ଜଳେଶ୍ବର : ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରହି କାମ କରୁଥିବା ସହସ୍ରାଧିକ ପ୍ରବାସୀ ଓଡ଼ିଆ ଘରକୁ ଫେରିବା ପାଇଁ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥରେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳୁନାହିଁ। ସେମାନଙ୍କ ନିକଟରେ ପଶ୍ଚିମବଙ୍ଗ ପାସ୍ ନ ଥିବାରୁ ଓଡ଼ିଶା ଭିତରକୁ ପ୍ରବେଶ ଅନୁମତି ମିଳୁନାହିଁ ବୋଲି ବହୁ ପ୍ରବାସୀ ଓଡ଼ିଆ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ଲକ୍ଷ୍ମଣନାଥ ଗେଟ୍ ପାଖରେ ୩୦୦ ପ୍ରବାସୀ ଫସି ରହିଥିବା ଜଣାପଡ଼ିଛି।
ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ସାହାପୁର ଗ୍ରାମର ରମେଶ ଡାକୁଆ, ସେହି ତିହିଡ଼ି ଅଞ୍ଚଳର କରୁଣାକର ପୁଷ୍ଟି, ମଧୁସୂଦନ ଡାକୁଆ, ରବୀନ୍ଦ୍ର ମହାନ୍ତି ଚାଲିଚାଲି ଗତ ୭ ତାରିଖରେ ଦକ୍ଷିଣ ଚବିଶ ପ୍ରଗଣାରୁ ବାହାରିଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ଏମାନେ ସମସ୍ତେ ଲକ୍ଷ୍ମଣନାଥରେ ପହଞ୍ଚିବା ପରେ ଏମାନଙ୍କୁ କିନ୍ତୁ ଓଡ଼ିଶା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁନାହିଁ। ସେହିପରି ସୋର ଅଞ୍ଚଳର ନିରଞ୍ଜନ ମହାନ୍ତି, ଚନ୍ଦ୍ରକାନ୍ତ ଜେନା ଓ ମୁରଲୀଧର ଗାଢ଼ ମଧ୍ୟ କୋଲକାତାରୁ ଆସି ଲକ୍ଷ୍ମଣନାଥରେ ଗତ ୩ ଦିନ ଧରି ଅପେକ୍ଷା କରି ରହିଛନ୍ତି। ଏହି ରିପୋର୍ଟ ଲେଖା ହେବା ଯାଏ ଲକ୍ଷ୍ମଣନାଥ ସୀମାରେ ତିନିଶହରୁ ଅଧିକ ପ୍ରବାସୀ ଓଡ଼ିଆ ଅନୁମତି ମିଳୁନଥିବାରୁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ପ୍ରବେଶ ଅନୁମତି ପାଉଛନ୍ତି ସେମାନଙ୍କୁ ମଧ୍ୟ ସେଠାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଲକ୍ଡାଉନ୍ ସମୟରେ ଏହି ପ୍ରବାସୀ ଓଡ଼ିଆମାନେ ଅନ୍ୟରାଜ୍ୟରେ ବିଭିନ୍ନ ପ୍ରକାରର ଶୋଷିତ ଓ ଲାଞ୍ଛିତ ହୋଇଥିବାବେଳେ ନିଜକୁ ରାଜ୍ୟକୁ ଫେରିବା ପାଇଁ ରାଜ୍ୟ ସୀମା ଭିତରେ ଏପରି ଅବହେଳାର ଶିକାର ହେବା ଅସନ୍ତୋଷର କାରଣ ହୋଇଛି।
ଜାଆଁଳା ପିଲାଙ୍କ ସହ ଫସିଗଲେ ବାପା ମା’
ଜଳେଶ୍ଵର : ଲକଡାଉନ କଟକଣାରେ ଫସିଗଲେ ୮ ମାସର ଜାଆଁଳା ସନ୍ତାନଙ୍କ ସହ ଦମ୍ପତି। ଦୀର୍ଘଦିନ ହେବ ପଶ୍ଚିମବଙ୍ଗ ଯାଇ ଆଉ ଫେରି ପାଇନଥିଲେ। ଗତକାଲି ଫେରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର, ୨ପିଲା, ଡ୍ରାଇଭରଙ୍କ ସହ ୫ ଜଣ ଥିବାରୁ ପଶ୍ଚିମବଙ୍ଗ ପୁଲିସ୍ ଆଗକୁ ଯିବାକୁ ଦେଇନାହାନ୍ତି। ଫଳରେ, ପୁଣିଥରେ ଅଟକି ରହିବାକୁ ବାଧ୍ୟ ହୋଇଛନ୍ତି।ଗତ ମାର୍ଚ୍ଚ ୧୯ ତାରିଖରେ ଜଳେଶ୍ବର ବ୍ଲକ ଲକ୍ଷ୍ମଣନାଥର ତନ୍ମୟ ଘଟକ, ପତ୍ନୀ ଓ ୮ମାସର ପୁଅଝିଅ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଜିଲ୍ଲା ମାଣିକପଡ଼ା ଶ୍ବଶୂର ଘରକୁ ଯାଇଥିଲେ। ହେଲେ ୩ ଦିନ ପରେ ଲକଡାଉନ ଘୋଷଣା ହେବା ପରେ ଆଉ ଫେରିପାରିନାହାନ୍ତି। ତେବେ ଗତକାଲି ଇ- ପାସ ଧରି ଘରକୁ ଫେରୁଥିଲେ। ଗୋଟିଏ ୪ ଚକିଆରେ ଡ୍ରାଇଭର ସହ ୩ ଜଣ ଯାତ୍ରା କରିବାର ନିୟମ ଥିବାବେଳେ ଦୁଇ ଛୋଟ ପିଲାଙ୍କୁ ମିଶାଇ ଏମାନେ ୫ଜଣ ଫେରୁଥିଲେ। ତେଣୁ ଖଡ଼ଗପୁର ପୁଲିସ ସେମାନଙ୍କୁ ଆସିବାକୁ ଅନୁମତି ଦେଇ ନ ଥିଲା। ଘରେ ବୁଢ଼ା ବାପାମାଆ ଏକୁଟିଆ ଥିବାରୁ ସେମାନେ ବାରମ୍ବାର ସେଠାକାର ପୁଲିସକୁ ଅନୁରୋଧ କରିଥିଲେ। ହେଲେ ପୁଲିସ କିଛି ଶୁଣି ନ ଥିଲା। ତେଣୁ ବାଧ୍ୟ ହୋଇ ତନ୍ମୟ ପରିବାର ସହ ପୁଣି ଶ୍ବଶୂର ଘରକୁ ଫେରିଯାଇଥିଲେ। ଲକ୍ଷ୍ମଣନାଥରେ ରହିଥିବା ବୁଢ଼ା ବାପାମାଙ୍କ କଥା କିଏ ବୁଝିବ ଓ ସେମାନେ କିପରି ଚଳିବେ ସେହି ଚିନ୍ତା ଏବେ ତନ୍ମୟଙ୍କୁ ଘାରିଛି। ତାଙ୍କ ଫେରିବା ବ୍ୟବସ୍ଥା କରିବାପାଇଁ ସେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି।