ଖୋର୍ଦ୍ଧା : ଖୋର୍ଦ୍ଧା ଜିଳ୍ଲାରୁ ମାଙ୍କଡ଼ା ପଥର ଚୋରା ଚାଲାଣ କରୁଥିବା ୩୦ଟି ଟ୍ରକ୍‌କୁ ଖୋର୍ଦ୍ଧା ପୁଲିସ ଆଜି ରାତିରେ ଜବତ କରିଛି। ପୁଲିସର ଦୀର୍ଘ ୪ ଘଣ୍ଟାର କସରତ ପରେ ଟ୍ରକ୍‌ଗୁଡ଼ିକ ଜବତ ହୋଇଛି। ତେବେ ଅପରାଧୀମାନେ ଖସି ଚାଲିଯାଇଛନ୍ତି।

Advertisment

ଗୁଇନ୍ଦା ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁଙ୍କ ନିେର୍ଦ୍ଦଶରେ ଏକ ଟିମ୍ ଗଠନ କରାଯାଇ ଜଙ୍କିଆ ଥାନା ମଳିପଡ଼ା ନିକଟବର୍ତୀ ଅଁଳାଟାଙ୍ଗୀରେ ଚଢ଼ଉ କରାଯାଇଥିଲା। ମାଙ୍କଡ଼ା ପଥର ଚୋରା ଚାଲାଣ କରୁଥିବାବେଳେ ୩୦ଟି ଗାଡ଼ିକୁ ଜବତ କରାଯାଇଥିଲା। ରାତି ପ୍ରାୟ ୯ଟାରେ ଜବତଗାଡ଼ିଗୁଡ଼ିକୁ ଆରକ୍ଷୀ ଧେୀକ୍ଷକଙ୍କ କାର୍ଯ୍ୟାଳୟକୁ ଅଣାଯାଇଛି। ଏସ୍‌ଡିପିଓ ସତୀଶ ପାଡ଼ୀ, ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର, ସଦର ଥାନା ଆଇଆଇସି ଅନୀତା ସାହୁ, ଆର୍ଆଇ ନାଗେଶ ଜେନା, ବିବେକାନନ୍ଦ ବାଘେ, ସର୍ଜେଣ୍ଟ ଅମୂଲ୍ୟ ନାୟକ, ଏସ୍‌ଆଇ ଗାୟତ୍ରୀ ଗୋଚ୍ଛାୟତଙ୍କ ସମତେ ୧ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ସାମିଲ ଥିଲେ। ତହସିଲଦାର ଶୁଭେନ୍ଦୁ କୁମାର ସାମଲ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିଲେ। ଖନନ ଅଞ୍ଚଳକୁ ଘେରାବନ୍ଦୀ କରି ଟିମ୍ ଏକ ସଙ୍ଗରେ ଚଢ଼ଉ କରିଥିଲେ। ଏସ୍‌ପି ଶ୍ରୀ ସ୍ବାଇଁ କହିଛନ୍ତି ଯେ ଆଗକୁ ଏହି ଧରପଗଡ଼ ଜୋରଦାର କରାଯିବ। ସୂଚନାଯୋଗ୍ୟ, ଗତ ୫ ତାରିଖରେ ଏଭଳି ଏକ ଚଡ଼ଉରେ ଖୋର୍ଦ୍ଧା ପୁଲିସ୍‌ ୧୪ଟି ଟ୍ରକ୍, ଜେସିବି ଆଦି ଜବତ କରିଥିଲା। ୩ ମାସ ମଧ୍ୟରେ ଜିଲ୍ଲାରେ ଏଭଳି ଚଡ଼ଉରେ ୧୮୦ଟି ଚୋରା ଚାଲାଣ କରୁଥିବା ଗାଡ଼ିକୁ ଜବତ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୫୦ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି।