ଭୁବନେଶ୍ବର: ପୁଣି ଏକ ସାଇବର ଠକର ଚକ୍ରବ୍ୟୂହରେ ଫସିଛନ୍ତି ଜଣେ ମହିଳା ଇଞ୍ଜିନିୟର୍। ଦରିଆପାରି ବିଦେଶୀ ବନ୍ଧୁ ବେଶରେ ସାଇବର ଠକ ରଚିଥିବା ଚକ୍ରବ୍ୟୂହରେ ଫସି ମହିଳା ଇଞ୍ଜିନିୟର୍ଙ୍କ ୩୦ ଲକ୍ଷ ଟଙ୍କା ଉଡ଼ିଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା ୮୦ଲକ୍ଷ ଭାରତୀୟ ମୁଦ୍ରାର ବିଦେଶୀ କରେନ୍ସି ପାଇବା ଲୋଭରେ ଓଡ଼ିଆ ଯୁବତୀଜଣକ ସାଇବର ଠକ ରୢାକେଟ୍କୁ ୩୦ ଲକ୍ଷ ଟଙ୍କା ଗଣିଦେଇଛନ୍ତି। ଠକାମିର ଶିକାର ହେବା ଜାଣିବା ପରେ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ ଏହି ଓଡ଼ିଆ ଯୁବତୀଜଣକ ପଟିଆ ଅଞ୍ଚଳସ୍ଥିତ ଏକ କର୍ପୋରେଟ୍ କମ୍ପାନିରେ ସଫ୍ଟୱେୟାର ଇଞ୍ଜିନିୟର୍ ଭାବେ କାର୍ଯ୍ୟରତ। ସୋସିଆଲ୍ ମିଡିଆ ଜରିଆରେ ଏକଦା ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଯୁବ ଇଂଜିନିୟର୍ଙ୍କ ସହ ତାଙ୍କର ପରିଚିତି ହୋଇଥିଲା। କିନ୍ତୁ ସେ ହିଁ ସାଇବର୍ ଠକ ରୢାକେଟ୍ର ମାଷ୍ଟରମାଇଣ୍ଡ ବୋଲି ଯୁବତୀ ବୁଝିପାରିନଥିଲେ। କିଛି ଦିନ ପରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା। ହଠାତ୍ ଦିନେ ସେହି ଆମେରିକୀୟ ବନ୍ଧୁ ଏକ ଉପହାର ପଠାଇଛନ୍ତି ବୋଲି ଯୁବତୀଙ୍କୁ କହିଥିଲେ। ଏକ ସର୍ପ୍ରାଇଜ୍ ଗିଫ୍ଟ ଥିବା ପାର୍ସଲ୍ଟି ଖୁବ୍ଶୀଘ୍ର ତାଙ୍କ ନିକଟରେ ପହଞ୍ଚିବ ବୋଲି ଧୂର୍ତ୍ତ କହିଥିଲା। ଯୁବତୀ ସେହି ସର୍ପ୍ରାଇଜ୍ ଗିଫ୍ଟକୁ ବଡ଼ ଆଗ୍ରହର ସହ ଅପେକ୍ଷା କରିଥିବା ବେଳେ ହଠାତ୍ ଦିନେ ତାଙ୍କ ପାଖକୁ ଏକ କଲ୍ ଆସିଲା। ମୁମ୍ବାଇ କଷ୍ଟମ୍ସ୍ ଅଧିକାରୀ ବୋଲି ପରିଚୟ ଦେଇ ଫୋନ୍ କରିଥିବା ବ୍ୟକ୍ତି କହିଲା ଯେ ଆମେରିକାରୁ ଆସିଥିବା ପାର୍ସଲ୍କୁ ଯାଞ୍ଚ କରିବା ପରେ ସେଥିରେ ବିଦେଶୀ କରେନ୍ସି ଥିବା ଜଣାପଡ଼ିଛି। ଭାରତୀୟ ମୁଦ୍ରାରେ ତାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା। ବେଆଇନ ଭାବେ ଆମେରିକାରୁ ଆସିଥିବା ପାର୍ସଲ୍କୁ ମୁମ୍ବାଇ ବିମାନବନ୍ଦରରେ ଜବତ କରାଯାଇଛି ଏବଂ ଏଥିପାଇଁ ବିଭିନ୍ନ ଟିକସ ଜମା କରିବା ପରେ ହିଁ ପାର୍ସଲ୍ଟି ତାଙ୍କ ପାଖକୁ ଯାଇପାରିବ ବୋଲି ସେ କହିଥିଲେ। କିନ୍ତୁ ସେ ମଧ୍ୟ ସାଇବର ଠକ ରୢାକେଟ୍ର ଅନ୍ୟତମ ସଦସ୍ୟ ବୋଲି ଯୁବତୀ ବୁଝିପାରିନଥିଲେ।
ଏହି ନକଲି କଷ୍ଟମ୍ସ୍ ଅଧିକାରୀର ଫୋନ୍ ପାଇବା ପରେ ଯୁବତୀଜଣକ ତାଙ୍କ ଦରିଆପାରି ପୁରୁଷବନ୍ଧୁଙ୍କୁ ଫୋନ୍ କରି ପଚାରିଥିଲେ। ସର୍ପ୍ରାଇଜ୍ ଗିଫ୍ଟଟି ମୂଲ୍ୟହୀନ ହୋଇଗଲା ବୋଲି ଆମେରିକୀୟ ବନ୍ଧୁ ଦୁଃଖପ୍ରକାଶ କରିବା ସହ ପାର୍ସଲ୍କୁ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଯୁବତୀ ନକଲି କଷ୍ଟମ୍ସ୍ ଅଧିକାରୀଙ୍କୁ ଟିକସ ବାବଦରେ ପଚାରିଥିଲେ। ନକଲି କଷ୍ଟମ୍ସ୍ ଅଧିକାରୀ ତାଙ୍କୁ ଏଭଳି ବେଆଇନ କାରବାର ପାଇଁ ଜରିମାନା ସହ ୩୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା। ୮୦ ଲକ୍ଷ ଲୋଭରେ ଯୁବତୀ ୩୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ ଏବଂ ନକଲି କଷ୍ଟମ୍ସ୍ ଅଧିକାରୀ ଦେଇଥିବା ୟୁପିଆଇରେ ୩୦ ଲକ୍ଷ ଟଙ୍କା ଜମା କରିଦେଲେ। ଏହାପରେ ହଠାତ୍ ତାଙ୍କ ବିଦେଶୀ ବନ୍ଧୁଙ୍କ ନମ୍ବର ସୁଇଚ୍ ଅଫ୍ ହୋଇଯାଇଥିଲା। ଏମିତିକି ସୋସିଆଲ୍ ମିଡିଆରୁ ତାଙ୍କ ଆକାଉଣ୍ଟ ଉଭାନ୍ ହୋଇଯାଇଥିଲା। ଯୁବତୀଜଣକ କଷ୍ଟମ୍ସ୍ ଅଧିକାରୀଙ୍କୁ ବି ଫୋନ୍ କରିଥିଲେ। ମାତ୍ର ତାହା ବି ଇନ୍ଭ୍ୟାଲିଡ୍ ନମ୍ବର ବୋଲି କୁହାଯାଇଥିଲା।