କାୟାକଳ୍ପ ଯୋଜନାରେ ୩୦ଜଣଙ୍କୁ ସମ୍ମାନିତ କଲା ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ଖୋର୍ଦ୍ଧା: କାୟାକଳ୍ପ ଯୋଜନାରେ ଖୋର୍ଦ୍ଧା ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁରସ୍କୃତ କରାଯିବା ଅବସରରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିକିତ୍ସାଳୟର ସ୍ୱଚ୍ଛତା, ପରିମଳ ବ୍ୟବସ୍ଥାର ଦାୟିତ୍ୱ ସମ୍ଭାଳିଥିବା ୩୦ଜଣ ପୁରୁଷ ଓ ମହିଳାଙ୍କୁ ସମ୍ମାନିତ କରାଯାଇଛି।

ମାତୃ ଓ ଶିଶୁ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା ବିଶ୍ୱମୋହନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତବନ୍ଧୁ ନାୟକ ଯୋଗ ଦେଇଥିଲେ । ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଚିକିତ୍ସାଳୟରେ ବାହ୍ୟ ପରିମଳର ସ୍ୱଚ୍ଛତା ସାଙ୍ଗକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆସୁଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଉତ୍ତମ ବ୍ୟବହାର ଓ ସଠିକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଚିକିତ୍ସାଳୟକୁ ରାଜ୍ୟର ପ୍ରଥମ ସ୍ଥାନରେ ସ୍ଥାନିତ କରିବାକୁ ଆବଶ୍ୟକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ, ଡାକ୍ତରଖାନାର ନର୍ସ, କିରାଣୀ, ସଫେଇ କର୍ମଚାରୀଙ୍କ ସମେତ ୩୦ଜଣକୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଡା ଶ୍ୟାମା ପ୍ରସାଦ ମିଶ୍ର, ଚିକିତ୍ସାଳୟ ପରିଚାଳକ ବିନାୟକ ପାଣିଗ୍ରାହୀ ପ୍ରମୁଖଙ୍କ ସହ ଚିକିିତ୍ସାଳୟର ଡାକ୍ତର ଓ ଅନ୍ୟକର୍ମଚାରୀମାନେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, କାୟାକଳ୍ପ ଯୋଜନାରେ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ପ୍ରାଚୀର ଆଦି ଭିତ୍ତିଭୂମି, ପରିସର ମଧ୍ୟସ୍ଥ ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଆଦି ଆନୁସଙ୍ଗିକ ସୁବିଧାସୁଯୋଗର ଅନୁଶୀଳନ କରି ମାନକ ସ୍ଥିର କରିଥାନ୍ତି । ଏହି ମାନକ ଅନୁସାରେ, ଚିକିତ୍ସାଳୟଗୁଡ଼ିକୁ ସମ୍ମାନିତ କରାଯାଇଥାଏ । ଚଳିତ ବର୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁରସ୍କୃତ କରାଯିବା ସହ ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ପୁରସ୍କାର ରାଶିର ୩ ଭାଗ ଚିକିତ୍ସାଳୟର ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଯାଇଥାଏ ।

ସମ୍ବନ୍ଧିତ ଖବର