ପୁଲିସ କମିସନରେଟ୍ ମୁଖ୍ୟାଳୟର ନାମ ହେବ ‘ପୁଲିସ ସେବା ଭବନ’, ସାମିଲ୍ ହେଲେ ୩୦୦ ପ୍ରଶିକ୍ଷିତ ମହିଳା ଏସ୍‌ପିଓ

କମିସନରେଟ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: କମିସନରେଟ ପୁଲିସର ମୁଖ୍ୟ କାର୍ଯ୍ୟାଳୟର ନାମ ବଦଳିବ । କମିସନରେଟ୍ ପୁଲିସ ମୁଖ୍ୟାଳୟ ଏବେ “ପୋଲିସ ସେବା ଭବନ” ନାମରେ ନାମିତ ହେବ । କମିସନରେଟ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଓଏସଏପି ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ କମିସନରେଟ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ବକ୍ତବ୍ୟ ରଖି  ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପୁଲିସ କମିସନର ।

ସେହିପରି ଏହି ସମାରୋହରେ ଯୋଗଦେଇ ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ପୁଲିସ କଠିନ ପରିଶ୍ରମ କରୁଛି । ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି, ଏଥିପାଇଁ ତିନିଶହ ମହିଳାଙ୍କୁ ନେଇ ଏସପିଓ ୟୁନିଟର ଶୁଭାରମ୍ଭ କରାଯାଇଛି । ରାଜ୍ୟ ସରକାର ‘ମୋ ସରକାର’ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ତାର କାର୍ଯ୍ୟକାରିତା ନେଇ ଆମକୁ ଭଲ ମତାମତ  ମିଳୁଛି । ପୁଲିସ କଠିନ ପରିଶ୍ରମ କରୁଛି, ଜନସାଧାରଣଙ୍କୁ ସେବା ଯୋଗାଉଛି। ଏହି ସଫଳତାକୁ ଆଗାମୀ ଦିନରେ ବଜାୟ ରଖିବାକୁ ପଡ଼ିବ ବୋଲି ମତ ରଖିଛନ୍ତି ପୁଲିସ ଡିଜି ଅଭୟ ।

ଆଜି ମହିଳାଙ୍କ ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି  ୩ଶହ ଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ମହିଳାଙ୍କ ସୁରକ୍ଷା ପାଇଁ ଏସ୍‌ପିଓ ଭାବରେ ନିଯୁକ୍ତି ଦିଆଯାଇଛି। ‌ଏହି ଏସପିଓମାନେ ବିଧିବଦ୍ଧ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସାଧାରଣ ଜନତାଙ୍କ ସୁରକ୍ଷା‌ ଓ ଅପରାଧ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ନିରନ୍ତର ପ୍ରୟାସ ଜାରି ରଖିଛି। ଆଗକୁ ଆମ ପାଇଁ ଯେଉଁ ସମସ୍ୟା ରହିଛି ତାହା ହେଉଛି ଟ୍ରାଫିକ୍‌, ଆଇନ ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷା।

ଇତିମଧ୍ୟରେ କମିସନରେଟ୍‌ ପୁଲିସକୁ ପୂରିଛି ୧୧ ବର୍ଷ। ୧୯୯୮ ମସିହାରେ ଏଥିପାଇଁ ଚିଠା ପ୍ରସ୍ତୁତ ହୋଇଥିବା ବେଳେ ୨୦୦୮ ନୂଆବର୍ଷ ଦିନ ପୁଲିସ କମିସନରେଟ୍ କାର୍ଯ୍ୟକ୍ଷମ ହୋଇଥିଲା। ୧୧ ବର୍ଷ ଧରି ଟ୍ବିନ୍‌ ସିଟିର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଦିଗରେ କମିସନରେଟ୍‌ ପୁଲିସ ଉଦ୍ୟମ ଅବ୍ୟାହତ ରଖିଛି। କେତେକାଂଶରେ ସଫଳ ହୋଇଥିବା ବେଳେ କେତେକ କ୍ଷେତ୍ରରେ ଅପରାଧୀ ପୁଲିସକୁ ଚକ୍‌ମା ଦେଇଛନ୍ତି। ପ୍ରଥମ ପୁଲିସ କମିସନର ବିନୟ ବେହେରାଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ସବୁ ଦିଗରେ ସଫଳ ‌ହେବାକୁ ଉଦ୍ୟମ କରିଛନ୍ତି। ଏହି ସମୟ ମଧ୍ୟରେ ଅନେକ ଯୋଜନା ହୋଇଛି। ହେଲେ କୌଣସି ଯୋଜନା ଉଲ୍ଲ‌େଖନୀୟ ସଫଳତା ପାଇ ନାହିଁ। ମହିଳାଙ୍କ ସୁରକ୍ଷା ପ‌ାଇଁ ପରିକଳ୍ପନା କରାଯାଇଥିବା ‘ନିର୍ଭୟା’ ଯୋଜନା ସଫଳ ହୋଇ ନ ଥିବା ବେଳେ ଆଜି ‘ଏସ୍‌ପିଓ’(ସ୍ବତନ୍ତ୍ର ପୁଲିସ ଅଫିସର) କାର୍ଯ୍ୟକ୍ଷମ ହୋଇଛି ।

ସମ୍ବନ୍ଧିତ ଖବର