ଭୋଗରାଇ: ଶ୍ରାବଣର ତୃତୀୟ ସୋମବାରରେ ଭୋଗରାଇର ଅନନ୍ୟ ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ମନ୍ଦିରରେ ୩୦ ହଜାରରୁ ଊର୍ଦ୍ଧ୍ବ କାଉଡ଼ିଆଙ୍କ ସମାଗମ ହୋଇଥିଲା।
ରାତି ପ୍ରାୟ ସାଢ଼େ ୩ଟାରେ ମନ୍ଦିର ଖୋଲାଯିବା ସହିତ ବାବାଙ୍କ ଆଳତୀ ପରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାଦେବଙ୍କୁ ଜଳାଭିଷେକ କରିଥିଲେ। ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଜଳାଭିଷେକ ଚାଲିବା ପରେ ବାବାଙ୍କ ସେବା ପୂଜା ଆରମ୍ଭ ହୋଇଥିଲା। ସେବାପୂଜା ପରେ ପୁଣି ଥରେ ଜଳାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦିନ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା। ମନ୍ଦିର ଟ୍ରଷ୍ଟବୋର୍ଡ ଓ ତାଳସାରି ସାମୁଦ୍ରିକ ଥାନା ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ତଦାରଖ କରାଯାଇଥିବା ବେଳେ ଟ୍ରଷ୍ଟବୋର୍ଡର ମୌରସୀ ତପନ କୁମାର ପଣ୍ଡା, ସେବାୟତ ବୁଦ୍ଧଦେବ ପଣ୍ଡା, ସୁପରଭାଇଜର ବରେନ୍ଦ୍ର ପ୍ରହରାଜ ତଥା ମନ୍ଦିରର ସମସ୍ତ ସେବାୟତମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀ ସୁଜାତା ମଲ୍ଲିକ ସଦଳବଳେ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ।
ସେହିପରି ଭୋଗରାଇ ବ୍ଲକ ଅନ୍ତର୍ଗତ କୁମ୍ଭୀରଗଡ଼ିସ୍ଥିତ ବାବା ଭୂଷଣ୍ଡେଶ୍ବର ଶୈବପୀଠ ସହିତ ଭୋଗରାଇ ଓ କମର୍ଦ୍ଦା ବାରଦେଉଳୀ ଶୈବପୀଠ, ଦହମୁଣ୍ଡାସ୍ଥିତ ଅଷ୍ଟଶମ୍ଭୁ ଶିବ ମନ୍ଦିରରେ ଶହଶହ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିବା ସହିତ ଜଳାଭିଷେକ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/15-1.jpg)