଉଗ୍ରରୂପ ଧାରଣ କରିଛି। ପୁଲିସ ଜନତାଙ୍କ ଉପରେ ଗରମ ମିଜାଜ୍ ଦେଖାଇବା ଫଳରେ ପରିସ୍ଥିତି ହିଂସାତ୍ମକ ମୋଡ଼ ନେଇଛି। ଉତ୍ତ୍ୟକ୍ତ ଲୋକେ ଥାନାରେ ଧସେଇ ପଶି ନିଆଁ ଲଗାଇ ଦେଇଛନ୍ତି। ଥାନା ଷ୍ଟାଫ୍ ଗଞ୍ଜେଇ ଚାଲାଣ ଓ କାରବାରରେ ଲିପ୍ତ ଥିବା ଅଭିଯୋଗ ଆଣି ଥାନାରେ ନିଆଁ ଜାଳି ଦେଇଛନ୍ତି। ଥାନା ଅଧିକାରୀ ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ପରିସରରେ ଯାହା ପାଇଲେ ଜାଳି ଦେଇଛନ୍ତି। ମାଲଖାନାରେ ଜବତ ହୋଇ ରହିଥିବା ଗଚ୍ଛିତ ଗଞ୍ଜେଇ ଓ ଜବତ ଗାଡ଼ି ଗୁଡ଼ିକରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଶତାଧିକ ଲୋକ ଥାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ମାଲ୍ଖାନାରେ ଗଚ୍ଛିତ ଥିବା ଗଞ୍ଜେଇ ବାହାରେ ଗଦା କରି ନିଆଁ ଲଗାଇ ଦେଇଛନ୍ତି। ଫଳରେ କିଛି ସମୟ ପାଇଁ ଥାନା ପରିସର ହୁତ୍ ହୁତ୍ ହୋଇ ଜଳୁଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାସହ ଉତ୍ତ୍ୟକ୍ତ ଲୋକେ ଥାନାରୁ କିଛି ବନ୍ଧୁକ ମଧ୍ୟ ଲୁଟି ନେଇଥିବା ପୁଲିସ କହିଛି।
ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ଫିରିଙ୍ଗିଆ ଥାନା ଗାଡ଼ିରେ ୨ ଜଣ ହୋମ୍ଗାର୍ଡ଼ ଗଞ୍ଜେଇ ଭର୍ତ୍ତି କରି ନେଉଥିବା ବେଳେ ମାଶ୍ରିପଡ଼ା ନିକଟରେ ଲୋକେ ଗାଡ଼ିକୁ ଅଟକାଇଥିଲେ। ଖାନତଲାସ କରିବା ପରେ ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ତେବେ ପୁଲିସ କାହିଁକି ଗାଡ଼ିରେ ଗଞ୍ଜେଇ ନେଉଥିଲା ଏବଂ କେଉଁ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିଲା ବୋଲି ଲୋକେ ପଚରାଉଚରା କରିବା ପରେ ସମ୍ପୃକ୍ତ ୨ ଜଣ ହୋମ୍ଗାର୍ଡ଼ 'ଆମେ କିଛି ଜାଣିନୁ, ଆଇଆଇସି ଆମକୁ ପଠାଇଛନ୍ତି' ବୋଲି କହିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/3b1de3a2-b418-4d52-a691-a5321e344ff6.jpg)