ସ୍ବତନ୍ତ୍ର ବିକାଶ ପରିଷଦ ସମ୍ମିଳନୀ: ୩୦୦୦ ପୂଜାସ୍ଥଳୀ, ୪୦୦ ସଂସ୍କୃତି କ୍ଲବ୍ ଲୋକାର୍ପିତ

ଭୁବନେଶ୍ବର: ୯ଟି ଜନଜାତି ବହୁଳ ଜିଲ୍ଲାରେ ଗଠିତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଏକ ବିଶେଷ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପରିଷଦଗୁଡ଼ିକ ଅଧୀନରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌‌ଫରେନ୍ସିଂ ଜରିଆରେ ସଚିବାଳୟରୁ ଉଦ୍‌ଘାଟନ କରିଥିଲେ। ଏଥିରେ ଜନଜାତିମାନଙ୍କର ୩୦୦୦ ପବିତ୍ର ପୂଜାସ୍ଥଳୀ ଓ ୪୦୦ ଜନଜାତି ସଂସ୍କୃତି କ୍ଲବ୍ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ, ଜନଜାତି କଳା ଓ ସଂସ୍କୃତି ଆମର ଗୌରବ। ଏହାର ସୁରକ୍ଷା ଓ ବିକାଶ ଆମ ସମସ୍ତଙ୍କର ଦାୟିତ୍ବ। ୯ଟି ଜିଲ୍ଲାରେ ଗଠିତ ସ୍ବତନ୍ତ୍ର ବିକାଶ ପରିଷଦଗୁଡ଼ିକ କଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ବହୁତ ଭଲ କାମ କରୁଛନ୍ତି। ଜନଜାତି ସଂସ୍କୃତିର ସ୍ବତନ୍ତ୍ର ପରିଚୟ ବଜାୟ ରଖିବା ଓ ଜନଜାତି ଐତିହ୍ୟର ସୁରକ୍ଷା ପାଇଁ ଗତ ୧୦ ମାସ ‌ମଧ୍ୟରେ ବହୁତ ଭଲ କାମ ହୋଇଛି। ୨୫ ହଜାର ଜନଜାତି କଳାକାରଙ୍କୁ ‘ଆର୍ଟିସାନ୍ କାର୍ଡ’ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ୨୦୧୮ ମାର୍ଚ୍ଚ ମାସ‌େର ୯ଟି ଜନଜାତି ବହୁଳ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିଲା। ଜନଜାତିମାନଙ୍କ ଭାଷା, ସଂସ୍କୃତି ଆଦିର ସୁରକ୍ଷା, ପ୍ରଚାର ଓ ପ୍ରସାର ପାଇଁ ଏହି ପରିଷଦଗୁଡ଼ିକ କାମ କରୁଛନ୍ତି। ଏଥିରେ ସମସ୍ତ ୬୨ ବର୍ଗର ଜନଜାତି ଓ ଆଦିମ ଅଧିବାସୀମାନେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ପବିତ୍ର ପୂଜାସ୍ଥଳୀର ବିକାଶ ଓ ସଂସ୍କୃତି କ୍ଲବ୍‌ର ଗଠନ ସହିତ ବାଦ୍ୟଯନ୍ତ୍ର ଯୋଗାଣ, ନୃତ୍ୟ ଆଭୂଷଣ ପ୍ରଦାନ, କାରୀଗର ପରିଚୟ ପତ୍ର ପ୍ରଦାନ, କ୍ରୀଡ଼ା ଉପକରଣ ଯୋଗାଣ, ସାଂସ୍କୃତିକ ଓ କ୍ରୀଡ଼ା ଉତ୍ସବ, ଜନଜାତି ସଂସାଧନ କେନ୍ଦ୍ର ସ୍ଥାପନ, ସଂଗ୍ରହାଳୟ ପ୍ରତିଷ୍ଠା ଆଦି କାର୍ଯ୍ୟ ଏହି ପରିଷଦ ଜରିଆରେ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ୯ଟି ଜିଲ୍ଲାରେ ଉପସ୍ଥିତ ଜନଜାତି କଳାକାରମାନଙ୍କ ସହ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିଥିଲେ। ଏହି ଅବସରରେ ତିନିଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ରାଜ୍ୟ ସରକାରଙ୍କ କଳା ଓ ସଂସ୍କୃତି ଉପଦେଷ୍ଟା ଆର୍‌ ବାଲକ୍ରିଷ୍ଣନ୍, ଉନ୍ନୟନ କମିସନର୍, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ କଳା ଓ ସଂସ୍କୃତି ସହ ଜଡ଼ିତ ଜଣା‌ଶୁଣା ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର