ଢେଙ୍କାନାଳ: ଅସାବଧାନତା ଯୋଗୁଁ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଖସିପଡ଼ିଛି। ବନ୍ଧୁକରୁ ଗୁଳି ବି ବାହାରିଛି। କିନ୍ତୁ ସୁଖର କଥା ହେଲା ଯେ, ଏହି ଗୁଳିରେ କହାରି ମୃତ୍ୟୁ ହୋଇନାହିଁ। ଢେଙ୍କାନାଳସ୍ଥିତ ଏଲଆଇସି କାର୍ଯ୍ୟାଳୟର ମୁଖ୍ୟ ଶାଖାରେ ଆଜି ଅପରାହ୍ନ ପ୍ରାୟ ୧୨ଟାରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ଢେଙ୍କାନାଳ ଅଫିସ୍ ମେନ୍ ବ୍ରାଞ୍ଚରେ ଆଜି ପ୍ରାୟ ୩୦ରୁ ଊର୍ଦ୍ଧ୍ଵ ଏଲଆଇସି କର୍ମଚାରୀ କାର୍ଯ୍ୟରତ ଥିଲେ। ଏହି ସମୟରେ ଅସାବଧାନତା ଯୋଗୁଁ ସିଏମଏସ ସିକ୍ୟୁରିଟି ଗାର୍ଡଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟିଥିଲା। ଏଲ୍ଆଇସିରୁ ଟଙ୍କା ନେଇ ଅନ୍ୟ ବ୍ୟାଙ୍କରେ ଡିପୋଜିଟ୍ ପାଇଁ ସିଏମ୍ଏସ୍ ଗାଡି ଆସିଥିଲା। ସିକ୍ୟୁରିଟି ଗାର୍ଡ କୁମୁଦ ଚନ୍ଦ୍ର ସାହୁଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ କାନ୍ଧରୁ ଖସି ତଳେ ପିଟି ହେବାରୁ ଅସାବଧାନତା ବଶତଃ ଗୁଳି ଫୁଟିଯାଇଥିଲା। ଗୁଳି ଫୁଟିବା ପରେ ଅଫିସ୍ ସିଲିଂର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ କାର୍ଯ୍ୟାଳୟରେ ଥିବା ୩୦ରୁ ଊର୍ଦ୍ଧ୍ୱ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Security-Guard.jpg)