ବଂଶଧାରା ନଦୀ ଉପତ୍ୟକାରେ ୩୦୦ଶହ କୋଟିର ସେଚ ପ୍ରକଳ୍ପ କୋମାରେ

କାଶୀନଗର: ଗଜପତି ଜିଲ୍ଲା ବଂଶଧାରା ନଦୀ ଉପତ୍ୟକାରେ ୩୦୦ଶହ କୋଟିର ଏକ ମେଗା ଉଠା ସେଚ ପ୍ରକଳ୍ପ କାର୍ଯ୍ୟାରମ୍ଭ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଏହି ପ୍ରକଳ୍ପ କୋମାରେ। ୨୦୧୯ ମସିହାରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୨ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ସରି ନାହିଁ କି ଚାଷୀମାନେ ପ୍ରକଳ୍ପ ଦ୍ଵାରା ଉପକୃତ ହୋଇପାରି ନାହାନ୍ତି ।

ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ କହିବା ଅନୁଯାୟୀ, କାଶୀନଗର ବ୍ଲକ୍‌ର ସାରା ଗ୍ରାମ ନିକଟରେ ଜଳସେଚନ ପାଇଁ ୪୮ଟି ପଏଣ୍ଟ୍‌ ଥିବା ବେଳେ ସେଥିରୁ ୪୧ଟିର ଟେଷ୍ଟିଂ ସରିଛି। ଅନ୍ୟ ୭ଟି ପଏଣ୍ଟର ଟେଷ୍ଟିଂ ହୋଇନାହିଁ। ସେହିଭଳି, ବଥବା ଗ୍ରାମରେ ୬୧ଟି ପଏଣ୍ଟ୍‌ ଥିବା ବେଳେ ସେଥିରୁ ୫୨ଟି କାର୍ଯ୍ୟକ୍ଷମ ହୋଇଛି। ଅନ୍ୟ ୯ଟି ପଏଣ୍ଟ ଟେଷ୍ଟିଂ ହୋଇପାରି ନାହିଁ । ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ଜଳସେଚନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। କିଡିଙ୍ଗା ପ୍ରକଳ୍ପ -୧ ରେ ୯୫ ଟି ଓ କିଡିଙ୍ଗା ପ୍ରକଳ୍ପ-୨ରେ ୭୦ଟି ପଏଣ୍ଟ୍‌ ରହିଛି। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଟେଷ୍ଟିଂ ହୋଇପାରି ନାହିଁ। ସେଗୁଡ଼ିକ ବି ନଦୀର ଜଳସ୍ତର ବୃଦ୍ଧି ଉପରେ ନିର୍ଭର କରେ। ଜମି ଆର୍ଦ୍ର ଥିଲେ ଓ ନଦୀରେ ପାଣି ପ୍ରଚୁର ପରିମାଣର ଥିଲେ ହିଁ ଜଳସେଚନ ହୋଇପାରିବ । ହେଲେ, ନିର୍ବାହୀ ଯନ୍ତ୍ରୀ ଓ ହିତାଧିକାରୀ ଚାଷୀଙ୍କ କଥାରେ ତାଳମେଳ ରହୁନାହିଁ । ବଥାବା ଚାଷୀମାନଙ୍କ କହିବା ଅନୁଯାୟୀ ତାଙ୍କ ଗ୍ରାମରେ ୬୧ଟି ପଏଣ୍ଟ ଅଛି ବୋଲି ଯାହା କୁହାଯାଉଛି ତାହା ମିଛ କଥା,। ସେଠାରେ ମାତ୍ର ୧୦ରୁ ୧୨ଟି ପଏଣ୍ଟ ରହିଛି । ସେଗୁଡ଼ିକ ବର୍ତ୍ତମାନ କାମ କରୁନାହିଁ। ସେହିଭଳି, ସାରା ଗ୍ରାମର ଚାଷୀମାନେ କହିଛନ୍ତି ଯେ ତାଙ୍କ ଗ୍ରାମରେ ୪୮ଟି ପଏଣ୍ଟ ନୁହେଁ ମାତ୍ର ୭ଟି ପଏଣ୍ଟ କାର୍ଯ୍ୟକ୍ଷମ ରହିଛି ।

ବଥବା ନିକଟରେ ଫାଟି ଯାଇଥିବା ପାଇପ୍ଗୁ‌ଡ଼ିକର ମରାମତି ସରିଛି ଓ ନଦୀର ଗୋଟିଏ ଅଞ୍ଚଳରେ ବାଲି ବସ୍ତା ଘୋଡ଼ାଇ ଏକ କୁତ୍ରିମ ଜଳାଶୟ କରାଯାଇଛି। ଗୋଟିଏ ମୋଟରରେ ଯେତିକି ଜଳ ଉଠାଣ ସମ୍ଭବ ସେତିକି ଜଳ ଉଠାଇ ଛଡ଼ାଯାଉଛି। ବୁଦ୍ଧିଜୀବୀମାନଙ୍କ ମତରେ ଯେଉଁ ବୈଷୟିକ କୌଶଳ ଆଧାରରେ ଏହି ପ୍ରକଳ୍ପର ପରିକଳ୍ପନା କରାଗଲା, ତାହା କାଶୀନଗର ଭଳି ଅଞ୍ଚଳ ପାଇଁ ଅନୁପଯୋଗୀ। ଏଭଳି ପ୍ରକଳ୍ପ ଗ୍ରହଣ କରିବା ଏକ ଭୁଲ ନିଷ୍ପତ୍ତି ଥିଲା। କାରଣ ବର୍ଷା ଋତୁରେ ନିୟମିତ ବର୍ଷା ହେଲେ ହିଁ ନଦୀରେ ପାଣି ଓ ଜମିରେ ଆର୍ଦ୍ରତା ରହିବ। ହେଲେ, ସେତେବେଳକୁ ଚାଷୀଙ୍କୁ ଆଉ ପାଣିର ଆବଶ୍ୟକତା ନ ଥିବ। ଏଣୁ, ୩୦୦ କୋଟି ବ୍ୟୟ ପରେ ମଧ୍ୟ ପ୍ରକଳ୍ପ କୋମା ଅବସ୍ଥାରେ ରହିବା ସରକାରୀ ବ୍ୟବସ୍ଥାର ଭୁଲ ନିଷ୍ପତ୍ତିକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି।

ସମ୍ବନ୍ଧିତ ଖବର