ଗୋପ: ଗୋପ ବ୍ଲକ୍‌ ବୀରତୁଙ୍ଗ ପଞ୍ଚାୟତ ସାଉରିଆ ଗ୍ରାମର ଡିଲର୍‌ ନିରଞ୍ଜନ ବେହେରାଙ୍କ ବିକ୍ରୟ କେନ୍ଦ୍ର ଉପରେ ସେପ୍ଟେମ୍ବର ୩୦ ତାରିଖରେ ପୁରୀ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଚଢ଼ଉ କରିଥିଲା। ତଦନ୍ତ ବେଳେ ଶ୍ରୀ ବେହେରା ପ୍ରାୟ ୩୦ କ୍ବିଣ୍ଟାଲ ଚାଉଳ ହେର୍‌ଫେର୍‌ କରିବା ଜଣାପଡ଼ିଥିଲା। ତେବେ ତଦନ୍ତକୁ ୨୬ ଦିନ ବିତିଥିବା ବେଳେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ଯୋଗାଣ ବିଭାଗର ଲୋକଦେଖାଣିଆ ଚଢ଼ଉ ଓ ତଦନ୍ତକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Advertisment

ଏହି ବିକ୍ରୟ କେନ୍ଦ୍ରରେ ନାନା ଅନିୟମିତତା ହୋଇଥିବା ନେଇ ତଦନ୍ତ ସମୟରେ ଜଣାପଡ଼ିଥିବା ବେଳେ ମୁଖ୍ୟତଃ ୩୦ କୁଇଣ୍ଟାଲ ଚାଉଳ ନ ମିଳିବାକୁ ନେଇ ବିଭାଗ ସଂପୃକ୍ତ ଡିଲର୍‌ଙ୍କୁ ତୁରନ୍ତ ନିଲମ୍ବିତ କରି ଫୌଜଦାରୀ ମୋକଦ୍ଦମା ଦାୟର କରିବା କଥା। କିନ୍ତୁ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଯୋଗୁ ଏବେ ଜିଲ୍ଲା ଯୋଗାଣ ବିଭାଗର ମଧ୍ୟ ଏହି ଅନିୟମିତତାରେ ସମ୍ପୃକ୍ତି ଥିବା ଗ୍ରାମବାଦୀ ଅଭିଯୋଗ କରିଛନ୍ତି। ଡିଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଯୋଗାଣ ବିଭାଗର ଅଧିକାରୀ ଓ ଯୋଗାଣ ନିରୀକ୍ଷକଙ୍କ ମତାମତ ମଧ୍ୟରେ ତାରତମ୍ୟ ରହୁଛି। ଫଳରେ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ ଜଳଜଳ ହୋଇ ଦିଶୁଛି। ସୂଚନାଯୋଗ୍ୟ, ସାଉରିଆ ଗ୍ରାମର ଡିଲର୍‌ ନିରଞ୍ଜନ ବେହେରାଙ୍କ ବିରୋଧରେ ଖାଉଟିମାନଙ୍କୁ ଚାଉଳ ନ ଦେଇ ହଇରାଣ କରିବା, ସାଧାରଣ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଭଳି ସଙ୍ଗିନ ଅଭିଯୋଗ ହୋଇଥିଲା।

ଏ ନେଇ ଖାଉଟିମାନେ ଗୋପ ବିଡିଓଙ୍କ ସମେତ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଅଭିଯୋଗ ପାଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ୬ ଜଣିଆ ସ୍ବତନ୍ତ୍ର ସ୍କ୍ବାଡ୍‌ ଗତ ୩୦ ତାରିଖରେ ସମ୍ପୃକ୍ତ ଡିଲର୍‌ କେନ୍ଦ୍ରରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ୩୦ କୁଇଣ୍ଟାଲ ଚାଉଳର ହିସାବ ମିଳିନଥିଲା। ପରେ ଏହି ଚାଉଳ ହଡ଼ପ କରାଯାଇଥିବା ଜଣାପଡ଼ିଥିଲା। ଗୋପ ବ୍ଲକ୍‌ ଯୋଗାଣ ନିରୀକ୍ଷକ ପ୍ରଦୀପ୍ତ ସେଠୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସଂପୃକ୍ତ ଡିଲର୍‌ କେନ୍ଦ୍ରକୁ ଆମେ ଅତିରିକ୍ତ ଚାଉଳ ନ ଦେଇ ଅନ୍ୟ ଡିଲର୍‌ଙ୍କୁ ଟ୍ୟାଗ୍ କରି ଚାଉଳ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛୁ। ଖୁବ୍‌ଶୀଘ୍ର ଆମେ ଏହି ଡିଲର୍‌ଙ୍କୁ ନିଲମ୍ବିତ କରିବୁ। ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି ଯେ ତଦନ୍ତ ପରେ ଏହି ଡିଲର୍‌ ତୁରନ୍ତ ନିଲମ୍ବିତ ହେବା କଥା। କିନ୍ତୁ କାହିଁକି ହୋଇନାହିଁ ଆସନ୍ତା କାଲି ଏ ନେଇ ଜଣାଇବେ ବୋଲି କହିଛନ୍ତି।