ଆଜି ଶେଷ ସୋମବାର: ଫିକା ପଡ଼ିଲାନି କାଉଡ଼ିଆଙ୍କ ଶ୍ରଦ୍ଧା, ବେଦବ୍ୟାସକୁ ଆସିଲେ ୩୦ ହଜାର କାଉଡ଼ିଆ
ଘୋଘର ଧାମ୍ ସମେତ ଅନ୍ୟାନ୍ୟ ଶୈପୀଠରେ ଜଳାଭିଷେକ
ରାଉରକେଲା: ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ଶେଷ ସୋମବାରରେ ଶୈବପୀଠ ଗୁଡ଼ିକରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଉତ୍ସାହ ଶୀର୍ଷରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବୋଲବମ୍ ବନ୍ଦ ରହିଥିବାରୁ ସମ୍ଭବତଃ ଏହି ଉତ୍ସାହ ଦ୍ବିଗୁଣିତ ହୋଇଛି। ପ୍ରଥମ ସୋମବାରରୁ ଶେଷ ସୋମବାର ପର୍ଯ୍ୟନ୍ତ, ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ଉତ୍ସାହ ଉଦ୍ଦୀପନାର ଜଳାଭିଷେକ କରିଛନ୍ତି ଶ୍ରଦ୍ଧାଳୁ। ଏହି କ୍ରମରେ ଆସନ୍ତାକାଲି ଶେଷ ସୋମବାରରେ ଜଳାଭିଷେକ ପାଇଁ ଜଳ ଉଠାଇବାକୁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ବେଦବ୍ୟାସ ଶୈବ ପୀଠରୁ ଆରମ୍ଭକରି ଘୋଘର ଧାମ୍ ପର୍ଯ୍ୟନ୍ତ; ପୁଣି ବଣାଇଁ ବ୍ଲକ ଅନ୍ତର୍ଗତ ବାବା ବାଣେଶ୍ବର ଶୈବ ପୀଠରୁ ସୁଖା ମହାଦେବ(ବାଲିଶଙ୍କରା), ବେଲସରାଗଡ଼ ଓ ମେଢ଼େଶ୍ବର ଶୀବ ପୀଠ(ଲେଫ୍ରିପଡ଼ା) ପର୍ଯ୍ୟନ୍ତ; ସବୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଢ଼େର୍ ଅଧିକ ରହିଛି। ଗତ ତିନୋଟି ସୋମବାର ଭଳି ଏଥର ମଧ୍ୟ ବେଦବ୍ୟାସ ତ୍ରିବେଣୀ ସଙ୍ଗମରେ କାଉଡ଼ିଆଙ୍କ ସମାଗମ ସର୍ବାଧିକ ରହିଥିଲା। ଆଜି ଦିନ ପ୍ରାୟ ୩ଟାରୁ ବେସବ୍ୟାସରେ ଭିଡ଼ ଆରମ୍ଭ ହୋଇଥିଲା। ତେବେ ସନ୍ଧ୍ୟା ହେବାମାତ୍ରେ ଭିଡ଼ ବେଗ ଧରିଥିଲା। ଦୂରବର୍ତ୍ତୀ ଅଞ୍ଚଳକୁ ଯାଉଥିବା କାଉଡ଼ିଆମାନେ ଆଜି ପୂର୍ବାହ୍ନରୁ ପାଣି ଉଠାଇବା ଆରମ୍ଭ କରିଥିଲେ। ଆଜି କେବଳ ବେଦବ୍ୟାସରେ ପାଖାପାଖି ୨୫/୩୦ ହଜାର କାଉଡ଼ିଆଙ୍କ ସମାଗମ ଜୁଟିଥିବା ଦେଖିବାକୁ ମିଳିଥିଲା।
ପ୍ରକାଶଥାଉକି, ପ୍ରଥମ ସୋମବାରରେ ଏଠାରେ ପ୍ରାୟ ୧୦ ହଜାର କାଉଡ଼ିଆଙ୍କ ଆଗମନ ଦେଖିବାକୁ ମିଳିଥିବାବେଳେ ଦ୍ବିତୀୟ ସୋମବାରରେ ପ୍ରାୟ ୩୦ ହଜାର ଓ ତୃତୀୟ ସୋମବାରରେ ପାଖାପାଖି ୫୦ ହଜାର ଶ୍ରଦ୍ଧାଳୁ ଆସିଥିଲେ। ଏଠାରେ କାଉଡ଼ିଆମାନେ କେବଳ ପାଣି ଉଠାଇନଥିଲେ, ବରଂ ଏଠାରେ ଭୋର୍ରୁ ମନ୍ଦିର ଖୋଲାଯିବାପରେ ରୀତିନୀତି ଅନୁଯାୟୀ ଜଳାଭିଷେକ ମଧ୍ୟ କରିଥିଲେ। ‘ବେଦବ୍ୟାସରେ ଦ୍ବିତୀୟ ଓ ତୃତୀୟ ସୋମବାରରେ ଅପେକ୍ଷାକୃତ ଅଧିକ ଭିଡ଼ ହୋଇଥାଏ। ଏଠାକୁ କେବଳ ସୁନ୍ଦରଗଡ଼ କିମ୍ବା ଆଖପାଖ ଜିଲ୍ଲା ନୁହେଁ, ବରଂ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡରୁ ମଧ୍ୟ କାଉଡ଼ିଆ ଆସିଥାନ୍ତି। କିନ୍ତୁ ଏଥର ବ୍ୟତିକ୍ରମ ଘଟିଛି। ଦ୍ବିତୀୟ ସୋମବାର ଭଳି ଶେଷ ସୋମବାରରେ ମଧ୍ୟ ସମାନ ସଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥିବା ବେଦବ୍ୟାସ ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି।
ବେଦବ୍ୟାସ ଭଳି ଘୋଘର ଧାମ୍ରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ବେଦବ୍ୟାସରୁ ପାଣି ଭାର ନେଇ ମନ୍ଦିରା ଡ୍ୟାମ, ଝୁନ ଝୁନ ଧାମ୍, ତରକେରା ଶିବ ମନ୍ଦିର, ସୁଖା ମହାଦେବ, ବେଲସରାଗଡ଼, ମେଢ଼େଶ୍ବର, ବାବା ବାଣେଶ୍ବର, ଘୋଘର ଧାମ୍, ମହାଦେବଶାଳ(ଝାଡ଼ଖଣ୍ଡ) ଶିବମନ୍ଦିରକୁ ଯାଇଥିଲେ। ମାତ୍ର ଅଧିକାଂଶ କାଉଡ଼ିଆ ଘୋଘର ଧାମ୍ ଅଭିମୁଖେ ବାହାରିଥିଲେ। ଶେଷ ସୋମବାରରେ ପାଖାପାଖି ୨୦/୨୫ ହଜାର କାଉଡ଼ିଆ ଘୋଘର ଧାମ୍ରେ ଜଳାଭିଷେକ ପାଇଁ ପହଞ୍ଚିଥିବା ଅନୁମାନ କରାଯାଉଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ କାଉଡ଼ିଆଙ୍କ ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ସବିଶେଷ ପଦକ୍ଷେପ ନିଆଯାଇଥିଲା। ଆଇନ ଶୃଙ୍ଖଳା ପାଇଁ ୧୯ ପ୍ଲାଟୁନ ଫୋର୍ସ୍ ମୁତୟନ ହୋଇଥିବାବେଳେ ଏନ୍ଡିଆର୍ଏଫ୍, ଓଡ୍ରାଫ୍, ଅଗ୍ନିଶମ କର୍ମଚାରୀ, ସିଭିଲ ଡିଭେନ୍ସ ସ୍ବେଚ୍ଛାସେବୀ ନିୟୋଜିତ ଥିଲେ। ଏତଦ୍ବ୍ୟତୀତ ବ୍ୟାପକ ବ୍ୟାରିକେଡିଂ, ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।