ସୀତାବିଞ୍ଜର ବିକାଶ ପାଇଁ ୩୦ ଲକ୍ଷ ମଞ୍ଜୁର

କେନ୍ଦୁଝର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ଐତିହାସିକ ପର୍ଯ୍ୟଟନସ୍ଥଳ ସୀତାବିଞ୍ଜ। ଏଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପାଲାମଣ୍ଡପଠାରୁ ଆରମ୍ଭ କରି ପାର୍କିଂ ବ୍ୟବସ୍ଥା, ପାନୀୟଜଳ ଏବଂ ସୁରକ୍ଷା ପାଚେରି ଆଦି ନିର୍ମାଣ କରାଯିବ। ଏଥିପାଇଁ ପ୍ରାଶାସନିକ ଅନୁମୋଦନ ମିଳିଛି। ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସୀତାବିଞ୍ଜର ଉନ୍ନତୀକରଣ କରାଯିବ ବୋଲି ସୂଚନା ମିଳିଛି।

କେନ୍ଦୁଝର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି। ସେଥିରୁ କେତୋଟିର ବିକାଶ ହୋଇଥିବା ବେଳେ ଆଉ କେତୋଟିର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଜିଲ୍ଲା ଅନ୍ୟତମ ପର୍ଯ୍ୟଟନସ୍ଥଳ ସୀତାବିଞ୍ଜର ଉନ୍ନୟନ କାର୍ଯ୍ୟ ନିମନ୍ତେ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ପାଇଁ ପ୍ରାଶାସନିକ ଅନୁମୋଦନ ମିଳିଛି। ଉନ୍ନତୀକରଣ ପରେ ସୀତାବିଞ୍ଜକୁ ଆସୁଥିବା ପର୍ଯ୍ୟଟକମାନେ ଏହାର ସୁଫଳ ପାଇପାରିବେ। ଏହି ପର୍ଯ୍ୟଟନସ୍ଥଳ ଉପରେ ନିର୍ଭର କରୁଥିବା ପରିବାରଙ୍କୁ ଗୁଜୁରାଣ ମେଣ୍ଟାଇବାରେ ସହାୟକ ହେବ। ସାଧାରଣତଃ ସୀତାବିଞ୍ଜର ରାବଣଛାୟା ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଅସିଥାନ୍ତି।

ଏହାଛଡ଼ା ସୀତାବିଞ୍ଜରେ ଲବକୁଶଙ୍କ ଅନ୍ତୁଡ଼ିଶାଳ ରହିଛି। ଏଠାରେ ସୀତାବିଞ୍ଜ ନାମରେ ରେଳଷ୍ଟେସନ ରହିଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥର କଟରାବେଡ଼ା ନିକଟରୁ ସୀତାବିଞ୍ଜକୁ ଆସିବା ପାଇଁ ରାସ୍ତା ରହିଛି। ବିଭିନ୍ନ ପର୍ବରେ ଏହି ପର୍ଯ୍ୟଟନସ୍ଥଳରେ ଜନଗହଳି ଦେଖିବାକୁ ମିଳିଥାଏ।  ରଜ ସମୟରେ ଏଠାରେ ମେଳା ଲାଗିଥାଏ। ବର୍ଷତମାମ ସୀତାବିଞ୍ଜକୁ ପର୍ଯ୍ୟଟକମାନେ ଆସିଥାନ୍ତି।

ତେବେ ଏହି ପର୍ଯ୍ୟଟନସ୍ଥଳର ଆବଶ୍ୟକ ଭିତ୍ତିଭୂମି ବିକାଣ ହୋଇନଥିବାରୁ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ହୃଦୟଙ୍ଗମ କରି ଏଠାର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ଇତିମଧ୍ୟରେ ସରକାରଙ୍କୁ ପକ୍ଷରୁ ରିଭାଇଜ ବ୍ୟୟ ଅଟ୍ଟକଳର ପ୍ରାଶାସନିକ ଅନୁମୋଦନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ  ଆବେଦନ କରାଯାଇଥିଲା।

ଏଥିପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳକୁ ଅନୁମୋଦନ କରାଯାଇଛି। ଅନୁମୋଦିତ ଅର୍ଥରେ ପାର୍କିଂ ବ୍ୟବସ୍ଥା, ପାଲାମଣ୍ଡପ, କଲଭର୍ଟ, ସୀତା ମନ୍ଦିରର ସୁରକ୍ଷା ପା‌ଚେରି ଏବଂ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖାଯାଇଛି। ପାର୍କିଂସ୍ଥଳ ନିର୍ମାଣ ପାଇଁ ୧୩ ଲକ୍ଷ ୧୨ ହଜାର ୫୧୪ ଟଙ୍କା, ପାଲାମଣ୍ଡପ ପାଇଁ ୩ ଲକ୍ଷ ୯୮ ହଜାର ୩୬୫ ଟଙ୍କା ବ୍ୟୟ ଅଟ୍ଟକଳ ହୋଇଥିବା ଜଣାପଡ଼ିଛି। ସେହିପରି ସୀତାବିଞ୍ଜରେ ୬୦୦ ମିଲିମିଟର ଏଚ୍‌ପି କଲଭର୍ଟ ନିର୍ମାଣ ଏବଂ ସୁରକ୍ଷା ପାଚେରି ନିମନ୍ତେ ୭ ଲକ୍ଷ ୪୧ ହଜାର ୬୬୫ ଟଙ୍କା ବ୍ୟୟ ଅଟ୍ଟକଳକୁ ଅନୁମୋଦନ କରାଯାଇଛି। ଜଳ ଯୋଗାଣ ପାଇଁ ୨ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳକୁ ପ୍ରାଶାସନିକ ଅନୁମୋଦନ ମିଳିଛି।

ସମ୍ବନ୍ଧିତ ଖବର