ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଘୋଡ଼ାହାଡ଼ ଜଳଭଣ୍ଡାର ଗର୍ଭରେ ରହିଛି ପ୍ରାୟ ୩୦୦ ବର୍ଷ ପ୍ରଚୀନ ପରିତ୍ୟକ୍ତ ଓ ଭଗ୍ନ ମନ୍ଦିର। ଘୋଡ଼ାହାଡ଼ ଡ୍ୟାମ୍ର ଜଳସ୍ତର ହ୍ରାସ ପାଇଲେ ମନ୍ଦିରର ଚୂଡ଼ା ଦେଖା ଯାଇଥାଏ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଡ଼ାହାଡ଼ ଡ୍ୟାମ୍ ପରିଦର୍ଶନରେ ଯାଇଥିବା ବେଳେ ଏହି ମନ୍ଦିର ଫଟୋକୁ ତାଙ୍କ ଟୁଇଟର୍ ହ୍ୟାଣ୍ଡଲ୍ରେ ଅପ୍ଲୋଡ଼୍ କରିବା ପରେ ଏହି ଭଗ୍ନ ମନ୍ଦିରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। କିଛି ଦିନ ତଳେ ନୟାଗଡ଼ ଜିଲ୍ଲାର ଏକ ନଦୀ ଗର୍ଭରୁ ଏଭଳି ଏକ ପ୍ରାଚୀନ ମନ୍ଦିର ଠାବ ହୋଇଥିଲା।
୧୯୭୬ ମସିହାରେ ଘୋଡ଼ାହାଡ଼ ଡ୍ୟାମ୍ ନିର୍ମାଣ ହୋଇଥିଲା। ଏହି ଡ୍ୟାମ୍ ନିର୍ମାଣ ବେଳେ କିଛି ଗ୍ରାମକୁ ବୁଡ଼ି ଅଞ୍ଚଳ ଘୋଷଣା କରାଯାଇ ଉଚ୍ଛେଦ କରା ଯାଇଥିଲା। ସେହି ବୁଡ଼ି ଅଞ୍ଚଳ ମଧ୍ୟରେ ଏହି ପ୍ରାଚୀନ ମନ୍ଦିରଟି ରହିଥିବା କୁହାଯାଉଛି। ଦକ୍ଷିଣ ଓଡ଼ିଶା ସାଂସ୍କୃତିକ ଇତିହାସ ଉପରେ ଗବେଷଣା କରୁଥିବା ଗବେଷକ ଡ.ଅନନ୍ତରାମ କର କୌଣ୍ଡିଣ୍ୟ କହିଛନ୍ତି, ସେ ୨୦୦୧ ମସିହାରେ ଘୋଡ଼ାହାଡ଼ ଡ୍ୟାମ୍ର ଏହି ମନ୍ଦିରକୁ ଯାଇ ଅନୁଧ୍ୟାନ କରିଥିଲେ। ମନ୍ଦିରର ଉଚ୍ଚତା ୬୦ଫୁଟ। ମନ୍ଦିର ପୀଢ଼ା ଶୈଳୀରେ ହୋଇଥିବା ବେଳେ ଇଟାରେ ନିର୍ମିତ। ମୁଖଶାଳା ଓ ମୁଖ୍ୟ ମନ୍ଦିର ଦୁଇ ଭାଗରେ ବିଭକ୍ତ ହୋଇଛି। ମୁଖଶାଳା ଭୁଶୁଡ଼ି ପଡ଼ିଛି। ମୁଖ୍ୟ ମନ୍ଦିରରେ ୫ଫୁଟ ଉଚ୍ଚତାରେ ଏକ ସିଂହାସନ ରହିଛି। ମନ୍ଦିରଟି ଅତଳ ଜଳରାଶିରେ ବୁଡ଼ି ରହିଛି।
ବର୍ତ୍ତମାନ ଜଳଭଣ୍ଡାର ଯେଉଁଠି ଅବସ୍ଥିତ, ତିନି ଶହ ବର୍ଷ ପୂର୍ବେ ସେଠାରେ ବିଜୟନଗରଗଡ଼ ଥିଲା। ବର୍ତ୍ତମାନ ଘୋଡ଼ାହାଡ଼ ଡ୍ୟାମ୍ ଠାରୁ ୨କିମି ଦୂରରେ ବିଜୟନଗରଗଡ଼ ବୋଲି ଏକ ଛୋଟ ଗ୍ରାମ ରହିଛି। ଖେମୁଣ୍ଡିର ରାଜଧାନୀ ବିଜୟ ନଗରଗଡ଼ ଥିଲା। ଘଟଣାକ୍ରମେ ୧୮୦୬ରେ ଖେମୁଣ୍ଡି ରାଜଧାନୀ ବିଜୟନଗର ଗଡ଼ରୁ ଦିଗପହଣ୍ଡିକୁ ଉଠି ଆସିଲା। କ୍ରମେ ବିଜୟନଗର ଗଡ଼ ପରିତ୍ୟକ୍ତ ଓ ଜଙ୍ଗଲମୟ ହୋଇଗଲା। ଘୋଡ଼ାହାଡ଼ ଜଳଭଣ୍ଡାର ନିର୍ମାଣ ଫଳରେ ପରିତ୍ୟକ୍ତ ବିଜୟନଗର ଗଡ଼ର ଅବଶେଷ ଜଳଭଣ୍ଡାର ଗର୍ଭରେ ଲୀନ ହୋଇଗଲା। ଜଳଭଣ୍ଡାରର ଗର୍ଭରେ ଦୃଶ୍ୟମାନ ହେଉଥିବା ଉକ୍ତ ମନ୍ଦିରଟି ହେଉଛି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର। ୧୬୬୨ ମସିହାରେ ଖେମୁଣ୍ଡି ରାଜା ଅନନ୍ତ ଅନଙ୍ଗଭୀମ ଦେବ ଉକ୍ତ ମନ୍ଦିରକୁ ନିର୍ମାଣ କରିଥିଲେ।୧୮୦୬ ମସିହାରେ ତତ୍କାଳୀନ ଖେମୁଣ୍ଡି ରାଜା ଚୈତନ୍ୟ ଦେବ ଦିଗପହଣ୍ଡିକୁ ରାଜଧାନୀ ଉଠାଇ ଆଣିବା ସହ ଠାକୁରଙ୍କୁ ମଧ୍ୟ ଦିଗପହଣ୍ଡି ନେଇ ଆସିଲେ। ଦିଗପହଣ୍ଡି ପ୍ୟାଲେସ୍ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଉକ୍ତ ମୂର୍ତ୍ତି ଏବେ ପୂଜା ପାଉଛନ୍ତି। ୧୭୬୧ରେ ବାସୁଦେବ ରଥ ସୋମଯାଜିଙ୍କ ରଚିତ ‘ଗଙ୍ଗବଂଶାନୁ ଚରିତମ୍ ଚମ୍ପୁକାବ୍ୟ’ ଏବଂ ୧୮୮୫ରେ ଟି.ଜେ.ମଲ୍ଟି ବୟଜ୍ଙ୍କ ଲିଖିତ ‘ଗଞ୍ଜାମ ମାନୁ୍ଆଲ୍’ ଏବଂ ବଡ଼ଖେମୁଣ୍ଡି ପ୍ୟାଲେସ୍ ରେକର୍ଡ଼ ଆଧାରରେ ଏହି ତଥ୍ୟ ସଂଗ୍ରହ କରିଥିବା ଶ୍ରୀ ଅନନ୍ତରାମ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଘୋଡ଼ହାଡ଼ ଡ୍ୟାମ୍ ନିର୍ବାହୀ ଯନ୍ତ୍ରୀ ଦିଲ୍ଳୀପ କୁମାର ଦାସ କହିଛନ୍ତି, ବର୍ତ୍ତମାନ ବର୍ଷା ଅଭାବରୁ ଡ୍ୟାମ୍ର ଧାରଣ କ୍ଷମତାର ମାତ୍ର ୫୦ ପ୍ରତିଶତ ପାଣି ରହିଛି। ପାଣି କମ୍ ଥିବାରୁ ଏବେ ମନ୍ଦିରଟି ଦୃଶ୍ୟମାନ ହେଉଛି। ଆମେ ବି ଶୁଣିଛୁ ଏହା ଏକ ପ୍ରାଚୀନ ମନ୍ଦିର। କିନ୍ତୁ ଏହା ଡ୍ୟାମ୍ ମଝିରେ ଥିବାରୁ ଓ ଡ୍ୟାମ୍ରେ କୁମ୍ଭୀର ରହିଥିବାରୁ ତାହାର ସୁରକ୍ଷା ବି ସମ୍ଭବ ନୁହେଁ। ଏବେ ଏହା କେବଳ ଏକ ଐତିହ୍ୟ ଭାବେ ରହିଛି।