ସୁରତରେ ୩୦% ସୂତାକଳ ଖୋଲିଲା, ଓଡ଼ିଆ ଶ୍ରମିକଙ୍କ ଘରବାହୁଡ଼ାରେ ରୋକ୍‌ ଲାଗିପାରେ

ବ୍ରହ୍ମପୁର: କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଗୁଜରାଟ ସୂତାକଳ ଗୁଡ଼ିକରେ ତାଲା ଝୁଲୁଛି। ସୂତାକଳରେ କାର୍ଯ୍ୟ କରୁଥିବା ପ୍ରାୟ ୭ଲକ୍ଷ ଓଡ଼ିଆ ଶ୍ରମିକ ଜୀବିକା ହରାଇ ନିଜ ଘର ମୁହାଁ ହୋଇଛନ୍ତି। କରୋନା ମହାମାରୀ ପ୍ରଭାବ ରହିଥିଲେ ହେଁ ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ୍‌ କଟକଣାକୁ ‌କୋହଳ କରିଛନ୍ତି। ଏହାପରେ ୨ମାସ ଧରି ତାଲା ଝୁଲୁଥିବା ସୂତାକଳଗୁଡ଼ିକ ଗତ ଦୁଇ ଦିନ‌ ହେଲା ଖୋଲିବାରେ ଲାଗିଛି। ଶ୍ରମିକମାନେ କର୍ମସଂସ୍ଥାନ ଫେରି ପାଉଛନ୍ତି। ଗୁଜୁରାଟ ଓ ସୁରତର ସହରତଳି ଅଞ୍ଚଳରେ ୩୦ ପ୍ରତିଶତ ସୁତାକଳ ଖୋଲି କାମ ଆରମ୍ଭ ହେଲାଣି। ଫଳରେ ସୁରତରେ ଏବେ ମଧ୍ୟ ଫେରିବାକୁ ଅପେକ୍ଷା କରିଥିବା ଓଡ଼ିଆ ଶ୍ରମିକ କାମ ପାଇବାର ଆଶା ଉଜ୍ଜୀବିତ ହୋଇଛି। ଏହାହେଲେ ସୁରତ ସୂତାକଳ ଓଡ଼ିଆ ଶ୍ରମିକଙ୍କ ଘର ବାହୁଡ଼ାରେ କିଛିଟା ରୋକ୍‌ ଲାଗିବ ବୋଲି ଆଶା କରାଯାଉଛି। ସୁରତରେ ସୂତାକଳ ଖୋଲିବା ଓଡ଼ିଶା ପାଇଁ ଶୁଭ ସୂଚନା ବୋଲି
କୁହାଯାଉଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗୁଜରାଟରେ ପ୍ରାୟ ୯ ଲକ୍ଷ ପାୱର୍‌ଲୁମ୍‌ ରହିଛି। ଏଥିମଧ୍ୟରୁ ସିଂହଭାଗ ସୁରତ ଜିଲ୍ଳାରେ ରହିଛି। ସୁରତ ସହର ମଧ୍ୟରେ ପ୍ରାୟ ୨.୫ଲକ୍ଷ ପାୱାର ଲୁମ୍‌ ରହିଛି। ଗୁଜରାଟ ପ୍ରଦେଶର ପ୍ରମୁଖ ଅର୍ଥନୀତି ଏହି ସୂତାକଳ ଉପରେ ନିର୍ଭର କରୁଛି। ଗୁଜରାଟ ବୟନ ଶିଳ୍ପ କ୍ଷେତ୍ରରେ ୨୩ଟି ରାଜ୍ୟର ଶ୍ରମିକ କାମ କରୁଛନ୍ତି। ଏଥିମଧ୍ୟରେ ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର ଓ ଝାଡ଼ଖଣ୍ଡର ଶ୍ରମିକ ସଂଖ୍ୟା ସର୍ବାଧିକ। ଓଡ଼ିଶାର ପ୍ରାୟ ୭ ରୁ ୮ଲକ୍ଷ ଶ୍ରମିକ ସୁରତ ସୂତାକଳରେ କାମ କରୁଥିବା ବେଳେ ସେଥିରୁ ଗଞ୍ଜାମର ୩ରୁ ୪ଲକ୍ଷ ଅଛନ୍ତି। ପ୍ରତି ଶ୍ରମିକ ମାସିକ ୧୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ତେବେ ୨୦୧୬ରେ ବିମୁଦ୍ରାକରଣ ଫଳରେ ଗୁଜରାଟ ବୟନଶିଳ୍ପରେ ସାମୟିକ ଅଚଳାବସ୍ଥା ଦେଖା ଦେଇଥିଲା। ସୂତାକଳ ବନ୍ଦ ହେବାକୁ ଆସିଥିଲା। ଗୁଜରାଟର ଅର୍ଥନୀତି ବି ପ୍ରଭାବିତ ହୋଇଥିଲ। ପରବର୍ତ୍ତୀ ସମୟରେ ଏହି ଅବସ୍ଥାରେ ସୁଧାର ଆସୁଥିବା ଚଳିତବର୍ଷ ମାଡ଼ି ଆସିଥିଲା କରୋନା ମହାମାରୀ। ମାର୍ଚ୍ଚ ୨୨ତାରିଖରୁ କେନ୍ଦ୍ର ସରକାରଙ୍କ ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି। ଏହାପର ଠାରୁ ସବୁ ଠପ୍‌ ହୋଇ ଯାଇଛି। ଗୁଜରାଟ ସୂତାକଳରେ ତାଲା ଝୁଲିଛି। ଦୀର୍ଘ ଦୁଇମାସ ଧରି ସୂତାକଳ ଗୁଡ଼ିକ ତାଲା ଝୁଲିବା ଫଳରେ ଏହାଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଜୀବିକା ହରାଇ ନିଜ ଭାଟିମାଟି ମୁହାଁ ହୋଇଛନ୍ତି। ଓଡ଼ିଶାକୁ ସୁରତରୁ ପ୍ରାୟ ୧ଲକ୍ଷ ଶ୍ରମିକ ଆସି ସାରିଲେଣି। ଅଧିକ ସଂଖ୍ୟକ ଟ୍ରେନ୍‌ ଚାଲୁ ନ ଥିବାରୁ ଶ୍ରମିକମାନେ ଜୀବିକା ହରାଇ ଭୋକଉପାସରେ ପଡ଼ିରହିଛନ୍ତି। ଏଭଳି ସ୍ଥିତିରେ ଶ୍ରମିକଙ୍କ ପାଇଁ ଖୁସି ଖବର ଆସିଛି। ଗତ ୨୦ ତାରିଖ ଠାରୁ ଗୁଜରାଟ ଓ ସୁରତ ସହରତଳି ଅଞ୍ଚଳରେ ରହିଥିବା ସୂତାକଳ ଗୁଡ଼ିକରେ ଖୋଲିବାରେ ଲାଗିଛି। ସୁରତ ସହର ଆଖାପାଖ, ବାରଡୋଲି, ଜୋଲୱା, କାମ୍‌ରେଜ, ପଲସଣା, କ‌ଡ଼ୋଦ୍ରା, ନରସାର, ସଚିନ୍‌, ହୋଜିୱାଲା, ପାଣ୍ଡେସରା, ବମ୍ବରୋଲି, ଉଦନା, ଡାଇମଣ୍ଡନଗର ଓ ଅହମଦାବାଦ୍‌, ସାୟନ୍‌, ଭୋଲାୱ, କିମ୍‌, ପିପତ୍ରା, ‌କୋଶମ୍ବା ଆଦି ଅଞ୍ଚଳରେ ସୂତାକଳଗୁଡ଼ି ଖୋଲି କାମ ଆରମ୍ଭ ହୋଇଛି। ଏହା ସୂତାକଳ ଶ୍ରମିକଙ୍କ ରୋଜଗାର ଫେରି ପାଇବା କ୍ଷେତ୍ରରେ ଏକ ନୂଆ ଆଶା ସଞ୍ଚାର କରିଛି। ଯେଉଁଭଳି ଭାବେ ସୁରତ ଛାଡ଼ି ଶ୍ରମିକ ମାନେ ନିଜ ଭିଟାମାଟିକୁ ଫେରୁଥିଲେ ସେଥିରେ କିଛିଟା ରୋକ୍‌ ଲାଗିବ ବୋଲି କୁହାଯାଉଛି। କାମ ପାଉଥିବା ଶ୍ରମିକମାନେ ଆଉ ଭିଟାଭଟି ଫେରିବାକୁ ଇଛା କରିବେ ନାହିଁ ବୋଲି କୁହାଯାଉଛି।

ଗୁଜରାଟ ବୁଣାକାର ମହାସଂଘର ସଭାପତି ଅଶୋକ ଜିରାୱାଲା କହିଛନ୍ତି, ଗୁଜରାଟରେ ପ୍ରାୟ ୯ଲକ୍ଷ ପାୱାର ଲୁମ୍‌ ରହିଛି। ‌ଟେକ୍ସଟାଇଲ ଶିଳ୍ପ ବହୁ ପୂର୍ବରୁ ଖୋଲିବାର ଥିଲା। ବୟନଶିଳ୍ପ ହେଉଛି ଏଭଳି ଏକ କ୍ଷେତ୍ର ଯେଉଁଠି ସବୁଠାରୁ ଅଧିକ ସାମାଜିକ ଦ୍ବରତ୍ବ ଅବଲମ୍ବନ ହୁଏ। ଗୋଟିଏ ୮୦ଫୁଟ-୬୦ଫୁଟ ସେଡ୍‌ରେ ମାତ୍ର ୨ଜଣ କାରିଗର କାମ କରନ୍ତି। ଗୁଜୁରାଟରେ ଗ୍ରାମାଞ୍ଚଳରେ ଅଧିକ ପାୱାର ଲୁମ୍‌ ରହିଛି। ସେଗୁଡ଼ିକ ଖୋଲି କାମ ଆରମ୍ଭ ହୋଇଛି। ତେଣୁ ବର୍ତ୍ତମାନ ସ୍ଥିତିରେ ସୂତାକଳ ଖୋଲିଥିବାରୁ ଗୁଜରାଟ ନ ଛାଡ଼ିବା ଲାଗି କାରିଗର ମାନଙ୍କୁ ସେ ପରାମର୍ଶ ଦେଇଛନ୍ତି। ଓଡ଼ିଆ ସୂତାକଳ ମାଲିକ ହୃଷିକେଶ ସ୍ବାଇଁ କହିଛନ୍ତି, ବର୍ତ୍ତମାନ ୩୦ ପ୍ରତିଶତ ସୂତାକଳରେ କାମ ଆରମ୍ଭ ହୋଇଛି। ମୋର ସବୁ ସୂତାକଳ ଚାଲିଛି। ସରକାରଙ୍କ ନିୟମ ଅନୁଯାୟୀ ସକାଳ ୭ଟା ଠାରୁ ସନ୍ଧ୍ୟା ୬ଟା ଯାଏ ଚାଲୁଛି। ବର୍ତ୍ତମାନ ସ୍ଥିତିରେ ୨୪ ଘଣ୍ଟା ସୂତାକଳ ଚାଲିବା ସମ୍ଭବ ନୁହଁ। ଲକ୍‌ଡାଉନ୍‌ ଉଠିବା ପରେ ବି ଯେଉଁ ପର୍ଯ୍ୟନ୍ତ ଘରକୁ ଯାଇଥିବା ଶ୍ରମିକମାନେ ଗୁଜରାଟ ଫେରିନାହାନ୍ତି ସବୁ ସୂତାକଳ ଚାଲିବା ସମ୍ଭବ ନୁହଁ। ଓଡ଼ିଶା ସରକାର ସୂତାକଳ ଶ୍ରମିକଙ୍କୁ ଆଉ ଓଡ଼ିଶାକୁ ନ ନେଇ ଏଠି ସେମାନଙ୍କ ପୁନଃନିଯୁକ୍ତି ଓ ଥଇଥାନରେ ସହଯୋଗ ବ୍ୟବସ୍ଥା କରନ୍ତୁ। ସେମାନଙ୍କୁ କିଛି ଆର୍ଥିକ ପ୍ୟାକେଜ୍‌ ଦିଅନ୍ତୁ ବୋଲି ତାଙ୍କ ମତ।

ସମ୍ବନ୍ଧିତ ଖବର