୩୦ ହଜାର ଅଲିଭ୍‌ ରିଡ୍‌ଲେ ଟ୍ୟାଗିଂ

କେନ୍ଦ୍ର ସରକାର ଜାରି କଲେ ଡକ୍ୟୁମେଣ୍ଟାରି, ଆକର୍ଷଣୀୟ କହିଲେକେନ୍ଦ୍ର ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶା ଉପକୂଳରେ ୩୦ ହଜାର ଅଲିଭ୍‌ ରିଡ୍‌ଲେଙ୍କ ଟ୍ୟାଗିଂ କରାଯାଇଛି। ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ସହ ଏହି ବିରଳ ପ୍ରଜାତିକୁ ଚିହ୍ନଟ କରିବା ଲାଗି ଜଙ୍ଗଲ ଓ ପରିବେଶ ବିଭାଗ ସହାୟତାରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅଧୀନ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଜେଡ୍‌ଏସ୍‌ଆଇ) ଦ୍ବାରା ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କୋଲକାତାସ୍ଥିତ ଜେଡ୍‌ଏସ୍‌ଆଇ ସହ ବ୍ରହ୍ମପୁର, ରାଜନଗର, ପୁରୀ ଓ ଭଦ୍ରକ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ବାବଧାନରେ କଇଁଛଙ୍କ ଡେଣାରେ ଟ୍ୟାଗିଂ ହୋଇଛି। ଏଥିସହ ଅଲିଭ୍‌ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନଠାରୁ ଆରମ୍ଭ କରି ଶାବକଙ୍କ ସମୁଦ୍ର ଯାତ୍ରା ପର୍ଯ୍ୟନ୍ତ ଏକ ଉଚ୍ଚକୋଟିର ଡକ୍ୟୁମେଣ୍ଟାରି ମଧ୍ୟ ପ୍ରସ୍ତୁତ କରାଯାଇଛି।

୭ ମିନିଟ୍‌ ୧୮ ସେକେଣ୍ଡର ଏହି ଡକ୍ୟୁମେଣ୍ଟାରିରେ ଓଡ଼ିଶାକୁ କଇଁଛଙ୍କ ଆଗମନଠାରୁ ଅଣ୍ଡାଦାନ, ଛୁ୍ଆ ଫୁଟିବା, ଶାବକ ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ସମସ୍ତ ବିଷୟ ଅତି ଚମତ୍କାର ଭାବେ ଦୃଶ୍ୟମାନ ହୋଇଛି। ଭିଡିଓରେ କୁହାଯାଇଛି ଯେ ଦେଶର ପୂର୍ବତଟରେ ଥିବା ଓଡ଼ିଶା ଉପକୂ‌ଳ ସମୁ୍ଦ୍ରତଟରେ ଏହି ବିରଳ ପ୍ରଜାତିର ଅଲିଭ୍‌ ରିଡ୍‌ଲେ ଦେଖାଯାଇଥାନ୍ତି। ବଙ୍ଗୋପସାଗର ଜଳରାଶିରେ ହଜାର ହଜାର କିମି ବାଟ ଅତିକ୍ରମ କରି ଶୀତ ଋତୁରେ ଏହି ବିଦେଶାଗତ ଓଡ଼ିଶା ଉପକୂଳ ସାମୁଦ୍ରିକ ଜଳରାଶିକୁ ଆସିଥାନ୍ତି। ଏମାନଙ୍କ ଆଗମନ ମୁଖ୍ୟତଃ ଓଡ଼ିଶାର ତିନୋଟି ସ୍ଥାନକୁ ହୋଇଥାଏ। ଗହିରମଥା, ଦେବୀ ମୁହାଣ ଓ ଋଷିକୂଲ୍ୟା ମୁହାଣରେ ନଭେମ୍ବର ମାସରେ ସମୂହ ଅଣ୍ଡାଦାନ କରିଥାନ୍ତି। ସମୁଦ୍ର ଜଳରାଶିରେ ମିଳନ ହେବା ପରେ ଏମାନେ ଉପକୂଳରେ ବସା ବାନ୍ଧିବା ସହ ଅଣ୍ଡା ଦେଇଥାନ୍ତି। ୪୫ରୁ ୫୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରିଥାନ୍ତି। ଗୋଟିଏ ମାଈ ଅଲିଭ୍‌ ରିଡ୍‌ଲେ ପ୍ରାୟ ୧୨୦ଟି ଅଣ୍ଡା ଦେଇଥାଏ। ଅଣ୍ଡାଗୁଡ଼ିକ ଫୁଟିବା ପରେ ସେମାନେ ସମୁଦ୍ରକୁ ଯାଇଥାନ୍ତି।

ଏଥର ମଧ୍ୟ ୧୦ ଲକ୍ଷରୁ ଅଧିକ କଇଁଛ ଓଡ଼ିଶା ଉପକୂଳକୁ ଆସିଥିଲେ। ନଭେମ୍ବର ଓ ଡିସେମ୍ବରରେ ଏମାନେ ଅଣ୍ଡା ଦେବା ପରେ ଫେବ୍ରୁଆରିରୁ ଅଣ୍ଡା ଫୁଟିବା ସହ ପର୍ଯ୍ୟାୟକ୍ରମେ ଶାବକ ସମୁଦ୍ରକୁ ଯାଇ ସାରିଛନ୍ତି। ସମୂହ ଅଣ୍ଡାଦାନ ସମୟରେ ୩୦ ହଜାରରୁ ଅଧିକ ଅଲିଭ୍‌ ରିଡ୍‌ଲେଙ୍କ ଟ୍ୟାଗିଂ କରାଯାଇଛି, ଫଳରେ ଏହି ପ୍ରଜାତିକୁ ଚିହ୍ନିବାରେ କୌଣସି ଅସୁବିଧା ହେବ ନାହିଁ। ପ୍ରସ୍ତୁତ ହୋଇଥିବା ଡକ୍ୟୁମେଣ୍ଟାରିରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ଜେଡ୍‌ଏସ୍‌ଆଇ କୋଲକାତା, ଓଡ଼ିଶା ପିସିସିଏଫ୍‌(ବନ୍ୟପ୍ରାଣୀ), ବ୍ରହ୍ମପୁର, ରାଜନଗର, ପୁରୀ ଓ ଭଦ୍ରକ ବନଖଣ୍ଡ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟୁଇଟ୍‌ କରି କହିଛନ୍ତି ଯେ ଓଲିଭ୍‌ ରିଡ୍‌ଲେ ସମୁଦ୍ରକୂଳରେ ବସା ବାନ୍ଧିବା ଓ ଟାଗିଙ୍ଗ୍‌କୁ ନେଇ ପ୍ରସ୍ତୁତ ହୋଇଥିବା ଡକ୍ୟୁମେଣ୍ଟାରି ବେଶ୍‌ ଆକର୍ଷଣୀୟ ହୋଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ସହାୟତାରେ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଡକ୍ୟୁମେଣ୍ଟାରି ମାଧ୍ୟମରେ କଇଁଛଙ୍କ ଅଣ୍ଡାଦାନ ଓ ଟ୍ୟାଗିଂ ବିଷୟରେ ପର୍ଯ୍ୟଟକମାନେ ବହୁତ କିଛି ଜାଣିବାକୁ ପାଇବେ।

ସମ୍ବନ୍ଧିତ ଖବର