ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ୩୦ରୁ ଅଧିକ ମହାବଳ ବାଘ ରହିଛନ୍ତି। ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ମହାବଳ ଶୂନ୍ୟ ହୋଇଛି। ଶିମିଳିପାଳ ସମେତ କେନ୍ଦ୍ରୀୟ ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୩ଟି ଜଙ୍ଗଲରେ ମହାବଳଙ୍କ ଉପସ୍ଥିତି ରହିଛି। କେବଳ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପ୍ରାୟ ୨୩ଟି ମହାବଳ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅର୍ଧାଧିକ‌ ମେଲାନିଷ୍ଟିକ୍‌ ଟାଇଗର(କଳା ବାଘ) ପ୍ରଜାତିର। ପରିବାର ସହ ସେମାନେ ଜଙ୍ଗଲରେ ଭ୍ରମଣ କରୁଛନ୍ତି। ଅଭୟାରଣ୍ୟର କୋର ଏରିଆ ତଥା ଘଞ୍ଚ ଜଙ୍ଗଲରେ ସେମାନଙ୍କ ଅବସ୍ଥିତି ରହିଛି। ଯେଉଁ ସ୍ଥାନରେ ମହାବଳଙ୍କ ଉପସ୍ଥିତି ଆଶା କରାଯାଉ ନ ଥିଲା ସେଠାରେ ମଧ୍ୟ ଦେଖିବାକୁ ମିଳିଛନ୍ତି। ନଭେମ୍ବର ଓ ଡିସେମ୍ବର ମାସରେ ସାରା ରାଜ୍ୟରେ ବାଘ ଗଣନା ପରେ ବନ ବିଭାଗ ଏବେ ଏଭଳି ରିପୋର୍ଟ ପ୍ରସ୍ତୁତ କରିଛି। ଜଙ୍ଗଲ ଭିତରେ ଲଗାଯାଇଥିବା କ୍ୟାମେରାରେ ଦୃଶ୍ୟମାନ ହୋଇଥିବା ମହାବଳଗୁଡ଼ିକର ପ୍ରତିଛବି ସମୀକ୍ଷା କରିବା‌ ପରେ ବନ ବିଭାଗ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଛି। ଅନୁମୋଦନ ମିଳିବା ପରେ ବାଘ ଗଣନା ରିପୋର୍ଟ ପ୍ରକାଶ କରାଯିବ।

Advertisment

ରାଜ୍ୟ ସରକାରଙ୍କ ନିଜସ୍ବ ବାଘ ଗଣନାରେ ଓଡ଼ିଶାରେ ମହାବଳଙ୍କ ସଂଖ୍ୟା ବଢ଼ିଛି। କାରଣ ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଥିବା ବାଘ ଗଣନା ସମୟରେ ଓଡ଼ିଶାରେ ମହାବଳଙ୍କ ସଂଖ୍ୟା ୨୦କୁ ହ୍ରାସ ପାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ୨୦୦୬ରେ ରାଜ୍ୟରେ ୪୫ଟି ମହାବଳ ଥିବା ବେଳେ ୨୦୧୦ରେ ତାହାକୁ ୩୨କୁ ଖସି ଆସିଥିଲା। ୨୦୧୪ ଓ ୨୦୧୮ ଗଣନା‌ରେ ମହାବଳଙ୍କ ସଂଖ୍ୟା ୨୮ରେ ସ୍ଥିର ରହିଥିଲା। ତେବେ ୨୦୨୨ ଗଣନାରେ ମହାବଳଙ୍କ ସଂଖ୍ୟା ୨୦କୁ ଖସିବା ପରେ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିବା ସହ ନିଜସ୍ବ ଗଣନା କରିବାକୁ ଘୋଷଣା କରିଥିଲେ। ତତ୍‌କାଳୀନ ପିସିସିଏଫ୍‌ ଦର୍ଶାଇଥିଲେ ଯେ କେନ୍ଦ୍ର ସରକାରଙ୍କ ଗଣନାରେ ସତ୍ୟତା ନାହିଁ। ଏହି ରିପୋର୍ଟଠାରୁ ଓଡ଼ିଶା‌ରେ ଅଧିକ ବାଘ ଅଛନ୍ତି। ୨୦୨୧-୨୨ରେ ଯେଉଁ ବାଘ ଗଣନା ହୋଇଥିଲା ତାହା ପରେ ବିଭିନ୍ନ ଅଭୟାରଣ୍ୟରେ ବାଘ ଦେଖା ଦେଇଛନ୍ତି। ହେମଗିରି ଜଙ୍ଗଲ, ଦେବ୍ରିଗଡ ଅଭୟାରଣ୍ୟ ଓ ମୁନିଗୁଡାଠାରେ ମହାବଳ ବାଘ ଠାବ ହୋଇଥିଲେ। ଯାହାକି କେନ୍ଦ୍ର ସରକାରଙ୍କ ଗଣନାରେ ଦର୍ଶାଯାଇ ନ ଥିଲା। ତେଣୁ ରାଜ୍ୟ ସରକାର ପ୍ରତି ଅଭୟାରଣ୍ୟରେ କ୍ୟାମେରା ଲଗାଇ ମହାବଳ ଗଣନା କରିଛନ୍ତି।

ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ୨୦୨୨ ବାଘ ଗଣନା ଅନୁଯାୟୀ ଓଡ଼ିଶାରେ ପ୍ରାୟ ୨୦ଟି ବାଘ ରହିଥିବା ନେଇ କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଉଲ୍ଲେଖ ହୋଇଥିଲା। ଯେଉଁଥିପାଇଁ ରାଜ୍ୟ ସରକାର ନିଜସ୍ବ ବାଘ ଗଣନା କରିଛନ୍ତି। ଏଥିରେ ନୂଆ ସ୍ଥାନରୁ ମହାବଳ ବାଘ ଚିହ୍ନଟ ହୋଇଛନ୍ତି। ନଭେମ୍ବର ଓ ଡିସେମ୍ବରରେ ଗଣନା ପରେ ମଧ୍ୟ ଶିମିଳିପାଳ କୋର୍‌ ଏରିଆରେ ମହାବଳଙ୍କ ଉପସ୍ଥିତି ରହିଥିବା ଜଣାପଡ଼ିବାରୁ ସେଠାରେ କ୍ୟାମେରା ଲଗାଯାଇଥିଲା। ମହାବଳଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ମହାବଳଙ୍କ ସଂଖ୍ୟା ୩୦ରୁ ୩୫ ମଧ୍ୟରେ ରହିଛି। ଶିମିଳିପାଳର ଗୋଟିଏ ପରେ ଗୋଟିଏ ସ୍ଥାନରୁ କଳା ବାଘ ଚିହ୍ନଟ ହେଉଥିବାରୁ କେବଳ ଏହି ଅଭୟାରଣ୍ୟରେ ପ୍ରାୟ ୨୩ଟି ମହାବଳ ଥିବା ଅନୁମାନ କରାଯାଉଛି। ତେବେ ଗତ ମାସକ ମଧ୍ୟରେ ଡେବ୍ରିଗଡ଼ରେ ଥିବା ମହାବଳ ଛତିଶଗଡ଼ରେ ମୃତ୍ୟୁବରଣ କରିବା ଏବଂ ଶିମିଳିପାଳରେ ଗୋଟିଏ ମହାବଳର ମୃତ୍ୟୁ ହୋଇଛି। ଶିମିଳିପାଳରେ ବାଘଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସ୍ବତନ୍ତ୍ର ଗୁରୁତ୍ବ ଦେଉଛନ୍ତି। ପରିଣାମ ସ୍ବରୂପ ଲଗାତାର ଭାବେ ଶିକାରୀ ଗିରଫ ଏବଂ ଅସ୍ତ୍ରଶସ୍ତ୍ର ଜବତ ହେଉଛି। ବନ କର୍ମଚାରୀଙ୍କୁ ବନ୍ଧୁକ ଚଲାଇବାର କ୍ଷମତା ଦିଆଯିବା ପରେ ଶିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଅଧିକାରୀ ଜଣକ କହିଛନ୍ତି।