କିଡ଼ନୀ ରୋଗ ନେଲାଣି ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ! କେହି ନ ଶୁଣିବାରୁ ବିଦେଶରୁ ଶୁଭିଲା ଓଡ଼ିଆଙ୍କ ସ୍ୱର

ସ୍ୱତନ୍ତ୍ର ରିପୋର୍ଟ

ହିନ୍ଦୋଳ (ଢେଙ୍କାନାଳ): ୫ ବର୍ଷରେ ଅକାଳରେ ଚାଲିଗଲାଣି ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ! ଅଜଣା ରୋଗରେ ଏବେ ବି ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏବେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ପ୍ରଶାସନର ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅନ୍ତର୍ଗତ ବାବନ୍ଧ ଗ୍ରାମର ହରିଜନ ସାହିର କିଛି ଏଭଳି କରୁଣ ଚିତ୍ର ଏବେ ସାମ୍ନାକୁ ଆସିଛି | ଅଭିଯୋଗ ଅନୁଯାୟୀ, ଏହି ସାହିଠାରୁ ମାତ୍ର ୨୬୦ ମିଟର ଦୂରରେ ସମସ୍ତ ନିୟମକୁ ଉଲ୍ଲଙ୍ଘନ କରି ଏକ ଘରୋଇ କମ୍ପାନି ଏକ ପଥର ଖଣି ଖୋଳିଛି | ଏହି ଖଣିରେ ଡିନାମାଇଟ ଫୁଟାଇ ପଥର ଫଟାଯାଉଥିବା ବେଳେ ସାହିର ବାସିନ୍ଦାଙ୍କ ଘରର କାନ୍ଥ ଫାଟି ନଷ୍ଟ ହେବା ସହ ବାୟୁ ଓ ଜଳ ମଧ୍ୟ ପ୍ରଦୂଷିତ ହୋଇଛି |

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ଜଳପ୍ରକଳ୍ପରୁ ଏହି ସାହିକୁ ବାଦ ଦିଆଯାଇଛି, ଯାହାଫଳରେ ଲୋକେ ପ୍ରଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି | ଏହାଦ୍ୱାରା ସେମାନେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟ ମୁହଁକୁ ଠେଲି ହୋଇଯାଉଛନ୍ତି | ଏ ବାବଦରେ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଏ ବାବଦରେ ଚିଠି ଲେଖିଥିଲେ ବି କୌଣସି ସୁଫଳ ମିଳି ନ ଥିଲା, ଯାହାକୁ ନେଇ ସୁଦୂର ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆ ସତମନ୍ୟୁ ନାୟକ କେନ୍ଦ୍ର ପ୍ରଦୂଷଣ ବୋର୍ଡ ସହ ମାନବାଧିକାର କମିସନଙ୍କ ପାଖକୁ ଚିଠି ଲେଖିଥିଲେ | ଏହା ପରେ କେନ୍ଦ୍ର ପ୍ରଦୂଷଣ ବୋର୍ଡ ପକ୍ଷରୁ ରାଜ୍ୟ ପ୍ରଦୂଷଣ ବୋର୍ଡଙ୍କୁ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖାଯାଇଥିଲା |

ଏହା ସହ ହରିଜନ ସାହିର କିଛି ଲୋକ ମଧ୍ୟ ରାଜ୍ୟପାଳଙ୍କୁ ଚିଠି ଲେଖିବା ସହ ହାଇକୋର୍ଟରେ ମାମଲା ମଧ୍ୟ ଦାୟର କରିଥିଲେ | ଯାହାକୁ ନେଇ ମାନ୍ୟବର ହାଇକୋର୍ଟ ମଧ୍ୟ ଜିଲ୍ଲା ପ୍ରଶାସନକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ | ତେବେ ଲୋକ ଦେଖାଣିଆ ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କେବଳ ଗ୍ରାମକୁ ଯାଇ କିଡ଼ନୀ ପୀଡିତଙ୍କ ରକ୍ତ ସଂଗ୍ରହ କରି ଆଣିଛନ୍ତି | ଏ ବାବଦରେ ସମ୍ବାଦ ପ୍ରତିନିଧିଙ୍କ ପକ୍ଷରୁ ସତମନ୍ୟୁଙ୍କୁ ଯୋଗାଯୋଗ କରାଯିବାରେ ସେ କହିଥିଲେ ଯେ ରାଜ୍ୟ ପ୍ରଦୂଷଣ ବୋର୍ଡର ସଦସ୍ୟଙ୍କ ସହ ବିଦେଶରେ ରହି ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସେ ଏ ବାବଦରେ କୌଣସି ପଦକ୍ଷେପ କେବେ ବି ନେଇନାହାନ୍ତି | ତେବେ ଏହି ସମସ୍ୟାର ସମାଧାନ ନେଇ ଏ ଯାବତ୍ ଠୋସ୍ ପଦକ୍ଷେପ ନିଆ ଯାଇ ନଥିବାରୁ ପୀଡ଼ିତ ଅଧିବାସୀଙ୍କ ଅସନ୍ତୋଷ ଦାନା ବାନ୍ଧୁଛି।

ସମ୍ବନ୍ଧିତ ଖବର