ସମ୍ବାଦ ପ୍ରଭାବ: ୪ମାସ ମଧ୍ୟରେ ୩୦ ମୃତକଙ୍କ ପରିବାରକୁ ୮୧.୭୩ଲକ୍ଷ ଦେବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅବଗତ କଲେ କାଗଜକଳ କର୍ତ୍ତୃପକ୍ଷ

ଜୟପୁର: କାଗଜକଳରେ କାମ କରି ଅବସର ପରେ ମୃତ୍ୟୁବରଣ  କରିଥିବା ୩୦ଜଣ ଶ୍ରମିକଙ୍କ ପରିବାର ଲୋକେ ଏବେ ନାହିଁ ନଥିବା ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ନୂଆ ପରିଚାଳନା କମିଟି ମଦର ଏର୍ଥ ରିସୋର୍ସସ୍ ପ୍ରାଇଭେଟ ଲିମିଟେଡକୁ  ଏହାର ପରିଚାଳନା ଭାର ନେବା ପରେ ଅବସରପ୍ରାପ୍ତ ଓ ମୃତ ଶ୍ରମିକଙ୍କ ପରିବାରବର୍ଗ, ବିଧବାଙ୍କୁ ସେମାନଙ୍କ ବକେୟା ପାଉଣା, ପେନସେନ୍ , ପିଏଫ୍, ଗ୍ରାଚ୍ୟୁଟି, ପେନସେନ୍ ଆଦି ମିଳିନାହିଁ। ଏ ନେଇ ‘ସମ୍ବାଦ’ରେ ଗତ ୧୪ତାରିଖ ଦିନ ‘ମୂଲ ଲାଗିଲେ ଜଳୁଛି ଚୁଲି: କାଗଜ କଳ ମୃତ ଶ୍ରମିକଙ୍କ ପରିବାରର ଦୁଃଖ’’ ଖବର ପ୍ରକାଶ ପାଇଥିଲା।

ଏହି ରିପୋର୍ଟକୁ ନେଇ ଜିଲ୍ଲାପ୍ରଶାସନ ଓଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ମଦର ଏର୍ଥକୁ ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ମଦରଏର୍ଥ କଂପାନୀର ପରିଚାଳନା କର୍ତ୍ତୃପକ୍ଷ ୩୦ଜଣ ମୃତକଙ୍କ ପରିବାରବର୍ଗକୁ ଗ୍ରାଚ୍ୟୁଟି ବାବଦକୁ ୮୧ଲକ୍ଷ ୭୩ହଜାର ୪୫୧ଟଙ୍କା ବାକି ରହିଥିବା ଜିଲ୍ଲାଶ୍ରମ ଅଧିକାରୀଙ୍କୁ ଅବଗତ କରିଛନ୍ତି। କଂପାନୀର ଅବସ୍ଥା ଭଲ ନଥିବାରୁ ଉତ୍ପାଦନ ଠିକରେ ହେଉନଥିବାରୁ ଧାର୍ଯ୍ୟ ଉତ୍ପାଦନ କରିବା ଦିଗରେ ପ୍ରୟାସରତ। ତେବେ ମୃତ ୩୦ଶ୍ରମିକଙ୍କ ବକେୟା ଗ୍ରାଚ୍ୟୁଟି ଟଙ୍କାକୁ ଆଗାମୀ ୪ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଦେବେ ବୋଲି ଲିଖିତ ଭାବେ କାଗଜକଳର ମାନବସମ୍ବଳ ମୁଖ୍ୟ ରମେଶ ଯାଦବ ଜିଲ୍ଲାଶ୍ରମ ଅଧିକାରୀଙ୍କୁ ଚିଠି କରିଛନ୍ତି। ନିୟମିତ ଶ୍ରମିକଙ୍କର ଗତ ଡିସେମ୍ବର ମାସ ପର୍ଯ୍ୟନ୍ତ ଅଗ୍ରୀମ ଦରମା ଦିଆସରିଛି। ଆଉ ଗୋଟିଏ ମାସର ଏହି ମାସ‌ରେ ଦିଆଯିବ ବୋଲି ସେ ଜଣାଇଛନ୍ତି।

ସେଭଳି ଶ୍ରମିକ ମାନଙ୍କର ପିଏଫ୍ ଓ ପେନସେନ୍ ଗତ ୨୦୨୦ମସିହା ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ଜମା କରିସାରିଛନ୍ତି। ସେଭଳି ଜୁଲାଇ ୨୦୨୦ରୁ ଏବେ ନିୟମିତ ଭାବେ ଏହାକୁ ଜମା କରାଯାଉଛି। ‌ସେଭଳି ସମସ୍ତ କର୍ମଚାରୀଙ୍କ ପ୍ରଭିଡେଣ୍ଟ ପଣ୍ଡର ବିବରଣୀକୁ କେସିଟି ପିଏଫ୍ ଟ୍ରଷ୍ଟ କଲିକତାରୁ ଆଂଚଳିକ ପ୍ରଭିଡେଣ୍ଟ ଫଣ୍ଡ କମିଶନ ବ୍ରହ୍ମପୁରକୁ ପଠାଯିବା କାମ ଜାରି ରହିଛି। ଏହା ହେବା ପରେ କର୍ମଚାରୀ ମାନେ ନିଜ ପିଏଫ୍ ଆକାଉଣ୍ଟରୁ ବକେୟା ଉଠାଇବା ସହ ‌ପେନସେନ୍ ବି ଅବସରପ୍ରାପ୍ତ କର୍ମଚାରୀ ମାନେ ପାଇପାରିବେ ବୋଲି ସେ ଚିଠିରେ ଅବଗତ କରିଛନ୍ତି।

ସମ୍ବନ୍ଧିତ ଖବର