ହାଟଡିହି ଛକରୁ ଝାମ୍ପିନେଲେ ୩୦ ହଜାର ଟଙ୍କା

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧୀନ ହାଟଡିହି ବ୍ଲକ୍‌ଛକରୁ ଆଜି ଦିନ ୧୧ଟାବେଳେ ଦୁଇଜଣ ଲୁଟେରା ଜଣେ ବ୍ୟକ୍ତିଙ୍କ ଠାରୁ ୩୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଝାମ୍ପି ନେଇଛନ୍ତି । ଖବରରୁ ଜଣାଯାଇଛି ଯେ ଆଜି ଦିନ ୧୧ଟାବେଳେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ପାଇଁ ଭାଗ୍ୟଲକ୍ଷ୍ମୀ ଜମାରାଶି ସଂଗ୍ରହ କରୁଥିବା ଆପଣ୍ଡା ଗ୍ରାମର ସୁବାସ ମିଶ୍ର ହାଟଡିହି ବ୍ଲକ ଛକରେ କିଛି ଦୋକାନୀଙ୍କ ଠାରୁ ଜମାଟଙ୍କା ସଂଗ୍ରହ କରୁଥିଲେ। ସେ ଟଙ୍କାବ୍ୟାଗ ଧରି ଯାଉଥିବା ସମୟରେ ହଠାତ୍‌ ଦୁଇଜଣ ଯୁବକ ଏକ ଆପାଚି ବାଇକରେ ଆସି ସୁବାସ ମିଶ୍ରଙ୍କ ନିକଟରୁ ଟଙ୍କା ବ୍ୟାଗଟି ଛଡ଼ାଇ ନେଇ ଚମ୍ପଟ ମାରିଥିଲେ।

ସେ ଖୁବ ଜୋରରେ ପାଟି କରିବାରୁ କିଛି ସ୍ଥାନୀୟ ଯୁବକ ଲୁଟେରାଙ୍କ ପିଛା କରିଥିଲେ। ଲୁଟେରା ଦ୍ୱୟ ଓରାଳି ଦେଇ ପଳାଇବାକୁ ଚେଷ୍ଟା କରୁଥିବାବେଳେ ଓରାଳି ପେଟ୍ରୋଲ ପମ୍ପ ନିକଟରେ କିଛି ଲୋକ ରାସ୍ତା ଅବରୋଧ କରି ଠିଆ ହୋଇଥିବା ଦେଖି ସେମାନେ କ୍ଷେତୁଆଳି ବାଟଦେଇ ମରୈଗାଁ ଆଡକୁ ଆସି ଭଦ୍ରକ ରାସ୍ତାରେ ଚାଲିଯାଇଥିଲେ । ଲୁଟେରାମାନେ ବ୍ୟାଗରୁ ଟଙ୍କାତକ ନେଇଯାଇ ବ୍ୟାଗଟିକୁ ମରୈଗାଁ ଛକ ନିକଟରେ ଫେପାଡି ଦେଇଥିଲେ । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ଗତ କିଛିମାସ ତଳେ ଏହି ସୁବାସ ମିଶ୍ର ବସନ୍ତିଆ ବଜାର ନିକଟରେ ଲୁଟର ଶିକାର ହୋଇଥିବାବେଳେ ସେତେବେଳେ ଲୋକମାନେ ଲୁଟେରାଙ୍କୁ ଗୋଡ଼ାଇଗୋଡ଼ାଇ ଧରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର