ପୂଜାଭୋଗ ଖାଇ ୩୦୦ ଅସୁସ୍ଥ : ୧୬୮ ଏବେ ବି ମେଡିକାଲରେ, ଗାଁରେ ପହଞ୍ଚିଲେ ୩ଟି ଡାକ୍ତରୀଦଳ

ନାକଟିଦେଉଳ/ରେଢ଼ାଖୋଲ/ସମ୍ବଲପୁର : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ଆଡ଼ିସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ରାତିରେ ବିଷାକ୍ତ ଭୋଗ ଖାଇ ଆଡ଼ିସାହି, ପାଣିଗ୍ରାହୀପାଲି ଓ ଗେଲାବେଡ଼ାର ପ୍ରାୟ ୩ଶହ ଜଣ ଝଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କେତେକ ଅସୁସ୍ଥଙ୍କୁ ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୮ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ମଧ୍ୟରୁ ୬ ଜଣ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନା ଓ ୨ ଜଣ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟ‌ରେ ଗିରିଶ୍ଚନ୍ଦ୍ରପୁର ମେଡିକାଲରେ ୧୩୦ ଜଣ, ନାକଟିଦେଉଳ ମେଡିକାଲରେ ୩୦ ଜଣ ଓ କିଛି ଘରେ ଚିକିତ୍ସିତ ହେଉଛନ୍ତି। ଏଡିଏମ୍‌ଓ(ପରିବାର କଲ୍ୟାଣ) ଡା.କୁବେର ମହନ୍ତଙ୍କ ନେତୃତ୍ବରେ ସିଏସି ଟିମ୍‌, ଜିଲ୍ଲା ସ୍ବାସ୍ଥ୍ୟ ଟିମ୍‌ ଓ ସ୍ବତନ୍ତ୍ର ଟିମ୍‌ ଗାଁରେ ପହଞ୍ଚି ଚିକିତ୍ସା କରୁଛନ୍ତି। ତେବେ ସନ୍ଧ୍ୟାବେଳକୁ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଗିରିଶ୍ଚନ୍ଦ୍ରପୁର ମେଡିକାଲରେ ଚିକିତ୍ସିତ ‌ହେଉଥିବା କିଛି ରୋଗୀଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ସୂଚନା ପାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚି ଚିକିତ୍ସା କରିଛନ୍ତି। ଏନେଇ ଡା.ମହନ୍ତଙ୍କୁ ପଚାରିବାରେ ସୋମବାର ରାତି ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଗାଁଗାଁ ବୁଲି ଲୋକଙ୍କୁ ଚିକିତ୍ସା କରାଯାଉଥିବା ସୂଚନା ଦେଇଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ପ୍ରାୟ ୨ଶହ ଜଣ ମହିଳା ଓ ୪୦ରୁ ଅଧିକ ଶିଶୁ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଶନିବାର ରାତିରେ ଆଡ଼ିସାହି ଗ୍ରାମରେ ମହାମାୟୀ ପୂଜାର ଉଦ୍‌ଯାପିତ ହୋଇଥିଲା। ପୂଜା ଭୋଗ ଖାଇବାକୁ ପାଖର ୨ଟି ଗ୍ରାମ ପାଣିଗ୍ରାହୀପାଲି, ଗେଲାବେଡ଼ାର ଲୋକେ ମଧ୍ୟ ଆସିଥିଲେ। ତେବେ ପୂଜାକୁ ଆସିଥିବା ସମସ୍ତ ଲୋକେ ଭୋଗ ହୋଇଥିବା ଖେଚୁଡ଼ି ଖାଇଥିଲେ। ତେବେ ରବିବାର ଅପରାହ୍ଣରୁ ଆଡ଼ିସାହିର କିଛି ଲୋକଙ୍କୁ ଝାଡ଼ାବାନ୍ତି ହେବା ପରେ ଧୀରେଧୀରେ ସୋମବାର ସକାଳକୁ ଏହା ୩ଟି ଯାକ ଗ୍ରାମକୁ ବ୍ୟାପିଥିଲା ଓ ୩ଶହରୁ ଊର୍ଦ୍ଧ୍ବ ଲୋକ ଏଥିରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତଙ୍କୁ ନିଜ ନିଜ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ। ତେବେ ଗିରିଶ୍ଚନ୍ଦ୍ରପୁର ଡାକ୍ତରଖାନାରେ ଏତେ ସଂଖ୍ୟକ ଝାଡ଼ାବାନ୍ତି ରୋଗୀ ପହଞ୍ଚିବା ପରେ ନାକଟିଦେଉଳ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିଲା। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଆବଶ୍ୟକୀୟ ଔଷଧ ଓ ସାଲାଇନ୍‌ ନେଇ ଗ୍ରାମରେ ପହଞ୍ଚିଥିଲେ। ସେପଟେ, ସକାଳୁ ଗିରିଶ୍ଚନ୍ଦ୍ରପୁର ମେଡିକାଲରେ ଆବଶ୍ୟକୀୟ ସାଲାଇନ୍‌ ନିଅଣ୍ଟ ହେବାରୁ ଅସୁସ୍ଥଙ୍କ ପରିବାରଲୋକେ ନିକଟସ୍ଥ ଘରୋଇ ମେଡିକାଲ ଷ୍ଟୋରରୁ କିଣିଥିଲେ। ତେବେ ଦିନ ୧୧ଟା ବେଳକୁ ସେହି ଅଞ୍ଚଳର ସମସ୍ତ ଔଷଧ ଦୋକାନଗୁଡ଼ିକରୁ ମଧ୍ୟ ସାଲାଇନ୍‌ ଶେଷ ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରାୟ ୨ ବର୍ଷ ତ‌ଳେ ନାକଟିଦେଉଳ ବ୍ଲକର ଭୁଲିକି ଗ୍ରାମରେ ବାହାଘର ଭୋଜି ଖାଇ ୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା ବେଳେ ଗତ ବର୍ଷ ଗୋଇଲମୁଣ୍ତି ଗ୍ରାମରେ ମଧ୍ୟ ଝାଡାବାନ୍ତିରେ ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର