ଆହାର କେନ୍ଦ୍ରକୁ ୩୦ ହଜାର ଲୋକଙ୍କ ଭରସା

ଭୁବନେଶ୍ବର: ବର୍ତ୍ତମାନ ଲକଡ଼ାଉନ ପରିପ୍ରେକ୍ଷୀରେ ରାଜ୍ୟର ୩୦ ହଜାର ଲୋକ ଆହାର କେନ୍ଦ୍ର ଉପରେ ଭରସା କରିଛନ୍ତି। ଏକଥା ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଏକ ପ୍ରେସ ବିଜ୍ଞପ୍ତିରେ ଦାବି କରିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୩୦ ଟି ଜିଲ୍ଲାରେ ଡାକ୍ତରଖାନା ପରିସରରେ ଓ ଏହାର ଆଖପାଖ ଥିବା ୬୭ଟି ଆହାର କେନ୍ଦ୍ର ମାଧ୍ୟମରେ ଦୈନିକ ପ୍ରାୟ ୩୦ ହଜାରରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ରୋଗୀଙ୍କ ସଂପର୍କୀୟଙ୍କ ସମେତ ଅନ୍ୟମାନେ ମଧ୍ୟ ଏହି ଆହାର କେନ୍ଦ୍ରରୁ ଖାଦ୍ୟ ଖାଉଛନ୍ତି। ରାଜ୍ୟ ସରକାର କରୋନା ପରିପ୍ରେକ୍ଷୀରେ ଅନ୍ୟ ଆହାର କେନ୍ଦ୍ରଗୁଡିକ ଉପରେ କଟକଣା ଲଗାଇଛନ୍ତି। ହେଲେ ଡାକ୍ତରଖାନା ପରିସର ଓ ଏହାର ନିକଟରେ ଥିବା ଆହାର କେନ୍ଦ୍ରର ଗୁରୁତ୍ୱକୁ ଉପଲବ୍ଧି କରି ସେହି ସବୁ ଆହାର କେନ୍ଦ୍ର ଖୋଲା ରଖିବା ପାଇଁ ସ୍ଥିର କରାଯାଇଛି। ଏହି କ୍ରମରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ କେନ୍ଦ୍ରରେ ରାତ୍ରୀକାଳୀନ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଆହାର କେନ୍ଦ୍ରରେ ସତର୍କତା ପାଳନ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ବିଶେଷକରି ଲୋକମାନେ ଦୂରତା ରକ୍ଷାକରି ଧାଡିରେ ଆସିବା, ଆହାର କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ବାହାରେ ରଖାଯାଇଥିବା ସାବୁନରେ ଭଲଭାବେ ହାତ ଧୋଇବା, ପଇସା କାହା ହାତକୁ ନଦେଇ ଉଦ୍ଦିଷ୍ଟ ବାକ୍ସରେ ପକାଇବା, ଖାଦ୍ୟ ଖାଇବା ସମୟରେ ଦୂରତ୍ୱ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇ ଏସବୁରେ ବ୍ୟବସ୍ଥା କରାଯାଇଛି। ଖାଦ୍ୟ ଖାଇସାରିବା ପରେ ଲୋକମାନେ କେନ୍ଦ୍ର ପରିସରରେ ହାତ ନ‌େଧାଇ ଯେଭଳି ବାହାରେ ଆସି ଦୂରତା ରକ୍ଷାକରି ହାତ ଧୋଇବେ ସେଥିନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନଗର ଉନ୍ନୟନ ବିଭାଗ କହିଛି।

ସମ୍ବନ୍ଧିତ ଖବର