ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆଉ ନାହାନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଜଣେ ପୁଲିସ ଏଏସ୍ଆଇଙ୍କ ଗୁଳିମାଡ଼ର ଶିକାର ହେଲା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୬୧ ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ବର ଆପଲୋ ହସ୍ପିଟାଲରେ ସ୍ବତନ୍ତ୍ର ମେଡିକାଲ ବିଶେଷଜ୍ଞ ଟିମ୍ ନବ ଦାସଙ୍କୁ ବଞ୍ଚାଇ ପାରି ନାହାନ୍ତି। ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ନବ ଦାସ ଆଉ ନାହାନ୍ତି ସତ କିନ୍ତୁ ସାଧାରଣ ଜନତାଙ୍କ ପାଇଁ ଲଢ଼େଇ କରିଥିବା ନବ ଦାସଙ୍କୁ ପଶ୍ଚିମ ଓଡ଼ିଶାବାସୀ ଭୁଲି ପାରିବେ ନାହିଁ।
ଛାତ୍ର ଜୀବନରୁ ରାଜନୀତିକୁ ଆସିଥିବା ନବ କିଶୋର ଦାସ ଜଣେ ସୁସଂଗଠକ ଥିଲେ। ତାଙ୍କର ନେତୃତ୍ବ ବଳିଷ୍ଠ ଥିଲା। ଏହି କାରଣରୁ ସମାଜର ସବୁ ସ୍ତରରେ ସେ ଗ୍ରହଣୀୟ ହୋଇପାରିଥିଲେ। ସକ୍ରିୟ ରାଜନୀତିକୁ ଆସି ସେ ପ୍ରଥମେ କଂଗ୍ରେସରୁ ପରେ ବିଜେଡିରୁ ନିର୍ବାଚନ ଲଢ଼ି ବିଧାୟକ ଭାବେ ୩ଥର ନିର୍ବାଚିତ ହୋଇଥିଲେ। ତେବେ ସେ ସମୁଦାୟ ୪ ଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ପ୍ରଥମ ଥର ଯଦିଓ ସେ ନିର୍ବାଚନରେ ହାରି ଯାଇଥିଲେ, କିନ୍ତୁ ଶେଷ ୩ ଥର ବିଜୟୀ ହୋଇଥିଲେ। ୧୯୮୦ ମସିହାରେ ନବ ଦାସ ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ କଂଗ୍ରେସରେ ଯୋଗଦେଇଥିଲେ। ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର କଲେଜ (ବର୍ତ୍ତମାନର ଗଂଗାଧର ମେହେର ବିଶ୍ବବିଦ୍ୟାଳୟ)ରେ ପଢ଼ୁଥିଲା ବେଳେ ଛାତ୍ର ସଂସଦର ସଭାପତି ହୋଇଥିଲେ।
ଦୀର୍ଘ ୩୦ ବର୍ଷ ସେ କଂଗ୍ରେସ ଦଳ ସହିତ ଜଡ଼ିତ ଥିଲେ। ପାଠ ପଢ଼ା ଶେଷ ହେଲା ପରେ ସେ ସମ୍ବଲପୁରରୁ ଆସି ଝାରସୁଗୁଡ଼ାରେ ବସବାସ ଆରମ୍ଭ କରିଥିଲେ। ୨୦୦୪ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଜେଡି ନେତା ସ୍ବର୍ଗତ କିଶୋର ମହାନ୍ତିଙ୍କ ଠାରୁ ହାରିଥିଲେ। କିନ୍ତୁ ପରେ ପୁଣି ସେ କଂଗ୍ରେସରୁ ବିଧାୟକ (୨୦୦୯ ଓ ୨୦୧୪) ହୋଇଥିଲେ। ବିଜେଡି ନେତା ସ୍ବର୍ଗତ କିଶୋର ମହାନ୍ତିଙ୍କୁ ହରାଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଥିଲେ। ୨୦୧୯ ଜାନୁଆରି ୧୬ ତାରିଖରେ କଂଗ୍ରେସ ଛାଡ଼ି ଜାନୁଆରି ୨୪ରେ ବିଜେଡିରେ ଯୋଗ ଦେଇଥିଲେ। ସେହି ବର୍ଷ ସେ ବିଜେଡି ଟିକେଟରେ ଝାରସୁଗୁଡ଼ାରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏଥି ସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟମନ୍ତ୍ରୀ ହୋଇପାରିଥିଲେ। ମହାମାରୀ କରୋନା ସମୟରେ ରାଜ୍ୟ ଏକ ସଂକଟଜନକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ସେ ସ୍ବାସ୍ଥ୍ୟବିଭାଗର ମଙ୍ଗ ସମ୍ଭାଳିଥିଲେ।
ତାଙ୍କର ବିୟେଗରେ ଚାରି ଦଶକର ଏକ ଘଟଣାବହୁଳ ରାଜନୈତିକ ଜୀବନର ଅବସାନ ଘଟିଛି। ରାଜ୍ୟ ଏକ ଲୋକପ୍ରିୟ ରାଜନେତା, ସୁସଂଗଠକ ଓ ଦକ୍ଷପ୍ରଶାସକଙ୍କୁ ସବୁଦିନ ଲାଗି ହରାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/4355bcd0-d776-4fe5-8655-474cd501d920.jpg)