ଓଲଟିଲା ରେଭେନ୍ସା ପିକ୍‌ନିକ୍‌ ବସ୍‌, ୩୦ ଆହତ

ବିନା ଅନୁମତିରେ ଯାଇଥିଲେ ପିକ୍‌ନିକ୍‌; କୁଳପତି

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ଏମ୍‌ସିଏ ବିଭାଗର ଛାତ୍ରଛାତ୍ରୀଙ୍କ ପିକ୍‌ନିକ୍‌ ବସ୍‌ ଗଞ୍ଜାମ ଜିଲ୍ଲା ପାଟପୁରଠାରେ ଆଜି ସଂଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ବିଭାଗର ୫୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଶ୍ବବିଦ୍ୟାଳୟର ବିନା ଅନୁମତିରେ ଗତକାଲି ରାତିରେ ଗଞ୍ଜାମର ତପ୍ତପାଣିକୁ ପିକ୍‌ନିକ୍‌ରେ ଯାଇଥିଲେ ଛାତ୍ରଛାତ୍ରୀ। ଆଜି ଫେରିବା ସମୟରେ ପାଟପୁର ନିକଟରେ ବସ୍‌ର ବ୍ରେକ ଫେଲ ହୋଇ ଯିବାରୁ ଏହା ରାସ୍ତା କଡର ଏକ ଗଛରେ ପିଟି ହୋଇ ଯାଇଥିଲା। ଏଥିରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁଲିସ ସହାୟତାରେ ପାଟପୁରା ଓ ପରେ ଗଞ୍ଜାମ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି। କଟକ ଜିଲ୍ଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର ବ୍ରହ୍ମପୁର ଯାଇ ଛାତ୍ରଛାତ୍ରୀଙ୍କୁ କଟକ ଆଣିବା ବ୍ୟବସ୍ଥା କରୁଛନ୍ତି।

ଅନ୍ୟପଟେ, ବିଭାଗର ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଭାଗୀୟ ମୁଖ୍ୟଙ୍କ ବିନା ଅନୁମତିରେ ପିକ୍‌ନିକ୍‌ରେ ଯାଇଥିବା ବେଳେ ସେମାନଙ୍କ ସହିତ ଜଣେ ଅତିଥି ଅଧ୍ୟାପକ ଥିବା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ଇସାନ କୁମାର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର