ଭଦ୍ରକକୁ ଆସିଲେଣି ୩୦ ହଜାର ପ୍ରବାସୀ, ୭,୮୮୮ ଜଣଙ୍କର ନମୁନା ପରୀକ୍ଷା ହେଲା

୧୮୬ କରୋନା ଆକ୍ରାନ୍ତ: ୧୬୮ସୁସ୍ଥ, ୧୮ ସକ୍ରିୟ

ଭଦ୍ରକ: କରୋନା ଭାଇରସ୍‌ ପାଇଁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଲକଡାଉନ୍‌ ହେବା ପରେ ଆଜିସୁଦ୍ଧା ଜିଲ୍ଲାକୁ ୩୦ ହଜାରରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ୭ ହଜାର ୮୮୮ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଛି। ଏଥିରୁ ୧୮୬ ଜଣଙ୍କର ନମୁନା ରିପୋର୍ଟ ଟେଷ୍ଟ ରିପୋର୍ଟ ପଜେଟିଭ୍‌ ଆସିଛି। ଜିଲ୍ଲାରେ ଏବେ ଅଧିକାଂଶ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍‌ ଉଠି ଯାଇଥିବା ବେଳେ କେବଳ ଯେଉଁ ଅଞ୍ଚଳରେ ସକ୍ରିୟ ଆକ୍ରାନ୍ତ ଅଛନ୍ତି, ସେହିସବୁ ଅଞ୍ଚଳକୁ ଅବରୋଧ ଅଂଚଳ ଭାବେ ରଖାଯାଇଛି। ପ୍ରତି ସପ୍ତାହର ଶନିବାର ଓ ରବିବାରକୁ ସଟ୍‌ଡାଉନ୍‌ ରଖାଯାଉଛି।

ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଆଜି ୧୮୬ରେ ପହଞ୍ଚିଛି। ଏହାରି ଭିତରେ ୧୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୮ଟି ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଆଜି ନୂଆ ୫ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହେବାପରେ ସେମାନଙ୍କୁ କୋଭିଡ୍‌ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି। ଭଦ୍ରକର ଓଲଙ୍ଗ ସଂଗରୋଧ କେନ୍ଦ୍ରରୁ ଜଣେ ଓ ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରୁ ୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ଆଇସୋଲେସନ କେନ୍ଦ୍ରରୁ ଗତ କିଛି ଦିନ ହେଲା ୪ରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ମେଡିକାଲ ପରିସରକୁ ସାନିଟାଇଜ୍‌ କରାଯାଉ ନାହିଁ।

କରୋନା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଯେଭଳି ଭାବେ ସଫା ସୁତରା ରଖା ଯିବା କଥା ତାହା କରାଯାଉ ନାହିଁ। ମେଡିକାଲକୁ ଆସୁଥିବା ଅନ୍ୟ ରୋଗୀମାନଙ୍କୁ କରୋନା ବ୍ୟାପିବାର ସମ୍ଭାବନା ଅନେକ ରହୁଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଆଉ ଭୟରେ ରୋଗୀ ଆସୁ ନାହାନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଖାମ୍‌ ଖିଆଲି ମନୋଭାବ ଯୋଗୁଁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାର ସମ୍ଭାବନର ଅନେକ ରହିଛି। ଜିଲ୍ଲାର ଲୋକମାନେ ଏନେଇ ପ୍ରତିବାଦର ସ୍ୱର ଉଠାଉଥିଲେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ କିଛି ପଦକ୍ଷେପ ନେଉ ନାହାନ୍ତି। ସ୍ୱାସ୍ଥ୍ୟ ବିଭାଗର ଏଭଳି କାମକୁ ଜିଲ୍ଲାବାସୀ ନାପସନ୍ଦ କରିଥିବା ବେଳେ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ ଦାନା ବାନ୍ଧୁଛି।

ସମ୍ବନ୍ଧିତ ଖବର