ସୁନାବେଶ ଦେଖି ଫେରିଲା ବେଳେ ଓଲଟିଲା ବସ୍‌: ୩୦ ଆହତ, ୪ଗୁରୁତର

ପିପିଲି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ସାତଶଙ୍ଖ ନିକଟବର୍ତ୍ତୀ ଯଶୁଆପୁର ଛକ ନିକଟରେ ସୋମବାର ଦିନ ପ୍ରାୟ ସାଢେ ବାରଟା ବେଳେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାଜପଥର ଡିଭାଇଡର୍‌ରେ ପିଟିହୋଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟଲୋକେ ସେଠାରେ ପହଞ୍ଚି କ୍ରେନ୍‌କୁ ଅପେକ୍ଷା ନକରି ‘ଜୟ ଜଗନ୍ନାଥ’ କହି ଓଲଟି ପଡ଼ିଥିବା ବସ୍‌କୁ ଉଠାଇ ଠିଆ କରାଇଛନ୍ତି। ଫଳରେ ଏକ ବଡ଼ଧରଣର ଅଘଟଣରୁ ଯାତ୍ରୀମାନେ ରକ୍ଷା ପାଇଯାଇଛନ୍ତି।

ସୂଚନା ଅନୁସାରେ, ପୁରୀରୁ ଯାତ୍ରୀ ନେଇ ଓଆର ୦୨ ଏକେ ୨୪୫୩ ନମ୍ବର ବିଶିଷ୍ଟ ‘ଶାରଳା’ ନାମକ ଏକ ଘରୋଇ ବସ୍‌ ଭୁବନେଶ୍ବର ଆସୁଥିବାବେଳେ ଜାତୀୟ ରାଜପଥର ସାତଶଙ୍ଖ ନିକଟବର୍ତ୍ତୀ ଯଶୁଆପୁର ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ବସ୍‌ରେ ୭୦ରୁ ଅଧିକ ଯାତ୍ରୀ ପୁରୀରେ ସୁନାବେଶ ଦେଖି ଭୁବନେଶ୍ବର ଫେରୁଥିଲେ। ଜାତୀୟ ରାଜପଥରେ କାର୍ଯ୍ୟରତ ପାଟ୍ରୋଲିଂ ଗାଡ଼ି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଥିଲେ। ଦୁର୍ଘଟଣାରେ ୩୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଥିବା ପୁଲିସଠାରୁ ସୂଚନା ମିଳିଛି। ଗୁରୁତର ଆହତ ଚାରିଜଣକ ମଧ୍ୟରୁ ପୁଲିସ ତିନି ଜଣକଙ୍କର ପରିଚୟ ପାଇଛି। ସେମାନେ ହେଲେ; ବଡ଼ମ୍ବା ଥାନା କୁମ୍ଭାରସାହିର କହ୍ନେଇ ବେହେରା (୭୦), କୁମ୍ଭାରପଡ଼ା ଥାନା ଦେବୀଘାଟର ଜଗନ୍ନାଥ ଦେ(୨୩) ଓ ପୁରୀର ମିଟୁ ବେହେରା(୨୭)। ଅନ୍ୟ ଆହତ ବ୍ୟକ୍ତିମାନେ ନିକଟସ୍ଥ ମଙ୍ଗଳପୁର, ପିପିଲି ଓ ସାକ୍ଷୀଗୋପାଳ ହସ୍ପିଟାଲରେ ଚିକିତ୍ସା ହେଉଥିବା ଖବର ମିଳିଛି। ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସାତଶଙ୍ଗ ଫାଣ୍ତି ଅଧିକାରୀ ପିକେ ଭୂୟାଁ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ତଦନ୍ତ ଚଳାଇଥିବାବେଳେ ବସ୍‌ର ଡ୍ରାଇଭର ଓ ହେଲ୍‌ପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ଏହି ବସ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ରହିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର