ଭୋକ ଆଗରେ କଟକଣା ତୁଚ୍ଛ, ବାଇକ୍‌ରେ ସେମିଳିଗୁଡ଼ାରୁ ବାହାରିଥିଲେ ମୁର୍ସିଦାବାଦ

୩୦ ଫେରିବାଲା ଅଟକ, କ୍ବାରାଣ୍ଟିନରେ ରଖିଲା ପ୍ରଶାସନ

ରାୟଗଡ଼ା: ପରିବାର ସଦସ୍ୟ ବହୁ କଷ୍ଟରେ ଅଛନ୍ତି। ପାଖରେ ଚଳିବାକୁ ଟଙ୍କା, ପଇସା ନାହିଁ। ପିଲାଛୁଆ ଓଳିଏ ଖାଇଲେ ଓଳିଏ ଖାଉ ନାହାନ୍ତି। ଫୋନରେ ବାପା, ମା’ଙ୍କ କୋହଭରା କଥା ଶୁଣି ଆଉ ଧୈର୍ଯ୍ୟ ଧରିପାରିଲୁନି। ଲକ୍‌ଡାଉନ୍ ଅବଧି ବି ବଢ଼ିଲାଣି। ଆଉ କେତେ ଆଉ ଦିନ ରହିବୁ। ଆମକୁ ଯିବାକୁ ଦିଅନ୍ତୁ…। ଭୋକର ଜ୍ବାଳା ଓ ପରିବାର ଲୋକଙ୍କ ମୋହ ଆଗରେ ଲକ୍‌ଡାଉନ୍ କଟକଣା ଏପରି ଭାବେ ତୁଚ୍ଛ ପାଲଟିଛି ଫେରିବାଲାଙ୍କ ପାଇଁ। ସୁଦୂର ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ଆସିଥିବା ଫେରିବାଲା କୋରାପୁଟ, ରାୟଗଡ଼ାରେ ଫସି ରହିଥିବା ବେଳେ ଆଜି ନିଜ ଘର ଅଭିମୁଖେ ବାହାରିଥିଲେ। କିନ୍ତୁ ରାୟଗଡ଼ା ପୁଲିସ୍, ପ୍ରଶାସନ ସମସ୍ତ ଫେରିବାଲାଙ୍କୁ ଅଟକ ରଖିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କ୍ବାରାଣ୍ଟିନରେ ରଖିଛି। ୧୪ ଦିନର କ୍ବାରାଣ୍ଟିନ୍ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି ପ୍ରଶାସନ।

ପଶ୍ଚିମବଙ୍ଗ ମୁର୍ସିଦାବାଦ୍ ଜିଲ୍ଲାର ଡମକାଲ୍, ରାଣୀନଗର, ଜଲାଙ୍ଗି, ଇସଲାମପୁର ଅଞ୍ଚଳର ୩୦ ଫେରିବାଲା ଦୀର୍ଘ ଦିନ ହେଲା କୋରାପୁଟ, ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ସାମଗ୍ରୀ ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ। ଅଟକ ଥିବା ୩୦ ଜଣଙ୍କ ମଧ୍ୟରେ ୨୫ରୁ ୫୩ ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତି ଥିବା ବେଳେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା, ଲକ୍ଷ୍ମୀପୁର, ଦାମନଯୋଡ଼ି, ସୁନାବେଡ଼ା, ରାୟଗଡ଼ା ଜିଲ୍ଲାର କାଶୀପୁର, ଜେମାଦେଇପେଣ୍ଠ, ରାୟଗଡ଼ା, ରୂପକୋଣା, କୁମ୍ଭିକୋଟା, ଜେକେପୁର, କୋଲନରା ଅଞ୍ଚଳରେ ଏମାନେ ବ୍ୟବସାୟ କରୁଥିଲେ। ଲକ୍‌ଡାଉନ୍ ପରେ ବ୍ୟବସାୟ ଠପ୍ ହୋଇ ଯାଇଥିବାରୁ ଜୀବିକା ହରାଇ ବହୁକଷ୍ଟରେ ଦିନ କାଟୁଥିବା ରାଜୁ ମଣ୍ଡଲ, ଏସ୍. କେ. ଆଲମନଙ୍ଗିର୍, ଆର୍. ଅନସାରୀ, ମଜିତ୍ ସେକ୍, ଟି. ହୁସେନ୍, ବାବର ଅଲ୍ଲୀ ମୌଲା, ଅସଦୁଲ୍ ଇସଲାମ୍ ପ୍ରମୁଖ କହିଛନ୍ତି। ଏମାନଙ୍କ ପରିବାର ଲୋକ ମୁର୍ସିଦାବାଦରେ ରହୁଥିବା ବେଳେ ବିପଦ ସମୟରେ ପରିବାର ପାଖରେ ନଥିବାରୁ ଚିନ୍ତିତ ହୋଇ ପଡ଼ିଛନ୍ତି ସମସ୍ତ ଫେରିବାଲା। ଲକ୍‌ଡାଉନ୍ ଦ୍ବିତୀୟ ପର୍ଯ୍ୟାୟ ମେ’ ୩କୁ ବୃଦ୍ଧି ପାଇଥିବା ବେଳେ ମ‌େ ୧୫ତାରିଖ ସୁଦ୍ଧା ଟ୍ରେନ୍ ଚଳାଚଳ ନେଇ କୌଣସି ଆଶା ନଥିବାରୁ ବାଇକରେ ଘରକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଫୋନରେ କଥାବାର୍ତ୍ତା ହୋଇ ଏକାଠି ହେବା ପରେ ସମସ୍ତେ ଆଜି ସକାଳୁ ୧୫ଟି ବାଇକ୍‌ରେ ରାୟଗଡ଼ା ଦେଇ ମୁର୍ସିଦାବାଦ ଅଭିମୁଖେ ବାହାରିଥିଲେ। କୋରାପୁଟ ଛକରେ ରାୟଗଡ଼ା ଟାଉନ୍ ଥାନା ପୁଲିସ୍ ସମସ୍ତଙ୍କୁ ଅଟକାଇ ଯାଞ୍ଚ କରିବା ପରେ ବାଇକ୍‌ରେ ସେମିଳିଗୁଡ଼ାରୁ ପଶ୍ଚିମ ବଙ୍ଗ ଯାଉଥିବା ଜାଣି ସ୍ବାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ। ପୁଲିସ୍, ପ୍ରଶାସନର ନିଷ୍ପତ୍ତିକ୍ରମେ ସମସ୍ତଙ୍କୁ ବସଷ୍ଟାଣ୍ଡରେ ଅଟକ ରଖାଯିବା ପରେ ସ୍ବତନ୍ତ୍ର ଗାଡ଼ିରେ ଡାକ୍ତରଖାନାକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅପରାହ୍ନରେ ସମସ୍ତଙ୍କୁ ଅଶୋକ କଲ୍ୟାଣ ମଣ୍ଡପ ସ୍ଥିତ କ୍ବାରାଣ୍ଟିନ୍ ହୋମରେ ରଖାଯାଇଛି।

ସ୍ବାସ୍ଥ୍ୟ ପରୀକ୍ଷା ପରେ ଛାଡ଼ିଦେବାକୁ ଫେରିବାଲା ପ୍ରଶାସନକୁ ନେହୁରା ହୋଇଥିଲେ। ତେବେ କରୋନା ମୁକାବିଲା ପାଇଁ ଅନ୍ତଃଜିଲ୍ଲା, ଅନ୍ତଃରାଜ୍ୟ ମଧ୍ୟରେ ଗାଡ଼ି ଚଳାଚଳ ରଦ୍ଦ କରାଯାଇଥିବା ନେଇ ସମସ୍ତ ଫେରିବାଲାକୁ ପୁଲିସ ବୁଝାଇଥିଲା। କ୍ବାରାଣ୍ଟିନରେ ଥିବା ସମସ୍ତ ଫେରିବାଲାଙ୍କ ଉପରେ ରାପିଡ୍ ରେସପନସ୍ ଟିମ୍ ନଜର ରଖିଥିବା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର