ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ୍ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୩୦ ଜଣ ନବମ ଶ୍ରେଣୀ ଛାତ୍ରୀ ଗତ ବିଳମ୍ବିତ ରାତି ୨ଟାବେଳେ ହଷ୍ଟେଲ୍ ଛାଡ଼ି ପଳାଇଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ଖୋଜ୍ଖବର ମିଳୁ ନଥିବାରୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ଅଡ଼ୁଆରେ ପଡ଼ିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଛାତ୍ରୀମାନେ ଯିବାବେଳେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ଏକ ଚିଠି ବିଦ୍ୟାଳୟରେ ଥିବା ମ୍ୟାଟ୍ରନଙ୍କ କୋଠରୀରେ ପକାଇଦେଇ ପଳାଇଛନ୍ତି। ସେଇଥିରୁ ହିଁ ଏହାର କାରଣ ସମ୍ପର୍କରେ ଜଣାପଡ଼ିଛି।
ସେମାନେ ଚିଠିରେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘଦିନ ହେଲା ବିଦ୍ୟାଳୟରେ ଶିକ୍ଷକଙ୍କ ଭିତରେ ମନାନ୍ତରରୁ ବିଶୃଙ୍ଖଳା ସୃଷ୍ଟି ହୋଇ ଆସୁଥିଲା। ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ବି ଛାତ୍ରୀମାନେ ଅତିଷ୍ଠ ଥିଲେ। ଯେଉଁଥିପାଇଁ ସେମାନେ ହଷ୍ଟେଲ ଛାଡ଼ିଛନ୍ତି।
ଏହି ଚିଠିକୁ ମୋହନା ବ୍ଳକ୍ ମଙ୍ଗଳ ସ˚ପ୍ରସାରଣ ଅଧିକାରୀଙ୍କୁ ହସ୍ତଗତ କରାଯାଇଛି। ଏଥିସହ, ଜିଲ୍ଲାମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାଯାଇଛି। ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶାନ୍ତ କୁମାର ରଥ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।
ଅପରପେକ୍ଷ, ବିଦ୍ୟାଳୟ ଚାରିପାଖରେ ପାଚେରୀ ଥିବାବେଳେ ମୁଖ୍ୟ ଫାଟକରେ ବି ତାଲା ପକାଯାଉଛି। ଏପରିସ୍ଥଳେ ଛାତ୍ରୀମାନେ ଏକାଠି କିଭଳି ପଳାଇଲେ ଏହାକୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖବର ହସ୍ତଗତ ସୁଦ୍ଧା ନିଖୋଜ ଛାତ୍ରୀଙ୍କ ସନ୍ଧାନ ମିଳିନାହିଁ। ଆସନ୍ତାକାଲି ମୋହନା ବ୍ଲକ ଚୁଡ଼ୁଙ୍ଗପୁର ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିବାରୁ ଛାତ୍ରୀମାନେ ସେଠାକୁ ଆସିପାରନ୍ତି ବୋଲି ଅନୁମାନ କରାଯାଉଛି।