ପୁଲିସ ଓ ଅବକାରୀ ବିଭାଗର ଚଢ଼ଉ: ୪୦ ହଜାର ଲିଟର ପୋଚ, ୩ ହଜାର ଲିଟର ଦେଶୀ ମଦ ଜବତ

୭ ଜଣଙ୍କ ନାଁରେ ୭ ପୃଥକ ମାମଲା

ବାଲେଶ୍ବର: ବାଲେଶ୍ବର ଅବକାରୀ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ଆଜି ପୁରୁଣା ବାଲେଶ୍ବର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଏଥିରେ ୪୦ ହଜାର ଲିଟର ପୋଚ, ୩ ହଜାର ଲିଟର ଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ପୁଲିସ ୭ ଜଣଙ୍କ ନାଁରେ ପୃଥକ ମାମଲା ରୁଜୁ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ଚୋରା ମଦ କାରବାର ରୋକିବା ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଓ ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ଉ ହୋଇଥିଲା। ଏହି ଚଢ଼ଉରେ ଜିଲ୍ଲା ଅବକାରୀ ଇନ୍‌ସପେକ୍ଟର ପ୍ରବୀଣ କୁମାର ପ୍ରଧାନ, ନୀଳଗିରି ଅବକାରୀ ଇନସପେକ୍ଟର ନାରାୟଣ ବେହେରା, ସଦର ଅବକାରୀ ସବ୍‌-ଇନସପେକ୍ଟର ବାଳକ ବିସି ଓ ସୁରଜ କୁମାର ଟିଗା, ସହଦେବଖୁଣ୍ଟା ଇନସପେକ୍ଟର ଶୁଭ୍ରାଂଶୁ ଶେଖର ନାୟକ ସାମିଲ ହେବା ସହିତ ତିନି ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଆଗାମୀ ଦିନରେ ଏହି ଚଢ଼ଉ ଜାରି ରହିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର