୩୦ଲକ୍ଷର ୩ ଗୋଷ୍ଠୀ କେନ୍ଦ୍ର ମାଟିରେ ମିଶିଲା

ସରକାରୀ ଅର୍ଥ ବରବାଦ ପାଇଁ ଉତ୍ତରଦାୟୀ କିଏ?

ଜୟପୁର: ସଂପ୍ରତି ନୀଳକଣ୍ଠସାଗରର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ୯କୋଟି ଟଙ୍କାରେ ଆରମ୍ଭ ହୋଇଛି। ଏହାର ଚାରିପାର୍ଶ୍ବର ଜବରଦଖଲ ଉଛେଦ ନାଁରେ  ଗତ ୧୯ତାରିଖ ଦିନ ପୌରପାଳିକା ପକ୍ଷରୁ ୪ଟିରୁ ୩ଟି ଗୋଷ୍ଠୀ କେନ୍ଦ୍ରକୁ ଜେସିଭି ଲଗାଇ ଭଙ୍ଗାଇଦିଆଗଲା। ଗୋଟିଏ ଗୋଷ୍ଠୀ କେନ୍ଦ୍ରକୁ ନୀଳକଣ୍ଠ ସାଗର ଉନ୍ନୟନ କାର୍ଯ୍ୟାଳୟ ନାଁରେ ରଖାଯାଇଛି। ଏସବୁ ଗୋଷ୍ଠୀ କେନ୍ଦ୍ରକୁ ସାଂସଦ, ବିଧାୟକଙ୍କ ସହ ସରକାରୀ ପାଣ୍ଠିରେ ପ୍ରାୟ ୧୦‌ଲକ୍ଷ ଲେଖାଏଁ ଖର୍ଚ୍ଚ କରି ନିର୍ମାଣ କରାଯାଇଥିଲା। ସହରରେ ବସବାସ କରୁଥିବା ବିଭିନ୍ନ ସଂପ୍ରଦାୟର ଲୋକଙ୍କ ସାମାଜିକ  ସମାବେଶ ପାଇଁ ପୃଥକ ପୃଥକ ଭାବେ ଏହି କୋଠା  ନିର୍ମାଣ ପାଇଁ ପୌରପାଳିକା ହିଁ ଜମି ଦେଇଥିଲା। ଏବେ ଜବରଦଖଲ ନାଁରେ ଏହାକୁ  ଉଚ୍ଛେଦ କରିବା ଫଳରେ ସରକାରୀ ଅର୍ଥ ଅଯଥାରେ ନଷ୍ଟ ହୋଇଛି।

ତତ୍କାଳୀନ ପୌରପାଳିକା ଅଧିକାରୀ ଦୁରଦୃଷ୍ଟି ନ ରଖି କିଭଳି ୩ଟି ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ଜମି ଲିଜ୍ ଦେଇଥିଲେ। ସେଭଳି ଉକ୍ତ ଅଂଚଳର ଲୋକେ ମୁକ୍ତରେ ବ୍ୟବହାର କରୁଥିବା ସୂଲଭ ଶୌଚାଳୟକୁ ବି କିଭଳି ଦୁରଦୃଷ୍ଟି ରଖି ନିର୍ମାଣ କରାଯାଇ ନଥିଲା ବୋଲି କିଛି ସ୍ବେଚ୍ଛାସେବୀ ଓବୁଦ୍ଦିଜୀବୀ ବି ପ୍ରଶ୍ନ ଉଠାଇଛନ୍ତି। ଲକ୍ଷାଧିକ ଟଙ୍କା ମାଟିରେ ମିଶି ଯାଇଥିବା ବେଳେ ଏଥି ପାଇଁ କିଏ ଉତ୍ତର ଦାୟୀ ତାହାକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ ସଂପ୍ରଦାୟ ଗୁଡିକ ବାରମ୍ବାର ଜନପ୍ରତିନିଧି , ବିଧାୟକ, ସାଂସଦ ଆଦିଙ୍କୁ ଭେଟି ଅନୁରୋଧ କରିବା ପରେ ଏହା ନିର୍ମାଣ କରାଯାଇଥିଲା।

ଏପରିକି ଏହାରି ପରିସରରେ ଥିବା ହୋମିଓପ୍ୟାଥି ଆସୋସିଏସନ୍,  ଅଙ୍ଗନୱାଡୀ କେନ୍ଦ୍ର ବି ମାଟିରେ ମିଶିଯାଇଛି। ଯଦି ନୀଳକଣ୍ଠ ସାଗର ଉନ୍ନୟନ ନାଁରେ ଗୋଟିଏ କୋଠାକୁ ରଖାଗଲା ତେବେ ଅନ୍ୟ ତିନୋଟିକୁ ବି ରଖାଯାଇ ଅନ୍ୟ କିଛି କାମରେ ବ୍ୟବହାର କରାଯାଇଥିଲେ ଠିକ୍ ହୋଇଥାନ୍ତା ବୋଲି ଆଇନଜୀବୀ ଓବୁଦ୍ଦିଜୀବୀ ମାନେ ମତ ଦେଇଛନ୍ତି। ପୂର୍ବରୁ କିଭଳି ଓ କେଉଁ ପରିସ୍ଥିତିରେ ଉକ୍ତ ସଂପ୍ରଦାୟ ଗୁଡିକ ନାଁରେ ଜମି ପଟା ନଥାଉଣୁ ବିଭିନ୍ନ ପାଣ୍ଠି ମିଳିଥିଲା, ଯଦି ମିଳିଥିଲା ତେବେ ଏତେ ଦିନ ପର୍ଯ୍ୟନ୍ତ ପୌରପାଳିକା ଚୁପ ରହି ଏବେ ଅଚାନକ ଭାବେ ଏଭଳି ସରକାରୀ ଅର୍ଥକୁ ଶ୍ରାଦ୍ଦ କରି ଭାଙ୍ଗିବା ଯୁକ୍ତିଯୁକ୍ତ କି ଏଥି ପାଇଁ ଉତ୍ତର ଦାୟୀ କିଏ ବୋଲି ଆଇନଜୀବୀ ମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର