ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପମଣ୍ଡପରୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ହଜାର ହଜାର ଭକ୍ତ ପ୍ରତିଦିନ ଆସି ମହାପ୍ରଭୁଙ୍କ ଆଡ଼ପ ଦର୍ଶନର ସୌଭାଗ୍ୟ ଅର୍ଜିବା ସହ ମହାପ୍ରଭୁଙ୍କ ମହାପ୍ରସାଦ ନେଇ ଘରକୁ ଫେରୁଛନ୍ତି। କିନ୍ତୁ ନୀତିରେ ଅହେତୁକ ବିଳମ୍ବ କାରଣରୁ ଦୁଇଦିନ ହେଲାଣି ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି। ବିଶେଷ କରି ବରାଦି ଭୋଗ ଭକ୍ତମାନେ ପାଉନାହାନ୍ତି। ନୀତି ବିଳମ୍ବ କାରଣରୁ ଗତକାଲି ପ୍ରାୟ ୩୦ହଜାର ଲୋକଙ୍କ ମହାପ୍ରସାଦ ଫିଙ୍ଗାଯାଇଛି। ଏହାକୁ ନେଇ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ଅସନ୍ତୋଷ ପ୍ରକାଶ କରିଛି। ତୁରନ୍ତ ନୀତିରେ ଶୃଙ୍ଖଳା ଆଣିବା ସହ ନଷ୍ଟ ହୋଇଥିବା ମହାପ୍ରସାଦର କ୍ଷତି ଭରଣା କରିବାକୁ ନିବେଦନ କରିଛି।
ଗତ ୧୦ ତାରିଖରେ ନୀତି ବିଳମ୍ବ କାରଣରୁ ପହୁଡ଼ ହୋଇନଥିଲା। ବିନା ପହୁଡ଼ରେ ଗତକାଲିର ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ପ୍ରାୟ ୭ଟା ୨୫ରେ ମଙ୍ଗଳ ଆଳତି ହୋଇଥିଲା। ସେହି ଅନୁସାରେ ଅନ୍ୟାନ୍ୟ ନୀତି ବିଳମ୍ବ ହୋଇଥିଲା। ସକାଳଧୂପ ମଧ୍ୟାହ୍ନ ୧୨ଟା ୪୫ରେ ଶେଷ ହୋଇଥିଲା। ଅପରାହ୍ଣ ୩ଟା ୧୦ରେ ପ୍ରଥମ ଭୋଗମଣ୍ଡପ ଶେଷ ହୋଇଥିଲା। ଏଣୁ ମହାପ୍ରସାଦ ବାହାରିବା ବିଳମ୍ବ ହୋଇଥିଲା। ଅପରାହ୍ଣ ପ୍ରାୟ ୪ରେ ମହାପ୍ରସାଦ ବାହାରିଥିଲା। ମଧ୍ୟାହ୍ନ ଧୂପ ରାତି ୮ଟା ୪୦ରେ ଶେଷ ହୋଇଥିଲା। ଏଣୁ ଦ୍ବିତୀୟ ଭୋଗମଣ୍ଡପ ରାତି ୧୦ଟା ୧୦ରେ ଶେଷ ହୋଇଥିଲା। ମହାପ୍ରସାଦ ବାହାରିବା ବେଳକୁ ରାତି ପ୍ରାୟ ୧୧ଟା ହୋଇଯାଇଥିଲା। ଗତକାଲି ନୀତି ବିଳମ୍ବ କାରଣରୁ ଭୋର୍ ୫ଟାରେ ରାତ୍ରପହୁଡ଼ ହୋଇଥିଲା। ଏଣୁ ଦ୍ବାରଫିଟା ବିଳମ୍ବ ହୋଇଥିଲା। ସକାଳ ପ୍ରାୟ ୭ଟା ୪୦ରେ ଦ୍ବାରଫିଟା ନୀତି ହୋଇଥିଲା। ସେହି ଅନୁସାରେ ଅପରାହ୍ଣ ୪ଟାରେ ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହୋଇଥିଲା। ଏଣୁ ମହାପ୍ରସାଦ ବାହାରିବା ଅପରାହ୍ଣ ୫ଟା ହୋଇଯାଇଥିଲା। ସେହି ଅନୁସାରେ ଦ୍ବିତୀୟ ଭୋଗମଣ୍ଡପ ବିଳମ୍ବ ହୋଇଛି।
ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ବରାଦି ଭୋଗ ଓ ଭକ୍ତଙ୍କୁ ମିଶାଇ ଆମେ ପ୍ରତିଦିନ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରୁଛୁ। ଗତକାଲି ନୀତି ବିଳମ୍ବ କାରଣରୁ ବରାଦି ଭୋଗ କେହି ନେଲେନି। ଯେଉଁଥିପାଇଁ ୩୦ହଜାର ଲୋକଙ୍କ ବରାଦି ଭୋଗ ଆଜି ଫିଙ୍ଗାଯାଇଛି। ଯାହାର ମୂଲ୍ୟ ୮ରୁ ୧୦ଲକ୍ଷ ଟଙ୍କା ହେବ। ଆଜି ବି ନୀତି ବିଳମ୍ବ କାରଣରୁ ପ୍ରଥମ ଭୋଗମଣ୍ଡପ ବିଳମ୍ବରେ ବାହାରିଛି। ଏଣୁ ଆଜି ବି ବରାଦି ଭୋଗ କେହି ପାଇପାରିବେନି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ନୀତି ଶୃଙ୍ଖଳା କରିବାକୁ ଶ୍ରୀ ମହାସୁଆର ଦାବି କରିଛନ୍ତି। ଏଥିସହ ଯେଉଁ କ୍ଷତି ହେଲା, ତାହା ଭରଣା କରିବାକୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/ggjdgjdgjdgdj.jpg)