ପୁରୀ : ପୁରୀ ଶ୍ରୀମନ୍ଦିରର ୩୦ ପ୍ରତିଶତ ସେବାୟତଙ୍କ ନିଜସ୍ବ ଘର ନାହିଁ। ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିିତି ସୁଧାରିବା ଉଦ୍ଦେଶ୍ୟରେ କରାଯାଇଥିବା ସର୍ବେକ୍ଷଣରୁ ଏହା ଜଣାପଡ଼ିଛି।
ପୀତବାସ ରାଉତରାୟଙ୍କ ଦ୍ବାରା ହୋଇଥିବା ଏକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ, ସେବାୟତଙ୍କ ପରିବାର ସଂଖ୍ୟା ବଢ଼ିଚାଲିଛି। ଅଥଚ ସେମାନଙ୍କ ସେବା ଲବ୍ଧ ଆୟ କମି କମି ଚାଲିଛି। ସେବା ଲବ୍ଧ ପାଉଣା ଉପରେ ଭରସା କରି ଚଳିବା ସେମାନଙ୍କ ପାଇଁ କାଠିକର ହୋଇଯାଇଛି। ଏହି ସର୍ବେକ୍ଷଣ ମୁତାବକ ମୁତାବକ ଏବେ ୫୦ ପ୍ରତିଶତରୁ ଅଧିକ ସେବାୟତ ମୁଖ୍ୟତଃ ମନ୍ଦିର ଓ ତତ୍ସଂଲଗ୍ନ ଆୟ ଉପରେ ନିର୍ଭର କରନ୍ତି। ମାତ୍ର ପରିବାର ସଂଖ୍ୟା ବୃଦ୍ଧି ପାଇବା ପରେ ସେବା ବାଣ୍ଟି ହୋଇଯିବାରୁ ସେବାଲବ୍ଧ ପାଉଣା ଉପରେ ସେମାନେ ଆଉ ଭରସା କରିପାରୁନାହାନ୍ତି। ଉଦାହରଣ ସ୍ବରୂପ, ଗରାବଡ଼ୁ ସେବକ ୬୮ ଦିନରେ ଦିନଟିଏ, ଗୋଚ୍ଛିକାର ସେବକ ୧୫ଦିନରେ ଥରେ, ପ୍ରତିହାରୀ ସେବକ ୪୭ ଦିନରେ ଥରେ, ହଡପା ସେବକ ୨୨ଦିନରେ ଥରେ ସେବା କରିବାର ସୁଯୋଗ ପାଉଛନ୍ତି। ମିଳୁଥିବା ପାଉଣା ବି ନାମକୁ ମାତ୍ର। କିଏ ୮ଶହ ଓ ୧ ହଜାର ତ କିଏ ୧୪୫୦ ଟଙ୍କା ସେବା ଦିନ ପାଉଣା ବାବଦରେ ପାଉଛନ୍ତି। ଏହା ବ୍ୟତୀତ ସେଇ ସେବା ଦିନ ସେମାନଙ୍କୁ ଖେଇ ବାବଦରେ ବି କିଛି ମହାପ୍ରସାଦ ମିଳେ। ଏମିତିରେ ଜଣେ ସେବକ ମାସକୁ ଦିନଟିଏ ବି ସେବା କରିବାକୁ ସୁଯୋଗ ପାଆନ୍ତି ନାହିଁ। ତେଣୁ ଅନ୍ୟ ଦିନରେ ସେଇ ସେବକମାନେ ମନ୍ଦିରରେ ଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ନେଇ ବୁଲେଇ ଦେଖାଇ କିଛି ଅର୍ଥ ଉପାର୍ଜନ କରନ୍ତି। ମାତ୍ର ସେଥିରେ ବି ଧୀରେଧୀରେ ରୋକ୍ ଲାଗି ଆସୁଛି। ୨୦୧୪ରୁ ରଥ ଉପରକୁ ଚଢ଼ିବାକୁ ଅନୁମତି ମିଳୁନଥିବାରୁ ଅନେକଙ୍କ ଆୟ କମିଛି। ୨୦୧୮ରେ ପ୍ରଶାସନ ମନ୍ଦିରକୁ ଆସୁଥିବା ଭକ୍ତଙ୍କଠାରୁ ଦକ୍ଷିଣା ଆଦାୟକୁ ବ୍ୟାନ୍ କରିଥିବାରୁ ଏହା ମଧ୍ୟ ସେମାନଙ୍କୁ ଆର୍ଥିକ ଭାବେ ଦୁର୍ବଳ କରିଦେଇଛି ବୋଲି ସେବାୟତମାନେ କହିଛନ୍ତି। ସେବାୟତ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାରଙ୍କ କହିବା ମୁତାବକ, ଏବେ ବି ୩୦ରୁ ଅଧିକ ସେବାୟତ ପରିବାରଙ୍କର ନିଜସ୍ବ ଘର ନାହିଁ। ସେମାନେ ଅନ୍ୟତ୍ର ଭଡ଼ା ସୂତ୍ରରେ ରହି ଆସୁଛନ୍ତି।
ସେହିଭଳି, ଏବେ ବି ୪୬ ପ୍ରତିଶତ ସେବାୟତ ମନ୍ଦିରରୁ ଆସୁଥିବା ଆୟ ଉପରେ ନିର୍ଭର କରି ଚଳି ପାରୁନାହାନ୍ତି। ୨୦୧୩ରେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଓ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ହୋଇଥିବା ସର୍ବେକ୍ଷଣ ମୁତାବକ ୧୪୭୧ ସେବାୟତ ପରିବାର ଥିବା ବେଳେ ମୋଟ ଜନସଂଖ୍ୟା ଥିଲା ୮୩୬୭। ଯଦିଓ ୨୦୦୫ ସର୍ବେକ୍ଷଣ ମୁତାବକ ୨୦୧୩ରେ ସେବାୟତଙ୍କ ଜନସଂଖ୍ୟା ଏତେ ବୃଦ୍ଧି ପାଇନଥିଲା, କିନ୍ତୁ ପରିବାର ସଂଖ୍ୟା ବଢ଼ିଥିଲା। ତେଣୁ ସେବା ପ୍ରଦାନ କମି ଆସିଥିଲା। ଇତିମଧ୍ୟରେ ୩ ଥର ସର୍ବେକ୍ଷଣ ହେଲାଣି। ମାତ୍ର ସର୍ବେକ୍ଷଣ ପରେ ଯେଉଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି ତାହା ସେମାନଙ୍କ ସ୍ଥିତି ବଦଳାଇ ପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/SERVITOR-1.jpg)