ପିହୁ ନିଖୋଜକୁ ୩୦ ମାସ: ଏନ୍‌ଏଚ୍‌ଆର‌ସିର ରିପୋର୍ଟ ତଲବ

ଯାଜପୁରସଦର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ଅଞ୍ଚଳର ଶିଶୁକନ୍ୟା ପିହୁ ନିଖୋଜ ଘଟଣାକୁ ୩୦ମାସ ପୂରିଛି। ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି) ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ବିଂଝାରପୁର ଥାନା ମଧୁସୂଦନପୁର ଗ୍ରାମର ଶିଶୁକନ୍ୟା ପିହୁ ଗତ ୨୦୨୦ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଅପହରଣ ହୋଇଥିଲା। ଏହାକୁ ନେଇ ପିହୁର ମା’ ମୋନାଲିସା ନାୟକ ବିଂଝାରପୁର ଥାନାରୁ ଆରମ୍ଭ କରି ଜିଲ୍ଲା ପୁଲିସ ପ୍ରଶାସନ ଓ ରାଜ୍ୟର ସମସ୍ତ ନ୍ୟାୟିକ ବ୍ୟବସ୍ଥାରେ ବାରମ୍ବାର ଅଭିଯୋଗ କରି ନିରାଶ ହୋଇଛନ୍ତି। ସେହିପରି, ‘ନ୍ୟାୟ ପାଇଁ ଲଢ଼େଇ ପରିବାର’ ତରଫରୁ ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ୨୦୨୧ ନଭେମ୍ବର ୨୩ରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଫେରାଦ ହୋଇଥିଲେ। କମିସନ ୮ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ଏହି ଘଟଣାରେ ପିହୁର ମା’ ମଧ୍ୟ ୨୦୨୧ ଅଗଷ୍ଟ ୧୮ ତାରିଖରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଫେରାଦ ହୋଇଥିଲେ।

କମିସନ ବାରମ୍ବାର ଓଡ଼ିଶା ପୁଲିସକୁ ତଦନ୍ତ ରିପୋର୍ଟ ମାଗିବା ପରେ ମଧ୍ୟ କୌଣସି ଫଳ ମିଳିନାହିଁ। ଗତ ଜାନୁଆରି ୨୩ ତାରିଖରେ ପୁନର୍ବାର ଜାତୀୟ ମାନବାଧିକାର କମିସନ ୬ ସପ୍ତାହ ମଧ୍ୟରେ ସଂପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବାପାଇଁ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର