ପିକ୍‌ନିକ୍‌ ବସ୍‌କୁ ପିଟିଲା ଟ୍ରକ୍‌ : କେନ୍ଦ୍ରାପଡ଼ାର ୩୦ ଯାତ୍ରୀ ଆହତ

ବଅଁରପାଳ : ‘କତଡ଼ା’ ପରେ ବଅଁରପାଳ ଥାନା ୧୪୯ନମ୍ବର ଜାତୀୟ ରାଜପଥ ରିଲିୟାନ୍ସ ପେଟ୍ରୋଲ୍‌ ପମ୍ପ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଦ୍ବିତୀୟ ତୀର୍ଥଯାତ୍ରୀ ଗାଡ଼ି ଦୁଘର୍ଟଣା ଘଟିଛି। ଏକ ଟ୍ରକ୍ ସହିତ ବସଟି ମୁହାଁମୁହିଁ ଧକ୍‌କା ହେବାରୁ ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେଥିରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଦୁର୍ଘଟଣା ପାଇଁ ପ୍ରାୟ ୪ଘଣ୍ଟା କାଳ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ବସ୍ ଚାଳକ ଏସ୍‌. କେ. ଆଲ୍ଲାଉଦ୍ଦିନ କହିବା ମୁତାବକ, ଆହତ ଯାତ୍ରୀମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର। ରାଉର୍‌କେଲା ବେଦବ୍ୟାସ ଅଞ୍ଚଳ ବୁଲିବା ପାଇଁ ମଙ୍ଗଳବାର ରାତିରେ କେନ୍ଦ୍ରାପଡ଼ା ଠାକୁରହାଟ ଅଞ୍ଚଳରୁ ୪୬ଜଣ ଲୋକ ଘରୋଇ ଯାତ୍ରୀବାହୀ ବସ୍ ‘ମଣିଶିବା’(ଓଆର୍ ୦୫ବି-୬୫୫୫)ରେ+ ଚଢ଼ିଥିଲେ। ଯୋଜନା ଥିଲା ରାଉର୍‌କେଲା ପରିଦର୍ଶନ ସାରି ଦଣ୍ଡାଧରରେ ଭୋଜି କରିଥା’ନ୍ତେ। ଆସନ୍ତାକାଲି ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତେ। ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ବସଟି ବଅଁରପାଳ ଦେଇ ବହ୍ଲର ଅଭିମୁଖେ ଯିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ସାମ୍ନାରୁ ଆସୁଥିବା ଟ୍ରକ୍ (ଓଡ଼ି ୩୫ସି-୦୬୬୬) ସହ ମୁହାଁମୁହି ଧକ୍କା ହୋଇଥିଲା। ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଦମକଳ ବାହିନୀ ଓ ଆମ୍ବୁଲାନ୍‌ସ ଯୋଗେ ଆହତଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଥିରୁ କେନ୍ଦ୍ରାପଡ଼ା ଛଚୁଣିଆର ମହିଳା ଅନିତା ସାହୁ(୩୮)ଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ଦୁଘର୍ଟଣାଗସ୍ତ ଉଭୟ ଗାଡ଼ିକୁ ବଅଁରପାଳ ଥାନା ପୁଲିସ ଜବତ କରିଛି। ବସ୍‌ ଚାଳକକୁ ପୁଲିସ ଅଟକ ରଖିଛି।

ସମ୍ବନ୍ଧିତ ଖବର