ଭୁବନେଶ୍ୱର: ରାଜ୍ୟର ସମସ୍ତ ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ଗୁରୁତ୍ବ ଦେଉଛନ୍ତି ସରକାର। ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବିଭିନ୍ନ ଯୋଜନା ଓ ବଜେଟ୍ ମାଧ୍ୟମରେ ମିଳୁଥିବା ଅର୍ଥରାଶିର ଶତ ପ୍ରତିଶତ ଉପଯୋଗ କରି ରାଜ୍ୟବାସୀଙ୍କୁ ଉନ୍ନତମାନର ଗମନାଗମନ ସୁବିଧା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।
ରାସ୍ତା ଓ ସେତୁଗୁଡ଼ିକର ଗୁଣବତ୍ତା ସହିତ ଏହାର ରକ୍ଷଣାବେକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ନିମ୍ନମାନର କାମ କରୁଥିବା ଠିକାଦାର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପାହାଡ଼ିଆ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକରେ ଲୋକଙ୍କ ଗମନାଗମନ ପାଇଁ ଉତ୍ତମମାନର ରାସ୍ତା ନିର୍ମାଣ କରିବା ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଠିକାଦାରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଦ୍ୟାବଧି ମିଳିଥିବା ଅନୁମୋଦନରେ ୭୩,୯୮୪.୮୮ କିଲୋମିଟର ରାସ୍ତା ମଧ୍ୟରୁ ୭୦,୭୧୧.୨୪ କିଲୋମିଟର ରାସ୍ତା ନିର୍ମାଣ କରି ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାର୍ଗଦର୍ଶିକା ଅନୁଯାୟୀ କାମ କରାଯାଉଥିଲା। ବର୍ତ୍ତମାନ ଏହାର ଚତୁର୍ଥ ପର୍ଯ୍ୟାୟର କାମ ମଧ୍ୟ ହାତକୁ ନିଆଯାଇଛି। ଏହି ପର୍ଯ୍ୟାୟରେ ଆଦିବାସୀ ଅଧୁଷିତ ଅଞ୍ଚଳ, ଆକାଂକ୍ଷୀ ବ୍ଲକ୍, ନକ୍ସଲ୍ ପ୍ରଭାବିତ ଅଞ୍ଚଳମାନଙ୍କରେ ସଡ଼କ ଓ ସେତୁ ନିର୍ମାଣ କରାଯିବ।
ନିମ୍ନମାନର କାମ କଲେ ଠିକାଦାର, ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ପିଏମ୍ଜିଏସ୍ୱାଇ ରାସ୍ତା ନିର୍ମାଣରେ ଓଡ଼ିଶା ଦେଶରେ ଚତୁର୍ଥ
ଚତୁର୍ଥ ପର୍ଯ୍ୟାୟରେ ୧,୦୨୧ଟି ଯୋଗାଯୋଗ ବିହୀନ ଜନବସତି ପାଇଁ ୯୪୨ଟି ସଡ଼କ ଓ ୮ଟି ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ସେହିଭଳି ୧୦୦ରୁ ଅଧିକ ପିଭିଟଜି ବର୍ଗର ଜନବସତି ସଂଯୋଗୀକରଣ ପାଇଁ ‘ପିଏମ୍ ଜନମନ’ ଯୋଜନାରେ ୭୩ଟି ଗ୍ରାମରେ ୬୬ଟି ରାସ୍ତା ଓ ୪ଟି ସେତୁ ନିର୍ମାଣ ପାଇଁ ମଞ୍ଜୁରି ମିଳିଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୫୦୦.୩୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ରେ ୩୪୬୯.୯୪ କୋଟି ଟଙ୍କା ବ୍ୟୟବରାଦରେ ୫୦୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି। ସେତୁବନ୍ଧନ ଯୋଜନାରେ ୨୦୨୪-୨୫ରେ ୧୮୬ଟି ସେତୁ ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ରେ ୩୦୦ଟି ସେତୁ ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ଭିତ୍ତିଭୂମି ଉନ୍ନତୀକରଣ କାର୍ଯ୍ୟ ମଧ୍ୟରେ ଛାତ୍ରାବାସ, ମହାବିଦ୍ୟାଳୟ ଗୃହ ନିର୍ମାଣ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପ ଇତ୍ୟାଦି ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି। ୨୦୨୪-୨୫ରେ ବିଭାଗ ପକ୍ଷରୁ ୪୫୧ଟି ବିଭିନ୍ନ କୋଠାବାଡ଼ି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୧୨୨୯ଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବୈଠକରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ବିଭାଗୀୟ ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ, ସର୍ବୋଚ୍ଚ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ ଓ ପ୍ରଦୀପ କୁମାର ଜେନା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।