ରାଜ୍ୟରେ ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି ୩୦ ଲକ୍ଷ

ଭୁବନେଶ୍ବର : ରାଜ୍ୟରେ ୩୦ଲକ୍ଷ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି। ଏଥିରେ ୧୮ବର୍ଷରୁ ଅଧିକ ୨୧ଲକ୍ଷ ଥିବା ବେଳେ ୧୨-୧୪ ଓ ୧୫-୧୭ବର୍ଷର ୯ଲକ୍ଷ ଦ୍ବିତୀୟ ଡୋଜ୍ ହିତାଧିକାରୀ ରହିଛନ୍ତି। ଦେଶରେ ଏବେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଥିବା କୁହାଯାଉଛି। କିଛି ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଏତେ ସଂଖ୍ୟକ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନ ନେବା ପ୍ରଶାସନ ପାଇଁ ଆହ୍ବାନ ସୃଷ୍ଟି କରିଛି।

ଚଳିତମାସରୁ କେନ୍ଦ୍ର ସରକାର ଆସନ୍ତା ୨ମାସ ପାଇଁ ହର ଘର ଦସ୍ତକ୍ ୨.୦ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଟିକା ନେଇ ନ ଥିବା ଲୋକଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଟିକା ନେବା ପାଇଁ ବୁଝାଉଛନ୍ତି। କୌଣସି ଲୋକ ଯେପରି ଟିକାକରଣରୁ ବାଦ୍ ନ ପଡ଼ନ୍ତି ତାହାକୁ ରାଜ୍ୟରେ ସୁନିଶ୍ଚିତ କରିବା ଲାଗି ରାଜ୍ୟରେ ବର୍ତମାନସୁଦ୍ଧା ୬କୋଟି ୭୬ଲକ୍ଷ ୧୯ହଜାର ୧୭୦ ଡୋଜ୍ ଟିକା ଦିଆଗଲାଣି। ଏଥିରେ ୧୮-୪୪ବର୍ଷର ୧କୋଟି ୮୩ଲକ୍ଷ ୨୫ହଜାର ୨୧୮ ପ୍ରଥମ ଓ ୧କୋଟି ୬୫ଲକ୍ଷ ୯୨ହଜାର ୯୬୧ ଦ୍ବିତୀୟ ଡୋଜ୍ ନେଇଛନ୍ତି। କିନ୍ତୁ ପ୍ରିକସନ୍ ଡୋଜ୍ ଟିକାକରଣ ସଂପୂଣ୍ଣର୍ଭାବେ ଧିମେଇ ଯାଇଛି। ବର୍ତମାନସୁଦ୍ଧା ୫୭,୦୧୯ ଜଣ ନିଜର ପ୍ରିକସନ୍ ଡୋଜ୍ ନେଇଛନ୍ତି। ୬୦ବର୍ଷରୁ ଅଧିକ ବୟସ୍କଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ ପାଇଁ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ପ୍ରିକସନ୍ ଡୋଜ୍ ନେବାର ବ୍ୟବସ୍ଥା ରହିଛି। ଏ ଦୃଷ୍ଟିରୁ ଲୋକମାନେ ପ୍ରିକସନ୍ ଡୋଜ୍ ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁ ନ ଥିବା କୁହାଯାଉଛି।

ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ୧୨ବର୍ଷରୁ ଅଧିକ ଲୋକଙ୍କ ଭିତରେ ୩୦ଲକ୍ଷ ନିଜର ଦ୍ବିତୀୟ ଡୋଜ୍ ନେଇ ନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ହର ଘର ଦସ୍ତକ୍ ୨.୦ ଅଭିଯାନ ଜାରି ରହିଛି। ପୂର୍ବରୁ ଯେଉଁଭଳି ଭାବେ ଘରକୁ ଘର ବୁଲି ଟିକା ନେଇ ନ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଥିଲା ତାହା କରାଯାଉଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରୁ ୯ଜଣ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ରାଜ୍ୟରେ ଏବେ ୯୬ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ୧୪ଟି ଜିଲ୍ଲା କରୋନାମୁକ୍ତ ରହିଛି। କୌଣସି ନୂତନ କରୋନା ମୃତ୍ୟୁ ଘୋଷଣା କରାଯାଇ ନାହିଁ।

ସମ୍ବନ୍ଧିତ ଖବର